ସଂକ୍ଷେପରେ ଜେନେରାଲ ବିପିନ ଓ ମଧୁଲିକା

ସିଡିଏସ୍‌ ଜେନେରାଲ ବିପିନ ରାୱତ ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ ଓ ୨୭ତମ ସ୍ଥଳସେନା ମୁଖ୍ୟ। ସ୍ଥଳ ସେନା, ନୌସେନା ଓ ବାୟୁସେନାର ସର୍ବୋଚ୍ଚ ମୁଖ୍ୟ ପଦ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ୍‌) ଭାବେ ଜେନେରାଲ ରାୱତଙ୍କୁ ୨୦୧୯ ଡିସେମ୍ବର ୩୦ରେ ନିଯୁକ୍ତି ଦିଆଯାଇଥିଲା। ୩୧ ଡିସେମ୍ବର ୨୦୧୯ରୁ ସେ ଏହି ପଦରେ ନିଜର କାର୍ଯ୍ୟ ନିର୍ବାହ କରିଆସୁଥିଲେ। ସେନାର ତିନି ବାହିନୀ ମଧ୍ୟରେ ସମନ୍ବୟ ରକ୍ଷା କରିବା ଲାଗି ସରକାର ଏହି ପଦ ଗଠନ କରିଥିଲେ। ଜେନେରାଲ ରାୱତ କର୍ମଚାରୀ କମିଟିର ସ୍ଥାୟୀ ମୁଖ୍ୟ ପଦରେ ମଧ୍ୟ ରହିଥିଲେ। ଜେନେରାଲ ରାୱତ ସ୍ଥଳସେନାର ୨୭ତମ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ଓ ଇଣ୍ଡିଆନ ମିଲିଟାରୀ ଏକଡେମୀ (ଆଇଏମଏ)ରୁ ପାଠପଢା ଶେଷ ପରେ ୧୯୭୮ ଡିସେମ୍ବରରେ ଜେନେରାଲ ରାୱତ ସ୍ଥଳସେନା‌େ​‌ର ଭର୍ତ୍ତି ହୋଇଥିଲେ। ୧୧ ଗୁର୍ଖା ରାଇଫଲ୍ସର ୫ମ ବାଟାଲିୟନରେ ସେ ପ୍ରଥମେ ଯୋଗ ଦେଇଥିଲେ। ଏହି ୟୁନିଟ୍‌ରେ ଜେନେରାଲ ରାୱତଙ୍କ ପିତା ମଧ୍ୟ କାର୍ଯ୍ୟ କରିଥିଲେ। ଦୀର୍ଘ ୪ଦଶନ୍ଧିର କାର୍ଯ୍ୟକାଳ ମଧ୍ୟରେ ସେ ସେନାର ବ୍ରିଗେଡ କମାଣ୍ଡର, ଜେନେରାଲ ଅଫିସର କମାଣ୍ଡିଂ ଇନ ଚିଫ୍‌, ଜେନେରାଲ ଷ୍ଟାଫ ଅଫିସର ଗ୍ରେଡ ୨ (ସାମରିକ ଅଭିଯାନ ନିର୍ଦେଶାଳୟ), କ​‌େ​‌ର୍ଣ୍ଣଲ ମିଲିଟାରୀ ସଚିବ, ଡେପୁଟି ମିଲିଟାରୀ ସଚିବ ଆଦି ବିଭିନ୍ନ ପଦରେ କାର୍ଯ୍ୟ କରିଥିଲେ। ସେ ଜାତିସଂଘ ଶାନ୍ତି ବାହିନୀରେ କାର୍ଯ୍ୟ କରିଥିଲେ। ୨୦୦୮ରେ କଙ୍ଗୋରେ ନିୟୋଜିତ ଜାତିସଂଘର ବହୁରାଷ୍ଟ୍ରୀୟ ବ୍ରିଗେଡର ସେ ନେତୃତ୍ବ ନେଇଥିଲେ। ତାଙ୍କ ସମୟରେ ଉତ୍ତର-ପୂର୍ବ ଭାରତରେ ଆତଙ୍କବାଦ କାର୍ଯ୍ୟକଳାପ ହ୍ରାସ ପାଇଥିଲା। ୨୦୧୬ରେ ସେ ପାକିସ୍ତାନ ବିରୋଧରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକର ଯୋଜନା କରିଥିଲେ। ସେହିପରି ୨୦୧୭ରେ ଭୁଟାନର ଡୋକଲାମକୁ ନେଇ ଚୀନ ସହିତ ଭାରତର ମୁହଁାମୁହଁି ପରିସ୍ଥିତିକୁ ସମାଧାନ କରିବାରେ ଜେନେରାଲ ରାୱତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଭାରତ-ଭୁଟାନ-ଚୀନର ମିଳନସ୍ଥଳ ଡୋକଲାମରେ ଭାରତ-ଚୀନ ସେନାର ୭୩ଦିନ କାଳ ମୁହଁାମୁହଁି ଅବସ୍ଥାରେ ରହିଥିଲେ। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଆତଙ୍କ ଖେଳାଇଆସୁଥିବା ଆତଙ୍କବାଦୀ ସଂଗଠନ ଏନଏସ୍‌ସିଏନ୍‌-କେକୁ ଦମନ କରିବା ଲାଗି ଜେନେରାଲ ରାୱତଙ୍କ ନେତୃତ୍ବରେ ୨୦୧୫ରେ ଭାରତ ସେନା ମ୍ୟାଁମାରରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା। ୪୦ ମିନିଟ୍‌ର ସର୍ଜିକାଲ ଷ୍ଟ୍ରାଇକରେ ୩୮ଜଣ ନାଗା ବିଦ୍ରୋହୀ ପ୍ରାଣ ହରାଇଥିଲେ।
ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କ ପତ୍ନୀ ମଧୁଲିକା ରାୱତ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ତାଙ୍କ ପିତା ହେଉଛନ୍ତି ମଧ୍ୟପ୍ରଦେଶର ରାଜନେତା ସ୍ବର୍ଗତ ମ୍ରିଗେନ୍ଦ୍ର ସିଂହ। ସେ ସେନା ପତ୍ନୀ କଲ୍ୟାଣ ସଂଘ (ଏଡବ୍ଲ୍ୟୁଡବ୍ଲ୍ୟୁଏ)ର ସଭାପତି ରହିଥିଲେ। ଏଡବ୍ଲ୍ୟୁଡବ୍ଲ୍ୟୁଏ ଦେଶର ଏକ ବୃହତ ଏନଜିଓ ଯାହା ସେନା କର୍ମଚାରୀଙ୍କ ପତ୍ନୀ, ସନ୍ତାନ ଓ ଅନ୍ୟ ସଦସ୍ୟଙ୍କୁ ସାହାଯ୍ୟ କରିଥାଏ। ଏହା ପୂର୍ବରୁ ମଧୁଲିକା ବୀର ନାରୀ (ସହିଦଙ୍କ ପତ୍ନୀ), ଭିନ୍ନକ୍ଷମ ଓ ଅନ୍ୟମାନଙ୍କ ପାଇଁ ଅନେକ କଲ୍ୟାଣକାରୀ କାର୍ଯ୍ୟକ୍ରମର ନେତୃତ୍ବ ନେଇଛନ୍ତି। କର୍କଟ ରୋଗ ପୀଡିତଙ୍କୁ ସହାୟତା ନିମନ୍ତେ ମଧ୍ୟ ସେ ଅନେକ ସାମାଜିକ କାର୍ଯ୍ୟକ୍ରମ କରିଛନ୍ତି।

Comments are closed.