ଏକକାଳୀନ ନିର୍ବାଚନକୁ ଆଞ୍ଚଳିକ ଦଳଙ୍କ ବିରୋଧ

0

ନୂଆଦିଲ୍ଲୀ : ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଆଞ୍ଚଳିକ ଦଳଗୁଡିକ ବିରୋଧ କରୁଥିବା ମୁଖ୍ୟ ନିର୍ବାଚନ କମିସନ(ସିଇସି) ଓ.ପି. ରାୱତ୍‍ ସୋମବାର ପ୍ରକାଶ କରିଛନ୍ତି। ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପ୍ରସଙ୍ଗ ଉପରେ ଆଲୋଚନା ନିମନ୍ତେ ସିଇସି ସୋମବାର ନୂଆଦିଲ୍ଲୀଠାରେ ସର୍ବଦଳୀୟ ବୈଠକ ଡକାଇଥିଲେ। ଏଭଳି ନିର୍ବାଚନକୁ ନେଇ ବହୁ ଆଞ୍ଚଳିକ ଦଳ ବୈଠକରେ ଚିନ୍ତା ବ୍ୟକ୍ତ କରିଥିଲେ; କିନ୍ତୁ କିଛି ଦଳ ଏକକାଳୀନ ନିର୍ବାଚନ ଆୟୋଜନ କରିବାର ଗୁରୁତ୍ୱ ମଧ୍ୟ ଉପସ୍ଥାପନ କରିଥିଲେ। ଏଥିରେ ସମସ୍ତ ଜାତୀୟ ଏବଂ ଆଞ୍ଚଳିକ ଦଳର ନେତୃବୃନ୍ଦ ଯୋଗ ଦେଇଥିଲେ। ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’, ବାଲଟ୍‍ ଦ୍ୱାରା ମତଦାନ ପ୍ରକ୍ରିୟା ପୁର୍ନବାର ଅବଲମ୍ବନ ଏବଂ ଇଭିଏମ୍‍ ପ୍ରସଙ୍ଗ ଉଠିଥିଲା। ବାଲଟ୍‍ ଦ୍ୱାରା ମତଦାନ ହେଲେ ଭୋଟ୍‍ ଗ୍ରହଣ କେନ୍ଦ୍ରକୁ କବ୍‍ଜା କରିବାର ପରମ୍ପରା ମଧ୍ୟ ପୁର୍ନବାର ଆରମ୍ଭ ହୋଇଯିବ ବୋଲି କେତେକ ଦଳ ମତ ଦେଇଛନ୍ତି। ଅନ୍ୟ କେତେକ ଦଳ ଇଭିଏମ୍‍ ଏବଂ ଭିଭିପାଟ୍‍ଗୁଡିକରେ ତ୍ରୁଟି ଅଭିଯୋଗ ମଧ୍ୟ ଆଣିଛନ୍ତି। ୩୦% ଇଭିଏମ୍‍ ଏବଂ ଭିଭିପ୍ୟାଟ୍‍କୁ ପରୀକ୍ଷା କରିବାର ଆବଶ୍ୟକତା ରହିଥିବା ସେମାନେ ଦର୍ଶାଇଛନ୍ତି। ତେବେ ତ୍ରୁଟିପୂର୍ଣ୍ଣ ଇଭିଏମ୍‍ଗୁଡିକୁ କେଉଁଠାରେ ମରାମତି କରାଯିବ ବୋଲି କିଛି ଦଳ ଇସିଙ୍କୁ ପ୍ରଶ୍ନ କରିଥିବା ଜଣାପଡିଛି। ଏହି ବୈଠକରେ ଭୋଟ୍‍ ଗ୍ରହଣ ପ୍ରକ୍ରିୟା, ସେଥିରେ ସଂସ୍କାର, ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ପ୍ରଭୃତି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। କମିସନ୍‍ ସବୁ ଦଳର ମତାମତ ଏବଂ ଅଭିଯୋଗକୁ ବିଚାରକୁ ନେଇଛନ୍ତି ବୋଲି ରାୱତ୍‍ କହିଛନ୍ତି। ତେବେ ଦେଶରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ କରାଇବା ଅସମ୍ଭବ ବୋଲି ସିଇସି ରାୱତ୍‍ ଗତସପ୍ତାହରେ କହିଥିଲେ। ସବୁ ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିସନ ବିଭିନ୍ନ ରାଜନୈତିକ ଦଳର ବୈଠକ ଡକାଇ ଏଭଳି ଆଲୋଚନା କରିଥାଆନ୍ତି। ମାତ୍ର ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ମିଜୋରାମ ବିଧାନସଭା ନିର୍ବାଚନକୁ ୨୦୧୯ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇପାରେ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ଲୋକସଭା ନିର୍ବାଚନ ସମୟ ପୂର୍ବରୁ ଅନୁଷ୍ଠିତ ହୋଇପାରେ ବୋଲି ମଧ୍ୟ କୁହାଯାଉଛି। ଏଭଳିସ୍ଥିତିରେ ସିଇସିଙ୍କ ଏହି ବୈଠକ ଆଗୁଆ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନାକୁ ଜୋର୍‍ଦାର କରିଛି।

Leave A Reply