ମାରୁତିର ପୂର୍ବତନ ଭାରତ ମୁଖ୍ୟ ଜଗଦୀଶ ଖଟ୍ଟରଙ୍କ ଘରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ: କାର୍‌ ନିର୍ମାତା ମାରୁତିର ପୂର୍ବତନ ଭାରତ ମୁଖ୍ୟ ଜଗଦୀଶ ଖଟ୍ଟରଙ୍କ ଘରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ଚଢ଼ାଉ କରାଯାଇଛି। ୧୧୦ କୋଟି ଟଙ୍କାର ଋଣ ଠକେଇ ଅଭିଯୋଗରେ ଜଗଦୀଶଙ୍କ ଘର, କାର୍ଯ୍ୟାଳୟ ସମେତ ଅନ୍ୟ କେତେକ ସ୍ଥାନରେ ଏହି ଚଢ଼ାଉ ହୋଇଥିବା ସିବିଆଇ ପକ୍ଷରୁ ସୂଚନା ମିଳିଛି। ୭୭ ବର୍ଷୀୟ ଜଗଦୀଶ ୨୦୦୮ରେ ମାରୁତି କମ୍ପାନୀ ଛାଡ଼ିଥିଲେ। ଏହା ପରେ ସେ ନିଜର ଏକ କମ୍ପାନୀ ଆରମ୍ଭ କରିଥିଲେ। ଏଥିପାଇଁ ସେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି)ରୁ ଋଣ ନେଇଥିବା ସିବିଆଇ ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ଦର୍ଶାଯାଇଛି। ତେବେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ ବୋଲି ଜଗଦୀଶ ଗଣମାଧ୍ୟମକୁ କହିଛନ୍ତି।

ସୂଚନାଯୋଗ୍ୟ, ଜଗଦୀଶଙ୍କ କମ୍ପାନୀ ନାଁ ହେଉଛି କାର୍ନେଶନ ଅଟୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌। ଏହି କମ୍ପାନୀ ପ୍ରତିଷ୍ଠା ଲାଗି ସେ ୨୦୦୯ରେ ପିଏନବିରୁ ୧୭୦ କୋଟି ଟଙ୍କା ଋଣ ନେଇଥିଲେ। ପରେ କିଛି ଟଙ୍କା ପରିଶୋଧ କରିଥିଲେ। ପାଖାପାଖି ୧୧୦ କୋଟି ଟଙ୍କା ଶୁଝିବାକୁ ବାକି ରହିଥିଲା। ଟଙ୍କା ପରିଶୋଧ ନ କରିବାରୁ ବ୍ୟାଙ୍କ ପକ୍ଷରୁ ୨୦୧୫ ସେପ୍ଟେମ୍ବରରେ ଏହି ଟଙ୍କାକୁ ଏନପିଏ ଘୋଷଣା କରାଯାଇଥିଲା। ଏହା ପରେ ଜଗଦୀଶଙ୍କ ଏବଂ ତାଙ୍କ କମ୍ପାନୀ ପକ୍ଷରୁ ବ୍ୟାଙ୍କ ଦ୍ବାରା ବନ୍ଧକ ରଖାଯାଇଥିବା କିଛି ସାମଗ୍ରୀକୁ ବିକ୍ରି କରାଯାଇଥିଲା ଏବଂ ସେହି ଅର୍ଥକୁ ଅନ୍ୟତ୍ର ବିନିଯୋଗ କରାଯାଇଥିଲା। ବ୍ୟାଙ୍କରେ ସିକ୍ୟୁରିଟି ବାବଦରେ ରଖାଯାଇଥିବା ପ୍ରାୟ ୬୯.୯୨ କୋଟି ଟଙ୍କାର ସାମଗ୍ରୀକୁ କମ୍ପାନୀ ବ୍ୟାଙ୍କର ବିନା ଅନୁମତିରେ ମାତ୍ର ୪.୫୫ କୋଟି ଟଙ୍କାରେ ବିକ୍ରି କରିଦେଇଥିଲା। ଏ ସମ୍ପର୍କରେ ଗତ ଅକ୍ଟୋବର ୧୭ରେ ବ୍ୟାଙ୍କ ପକ୍ଷରୁ ସିବିଆଇ ନିକଟରେ ଅଭିଯୋଗ କରାଯିବା ପରେ ଏକ ମାମଲା ରୁଜୁ ହୋଇଛି।

Comments are closed.