ପାଳନ୍ତୁ ପରିବେଶ ଉପଯୋଗୀ ଦୀପାବଳି

କରୋନା ମହାମାରୀ ସମୟରେ ଆସିଛି ଆଲୋକର ପର୍ବ ଦୀପାବଳି। ଏଥର ଏହି ପର୍ବ ଆତସବାଜି ବିହୀନ ହେବ। ପରିବେଶ ଏବଂ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଏହା ଜରୁରୀ ହୋଇପଡିଛି। ‘ମୁହୂର୍ତ୍ତେ ଜ୍ବଳିତଂ ଶ୍ରେୟଃ, ନ ଚ ଧୂମାୟିତ ଚିରମ୍‌’ ଜୀବନସାରା ଧୂଆଁ କରିବା ଅପେକ୍ଷା ମୁହୂର୍ତ୍ତେ ବି ଜଳି ଅନ୍ୟକୁ ଆଲୋକ ଦେଖାଇ ଲିଭିଯିବା ଶ୍ରେୟସ୍କର। ମୁହୂର୍ତ୍ତକର ଖୁସି ପାଇଁ ବାଣ ଫୁଟାଇ ପରିବେଶକୁ ଧୂଆଁମୟ କରି ଅନ୍ୟକୁ ସମସ୍ୟାରେ ପକାଇବା ଅନୁଚିତ। ଦୀପାବଳିର ମହାନିଶା ରାତ୍ରିରେ ବିଶ୍ବର କଲ୍ୟାଣ ଏବଂ ମହାମାରୀରୁ ମୁକ୍ତି ସମସ୍ତଙ୍କର ପ୍ରାର୍ଥନା ହେଉ।

ବାଣ ଫୁଟାଇବା ଦ୍ବାରା ଦୀପାବଳି ଏବଂ ଏହାର ପରବର୍ତ୍ତୀ କିଛିଦିନ ପର୍ଯ୍ୟନ୍ତ ବାୟୁ ପ୍ରଦୂଷଣ ସ୍ତର ବଢିଯାଏ। ବୟସ୍କ ବ୍ୟକ୍ତି ଏବଂ ଶ୍ବାସରୋଗୀମାନଙ୍କୁ ଏହି ସମୟରେ ଖୁବ୍‌ କଷ୍ଟ ଭୋଗିବାକୁ ପଡେ। ଚଳିତବର୍ଷ କରୋନା ଆକ୍ରାନ୍ତ ବ୍ୟକ୍ତିମାନେ ମଧ୍ୟ ଚିନ୍ତା ପରିସରକୁ ଆସିଛନ୍ତି। ଓଡ଼ିଶା ସମେତ ବହୁ ରାଜ୍ୟରେ ଏହି ବର୍ଷ ବାଣ ଫୁଟାଇବା ନିଷେଧ କରାଯାଇଛି। ତେଣୁ ଆଲୋକର ଏହି ପର୍ବକୁ ପରିବେଶ ଉପଯୋଗୀ ଉପାୟରେ ପାଳନ କରିପାରି‌େ‌ବ। ମାଟିର ଦୀପ, ମହମବତି ଜଳାଇ ଦୀପାବଳି ପାଳନ କରିହେବ। ବଜାରରେ ଗୋବରରୁ ତିଆରି ଦୀପ ବି ମିଳୁଛି। କରୋନା ସମୟର ସତର୍କତାକୁ ଦୃଷ୍ଟିରେ ରଖି ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନ ବାଣର ବିକଳ୍ପ ପ୍ରସ୍ତୁତ କରିଛନ୍ତି। ଏହାଦ୍ବାରା ପର୍ବକୁ ଆନନ୍ଦ ଉତ୍ସାହରେ ପାଳନ କରିପାରିବେ ଏବଂ ପରିବେଶର ମଧ୍ୟ ଉପକାର ହୋଇପାରିବ।

ବାଣରୁ ଗଛ: ଏହା ଦେଖିବାକୁ ପାରମ୍ପରିକ ବାଣ ଭଳି, କିନ୍ତୁ ଫୁଟିଲେ ଏଥିରୁ ଶବ୍ଦ, ଧୂଆଁ କି ଆଲୋକ ବାହାରିବ ନାହିଁ। ଏହି ବାଣଗୁଡିକ ମାଟିରେ ପଡିଲେ ଏଥିରୁ ଗଛ ଉଠିବ। ଦିଲ୍ଲୀର ୨୧ଫୁଲ୍‌ସ, ବେଙ୍ଗାଲୁରୁର ସିଡ୍‌ ପେପର ଇଣ୍ଡିଆ ପରି ସଂସ୍ଥା ଏଭଳି ମଞ୍ଜି ବାଣ ପ୍ରସ୍ତୁତ କରିଛନ୍ତି। ରକେଟ୍‌, ସୂତୁଲି ବୋମା, ହାଇଡ୍ରୋଜେନ୍‌ ବୋମା, ଅନାର ପରି ବାଣ ଆକୃତିରେ ମିଳୁଥିବା ଏହି ମଞ୍ଜିବାଣ ପରିବେଶର ସୁରକ୍ଷା ପାଇଁ ବେଶ୍‌ ଉପଯୋଗୀ। ତୁଳସୀ, ଟମାଟୋ, ଗେଣ୍ଡୁ ଏପରିକି ପିଆଜ ମଞ୍ଜି ବି ଏହି ବାଣରେ ଦିଆଯାଇଛି।

ବାଣ ଚକୋଲେଟ୍‌: ଦୀପାବଳିରେ ବାଣ ଫୁଟାଇବା ବଦଳରେ ଏହାକୁ ଖାଇ ପର୍ବ ପାଳନ କରିପାରିବେ। ଅସଲରେ, ନୈନିତାଲର ନେହା ଛାବ୍ରା ଏହି ଦୀପାବଳି ଅବସରରେ ଅବିକଳ ବାଣ ପରି ଦେଖାଯାଉଥିବା ସ୍ବତନ୍ତ୍ର ମିଷ୍ଟାନ୍ନ ପ୍ରସ୍ତୁତ କରିଛନ୍ତି। ଦୀପାବଳି ସମୟରେ ପ୍ରଦୂଷଣ ଏକ ବଡ ସମସ୍ୟା ହେଉଥିବାରୁ ବାଣର ବିକଳ୍ପ ଭାବେ ଚକୋଲେଟ୍‌ରେ ଏଭଳି ମିଷ୍ଟାନ୍ନ ପ୍ରସ୍ତୁତ କରିଛନ୍ତି ନେହା। ମିଣ୍ଟ୍‌, ଗୁଲ୍‌କନ୍ଦ, ବଟରସ୍କଚ୍‌, ଷ୍ଟ୍ରବେରୀ, କମଳା ଆଦି ସ୍ବାଦ‌େ‌ର ପ୍ରସ୍ତୁତ ହୋଇଥିବା ଏହି ମିଠାର ମୂଲ୍ୟ ୬୦ଟଙ୍କାରୁ ୪୫୦ଟଙ୍କା ମଧ୍ୟରେ ରଖାଯାଇଛି। ଦିଲ୍ଲୀ, ହରିୟାନା ସମେତ ହିମାଚଳରୁ ବି ନେହାଙ୍କ ମିଠା ପାଇଁ ଅର୍ଡର ଆସୁଥିବା ସେ ଜଣାଇଛନ୍ତି। ଲୋକେ ଏହାକୁ ଉପହାର ଦେବା ପାଇଁ ବେଶ୍‌ ପସନ୍ଦ କରୁଛନ୍ତି। କରୋନା କାଳରେ ଦୀପାବଳି ଅବସରରେ ପ୍ରଦୂଷଣ କିପରି କମ୍‌ ହେବ ସେଥିପାଇଁ ସେ ଦୁଇମାସ ତଳେ ଚିନ୍ତା କରୁଥିଲେ। ହଠାତ୍‌ ଏହି ଯୋଜନା ତାଙ୍କ ମନକୁ ଆସିଥିଲା ଏବଂ ଏହା ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କୁ ବେଶ୍‌ ସଫଳତା ଆଣିଦେଇଛି। ଏହା ଅର୍ଗାନିକ ଓ ସୁଗାର-ଫ୍ରି ହୋଇଥିବାରୁ ଲୋକଙ୍କ ମନରେ ବି ଏହି ମିଠା ପାଇଁ ଆଗ୍ରହ ବଢୁଛି। ଏବେ ନେହା ବିଭିନ୍ନ ପର୍ବ ଅବସରରେ ଏଭଳି ମିଠା ପ୍ରସ୍ତୁତିରୁ ରୋଜଗାର କରିବା ପାଇଁ ପ୍ରସ୍ତୁତି କଲେଣି।

ସବୁଜ ବାଣ: ଏଗୁଡିକ ସାଧାରଣ ବାଣ ପରି ଦେଖାଯାଏ ଏବଂ ଫୁଟିଥାଏ। ତେବେ ଏଥିରୁ କମ୍‌ ପ୍ରଦୂଷଣ ହୁଏ। ଏଭଳି ବାଣ ତିଆରିରେ ଲିଥିୟମ, ଆର୍ସେନିକ, ସୀସା, ପାରଦ ପରି କ୍ଷତିକାରକ ପଦାର୍ଥ ବ୍ୟବହାର କରାଯାଏ ନାହିଁ। ଏଥିରୁ ପ୍ରାୟ ୩୦ପ୍ରତିଶତ କମ୍‌ କ୍ଷତିକାରକ ଗ୍ୟାସ୍‌ ବାହାରେ। ୨୦୧୮ରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏଭଳି ବାଣ ତିଆରି ଆରମ୍ଭ ହୋଇଥିଲା ଏବଂ ୨୦୧୮ ଓ ୨୦୧୯ରେ ଏହା ବିଶେଷ ଭାବେ ବିକ୍ରି ହୋଇଥିଲା। ଏହା ଉପରେ କ୍ୟୁଆର୍‌ କୋଡିଂ ଥିବା ସବୁଜ ଲୋଗୋ ରହିଥାଏ। ଏହା ସେଫ୍‌ ୱାଟର ରିଲିଜର (ସ୍ବାସ୍‌), ସେଫ୍‌ ମିନିମାଲ ଆଲୁମିନିୟମ (ସଫଲ) ଏବଂ ସେଫ୍‌ ଥର୍ମାଇଟ୍‌ କ୍ରାକର (ଷ୍ଟାର) ଆଦି ବିଭିନ୍ନ ପ୍ରକାରରେ ମିଳେ। ଏହାର ଆଉ ଏକ ପ୍ରକାର ଆରୋମା କ୍ରାକର ଫୁଟାଇବା ଦ୍ବାରା କ୍ଷତିକାରକ ଗ୍ୟାସ୍‌ ବଦଳରେ ସୁଗନ୍ଧ ବାହାରିଥାଏ।

Comments are closed.