ସୁଶାନ୍ତ ସିଂହଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଆକାଉଣ୍ଟାଣ୍ଟଙ୍କୁ ସିବିଆଇ ଜେରା

ମୁମ୍ବଇ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ସିବିଆଇ ମଙ୍ଗଳବାର ତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସନ୍ଦୀପ ଶ୍ରୀଧର ଓ ପୂର୍ବତନ ଆକାଉଣ୍ଟାଣ୍ଟ ରଜତ ମେୱାଟିଙ୍କୁ ଜେରା କରିଛି। ସାନ୍ତାକ୍ରୁଜସ୍ଥିତ ଡିଆରଡିଓ ଅତିଥି ଭବନରେ ରହୁଥିବା ସିବିଆଇ ତଦନ୍ତକାରୀ ଟିମ୍ ନିକଟରେ ଉଭୟ ଆଜି ହାଜର ହୋଇଥିଲେ। ଏମାନଙ୍କ ବ୍ୟତୀତ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନି, ରୋଷେୟା ନୀରଜ ସିଂହ ଓ ସହାୟକ ଦୀପେଶ ସାୱନ୍ତଙ୍କୁ ମଧ୍ୟ ସିବିଆଇ ଆଜି ପୁଣି ଜେରା କରିଛି। ପୂର୍ବରୁ ସନ୍ଦୀପ କହିଥିଲେ ଯେ ସୁଶାନ୍ତଙ୍କ ଆକାଉଣ୍ଟରେ ୧୫କୋଟି ଟଙ୍କା ଥିବା ନେଇ ଯାହା କୁହାଯାଉଛି ତାହା ଭୁଲ୍। ସୁଶାନ୍ତଙ୍କ ବାପା କେକେ ସିଂହ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ପୁଅର ବ୍ୟାଙ୍କ ଆକାଉଣ୍ଟରେ ୧୫କୋଟି ଟଙ୍କା ଥିଲା ଏହାକୁ ରିୟା ଚକ୍ରବର୍ତ୍ତି ନେଇଯାଇଛନ୍ତି। ସୁଶାନ୍ତଙ୍କର ବନ୍ଧୁ ସନ୍ଦୀପ ସିଂହଙ୍କୁ ସିବିଆଇ ଜେରା କରିବ ବୋଲି ସୂଚନା ମିଳିଛି। ସନ୍ଦୀପଙ୍କ ବ୍ୟବହାରରେ କେତେକ ପରିବର୍ତ୍ତନ ଦେଖାଯାଇଛି। ସିବିଆଇ ମୁମ୍ବଇ ପୁଲିସର ଦୁଇଜଣ ଅଧିକାରୀଙ୍କୁ ଜେରା ଲାଗି ସମନ ଜାରି କରିଛି।