ସିବିଆଇ ସଙ୍କଟ: ଆସ୍ଥାନାଙ୍କ ବିରୋଧରେ ଆଉ ଏକ ମାମଲା

0

ଦେବେନ୍ଦ୍ର କୁମାରଙ୍କ ଜାମିନ ଆବେଦନର ରାୟ ସଂରକ୍ଷିତ
ନୂଆଦିଲ୍ଲୀ : ଲାଞ୍ଚ କାରବାର ମାମଲାରେ ସିବିଆଇ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନା ବଛାବଛା ନିର୍ଦ୍ଦିଷ୍ଟ ତଥ୍ୟ ଉପସ୍ଥାପନ ପୂର୍ବକ ତଦନ୍ତକୁ ଦିଗହରା କରୁଥିବା ଅଭିଯୋଗ ଦର୍ଶାଇ ସଂସ୍ଥାର ଅତିରିକ୍ତ ଏସ୍‍ପି ଏସ୍‍. ଏସ୍‍. ଗୁର୍ମ ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥିସହ ସିବିଆଇ ଅନ୍ତରୀଣ ମୁଖ୍ୟ ଭାବେ ଏମ୍‍. ନାଗେଶ୍ୱର ରାଓ ଦାୟିତ୍ୱ ଗ୍ରହଣ କରିବା ପରେ ଅନ୍ୟ କେତେକ ଅଧିକାରୀଙ୍କ ସମେତ ତାଙ୍କୁ ମଧ୍ୟପ୍ରଦେଶର ଜବଲପୁର ବଦଳି କରାଯିବା ନିଷ୍ପତ୍ତି ବିରୋଧରେ ଗୁର୍ମ ହାଇକୋର୍ଟରେ ଆବେଦନ କରିଛନ୍ତି। ଆସ୍ଥାନାଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଦଳର ସଦସ୍ୟ ହେଉଛନ୍ତି ଗୁର୍ମ। ସିବିଆଇ ଆସ୍ଥାନାଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ ଦର୍ଶାଇଛନ୍ତି। ଆସ୍ଥାନାଙ୍କ ବିରୋଧରେ ଥିବା ମାମଲାରେ ତାଙ୍କୁ ପକ୍ଷଭୁକ୍ତ କରିବା ଲାଗି ସେ କୋର୍ଟଙ୍କୁ ନିବେଦନ କରିଛନ୍ତି। ଦୁର୍ନୀତି ଅଭିଯୋଗ ନେଇ ତାଙ୍କ ବିରୋଧରେ ରୁଜୁ ଏଫ୍‍ଆଇଆର୍‍ ରଦ୍ଦ କରିବା ନିମନ୍ତେ ଆସ୍ଥାନା ଓ ଡିଏସ୍‍ପି ଦେବେନ୍ଦ୍ର କୁମାର କରିଥିବା ଆବେଦନର ଶୁଣାଣି ଏହି କୋର୍ଟରେ ଜାରି ରହିଛି।
ଅନ୍ୟପଟେ ସିବିଆଇର ଗିରଫ ଅଧିକାରୀ ଦେବେନ୍ଦ୍ର କୁମାରଙ୍କ ଜାମିନ ଆବେଦନ ଉପରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଲାଞ୍ଚ କାରବାର ମାମଲାରେ ତାଙ୍କୁ ଅକ୍ଟୋବର ୨୨ରେ ଗିରଫ କରାଯାଇଥିଲା। କୋର୍ଟ ତାଙ୍କୁ ୧୪ ଦିନ ପ।।ଇଁ ବିଚାରବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ସମସ୍ତ ନିୟମ ଉଲ୍ଲଙ୍ଘନ କରି ଦେବେନ୍ଦ୍ରଙ୍କୁ ଗିରଫ କରାଯାଇଛି ବୋଲି ତାଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢିଛନ୍ତି। ସିବିଆଇର ଦୁଇ ପ୍ରମୁଖ ଅଧିକାରୀ ଆଲୋକ ବର୍ମା ଏବଂ ରାକେଶ ଆସ୍ଥାନା ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପକ୍ଷରୁ ଉଭୟଙ୍କୁ ଦୀର୍ଘ ଦିନ ଛୁଟିରେ ପଠାଯିବା ସହିତ ଏନ୍‍. ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ନିର୍ଦେଶକ ନିଯୁକ୍ତ କରାଯାଇଥିଲା। ମାତ୍ର ଦୁର୍ନୀତି ଅଭିଯୋଗକୁ ଅସ୍ୱୀକାର କରିବା ସହିତ ଉଭୟ ଅଧିକାରୀ ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଛନ୍ତି। ଏଫ୍‍ଆଇଆର୍‍ ରଦ୍ଦ କରିବା ନିମନ୍ତେ ଆସ୍ଥାନା କରିଥିବା ଆବେଦନ ଉପରେ ଶୁଣାଣି କରି ତାଙ୍କୁ ନଭେମ୍ବର ୧ ଯାଏଁ ଗିରଫ ନ କରିବରକୁ ହାଇକୋର୍ଟ ସୋମବାର ନିର୍ଦେଶ ଦେଇଥିଲେ।

Leave A Reply