ରାଜପୁତ ମୃତ୍ୟୁ ମାମଲା ତଦନ୍ତରେ କୌଣସିଟି ଦିଗକୁ ବାଦ୍‌ ଦିଆଯାଇ ନାହିଁ: ସିବିଆଇ

ନୂଆଦିଲ୍ଲୀ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇ ଦୀର୍ଘଦିନ ପରେ ନିରବତା ଭାଙ୍ଗିଛି। ଏହି ମାମଲାର ତଦନ୍ତର ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯାଇଛି ଓ ସମ୍ପୂର୍ଣ୍ଣ ପେସାଦାର ଢ଼ଙ୍ଗରେ ତଦନ୍ତ କରାଯାଉଛି। କୌଣସି ଗୋଟିଏ ବି ଦିଗକୁ ବାଦ୍‌ ଦିଆଯାଇ ନାହିଁ ବୋଲି ସିବିଆଇ ବୁଧବାର ଜବାବ ଦେଇଛି। ସିବିଆଇ ପକ୍ଷରୁ କୁହାଯାଇଛି ଯେ ତଦନ୍ତରେ ସମସ୍ତ ଅତ୍ୟାଧୁନିକ ଉପାୟ ଅବଲମ୍ବନ ସହ ବୈଷୟିକ ଯନ୍ତ୍ରପାତି ଓ ସଫ୍ଟଓୟର ମାଧ୍ୟମରେ ବିଶ୍ଳେଷଣ କରାଯାଇଛି। ତଦନ୍ତକାରୀ ଦଳ ପ୍ରତ୍ୟେକ ପରିବେଶ ଓ ପରିସ୍ଥିତିର ଯାଞ୍ଚ କରିଛନ୍ତି। ଏଥିପାଇଁ ଦେଶର ବିଭିନ୍ନ ସ୍ଥାନକୁ ଯାଇ ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇଛି। ସମ୍ପୂର୍ଣ୍ଣ ସ୍ବାଧୀନ ଭାବେ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଏଥିପ୍ରତି କୌଣସି ସନ୍ଦେହର ଅବକାଶ ନାହିଁ ବୋଲି ସିବିଆଇ ଦାବି କରିଛି। ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖି ତଦନ୍ତର ସ୍ଥିତି ସମ୍ପର୍କରେ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସିବିଆଇଠାରୁ ଏହାର ଜବାବ ଲୋଡ଼ାଯାଇଥିଲା; ଯାହାର ଉତ୍ତରରେ ସିବିଆଇ ଏହା କହିଛି। ଜୁନ ୧୪ରେ ରାଜପୁତଙ୍କର ନିଜ ବାସଭବନରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ଏହାକୁ ମୁମ୍ବଇ ପୁଲିସ ଆତ୍ମହତ୍ୟା ବୋଲି କହୁଥିବାବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ଅନେକ ଦାବି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ମାମଲାର ତଦନ୍ତ ସିବିଆଇକୁ ପ୍ରଦାନ କରାଯାଇଥିଲା। ସୁପ୍ରିମକୋର୍ଟ ସିବିଆଇ ତଦନ୍ତକୁ ସମର୍ଥନ କରିଥିଲେ। ଅକ୍ଟୋବରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପକ୍ଷରୁ ଏକ ଡାକ୍ତର ଦଳ ରାଜପୁତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ଦର୍ଶାଇ ରିପୋର୍ଟ ଦେଇଥିଲେ।

Comments are closed.