ବଦଳିପାରେ ସିବିଏସ୍‍ଇ ପ୍ରଶ୍ନପତ୍ର ଢାଞ୍ଚା

0

ନୂଆଦିଲ୍ଳୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‍ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚାରେ ପରିବର୍ତ୍ତନ ଆଣିବା ପାଇଁ ଚିନ୍ତା କରୁଛି। ୨୦୨୦ ଶିକ୍ଷାବର୍ଷରୁ ଏହା କାର୍ଯ୍ୟକାରୀ ହୋଇପାରେ।
ସିବିଏସ୍‍ଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନୂଆ ପରୀକ୍ଷା ପ୍ରଶ୍ନପତ୍ରରେ ଛାତ୍ରଛାତ୍ରୀଙ୍କ ବିଶ୍ଲେଷଣାତ୍ମକ ଦକ୍ଷତାକୁ ଅଧିକ ଗୁରୁ୍‍ତ୍ୱ ଦିଆଯିବ। ପ୍ରଶ୍ନ ପତ୍ରରେ ୧ ରୁ ୫ ନମ୍ବର ବିଶିଷ୍ଟ ସଂକ୍ଷିପ୍ତ ପ୍ରଶ୍ନ ସଂଖ୍ୟା ବୃଦ୍ଧି କରାଯିବ। ସେଗୁଡ଼ିକ ସମସ୍ୟା ସମାଧାନ ଭିତ୍ତିକ ହେବ। ଏହାଫଳରେ ଛାତ୍ରଛାତ୍ରୀମାନେ ଅଧିକ ନମ୍ବର ଆଣିବା ପାଇଁ ପାଠକୁ କେବଳ ଘୋଷି ପରୀକ୍ଷାରେ ଅବିକଳ ଲେଖିବା ବଦଳରେ ଅନୁଶୀଳନ କରିବା ପାଇଁ ଉତ୍ସାହିତ ହେବେ।
ଏଥିସହିତ ସିବିଏସ୍‍ଇ ପକ୍ଷରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ଅନେକ ସଂସ୍କାରମୂଳକ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ଏଥିମଧ୍ୟରେ ମାର୍ଚ୍ଚ ସୁଦ୍ଧା ମୁଖ୍ୟ ପରୀକ୍ଷା ଓ ଫେବୃଆରୀ ସୁଦ୍ଧା ଧନ୍ଦାମୂଳକ ପରୀକ୍ଷା ସମ୍ପୂର୍ଣ୍ଣ, ମୂଲ୍ୟାୟନ ପାଇଁ ଅଧିକ ସମୟ, ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ଏବଂ ନୂଆ ସ୍କୁଲ୍‍କୁ ଅନୁମୋଦନ, ଅନୁମୋଦନର ନବୀକରଣ ଆଦି କ୍ଷେତ୍ରରେ କଠୋର ନୀତି ଅବଲମ୍ବନ ଆଦି ରହିଥିବା ଜଣାପଡ଼ିଛି। ସ୍କୁଲ୍‍ର ଭିତ୍ତିଭୂମି ଯାଞ୍ଚ ଓ ଚୂଡ଼ାନ୍ତ ରିପୋର୍ଟ ଦେବା ଅଧିକାର ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରିବା ପାଇଁ ରିପୋର୍ଟରେ ପ୍ରସ୍ତାବ ରହିଛି।

Leave A Reply