ସହଜ ହେଲା ସିବିଏସ୍‍ଇ ଦଶମ ବୋର୍ଡ ପରୀକ୍ଷା

0

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‍ଇ) କର୍ତ୍ତୃପକ୍ଷ ଦଶମ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉତ୍ତୀର୍ଣ୍ଣ ବ୍ୟବସ୍ଥାକୁ ସହଜ କରିଛନ୍ତି। ଛାତ୍ରଛାତ୍ରୀ ଥିଓରୀ ଓ ପ୍ରାକ୍ଟିକାଲରେ ମିଳିତ ଭାବେ ସର୍ବନିମ୍ନ ୩୩ ପ୍ରତିଶତ ନମ୍ବର ରଖିଲେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ ବୋଲି ସିବିଏସ୍‍ଇ ଅଧ୍ୟକ୍ଷା ଅନିତା କରୱାଲ କହିଛନ୍ତି। ଆସନ୍ତା ୨୦୧୯ ବୋର୍ଡ ପରୀକ୍ଷାରୁ ଏହା କାର୍ଯ୍ୟକାରୀ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସିବିଏସ୍‍ଇ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଗୁରୁବାର ପ୍ରକାଶ ପାଇଛି। ପୂର୍ବରୁ ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷାରେ ଅଲଗା ଭାବେ ଉତ୍ତୀର୍ଣ୍ଣ ହେବା ଜରୁରୀ ନୁହେଁ ବୋଲି ସିବିଏସ୍‍ଇ ପକ୍ଷରୁ କୁହାଯାଇଥିଲା। ଏଣିକି ଇଣ୍ଟରନାଲ ପରୀକ୍ଷା ଓ ବୋର୍ଡ ପରୀକ୍ଷାରେ ଭିନ୍ନଭିନ୍ନ ଭାବେ ଉତ୍ତୀର୍ଣ୍ଣ ହେବା ନେଇ ପ୍ରଚଳିତ ବ୍ୟବସ୍ଥାର ଉଚ୍ଛେଦ ହେବ। ପ୍ରାକ୍ଟିକାଲ କିମ୍ବା ଇଣ୍ଟରନାଲ ଆସେସ୍‍ମେଣ୍ଟ ପରୀକ୍ଷାରେ ଅନୁପସ୍ଥିତ ରହିଲେ ଛାତ୍ରଛାତ୍ରୀ କୌଣସି ବିଷୟରେ ଶୂନ୍ୟ ନମ୍ବର ପାଇବେ ଓ ମୋଟ ନମ୍ବର ସେହି ଅନୁସାରେ ହିସାବ କରାଯିବ; କିନ୍ତୁ ଥିଓରୀ ପରୀକ୍ଷାରେ ଯଦି ୩୩ ପ୍ରତିଶତରୁ ଅଧିକ ରଖିଥିଲେ ତାଙ୍କୁ ଉତ୍ତୀର୍ଣ୍ଣ ଘୋଷଣା କରାଯିବ। ଅର୍ଥାତ୍‍ ଇଣ୍ଟରନାଲ ଓ ବୋର୍ଡ ପରୀକ୍ଷାରେ ମୋଟ ୩୩ ପ୍ରତିଶତ ନମ୍ବର ରଖୁଥିଲେ ଛାତ୍ରଛାତ୍ରୀ ଆଉ ଅକୃତକାର୍ଯ୍ୟ ହେବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଏହି ଅବସରରେ ସିବିଏସ୍‍ଇ ପକ୍ଷରୁ ୨୦୧୯ ଫେବୃଆରୀରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା କରାଯିବା ସଂକ୍ରାନ୍ତରେ ଘୋଷଣା କରାଯାଇଛି। ଏହି ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଧନ୍ଦାମୂଳକ ବିଷୟଗୁଡ଼ିକ ଘୋଷଣା କରାଯିବା ସହ ସମାନ ସମୟରେ ଏହାର ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply