୫୦ଲକ୍ଷ ଟଙ୍କାର ଲାଞ୍ଚ କାରବାର, କଂଗ୍ରେସ ନେତା ପି. ଚିଦାମ୍ବରମ୍‍ଙ୍କ ପୁତ୍ରଙ୍କ ଘର ଓ କାର୍ଯ୍ୟାଳୟ ଉପରେ ସିବିଆଇ ଚଢ଼ାଉ

ଡେସ୍କ: ଚେନ୍ନାଇରେ ସି.ବି.ଆଇ. ପକ୍ଷରୁ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମ୍‍ଙ୍କ ପୁତ୍ର କାର୍ତ୍ତି ପି. ଚିଦାମ୍ବରମ୍‍ଙ୍କ କାର୍ଯ୍ୟାଳୟ ଓ ଘର ଉପରେ ଚଢ଼ାଉ କରାଯାଇଛି। କାର୍ତ୍ତି ଚିଦାମ୍ବରମ୍‍ଙ୍କର ମୁମ୍ବାଇ, ଦିଲ୍ଲୀ, କର୍ଣ୍ଣାଟକର କୋପ୍ପଲ ଏବଂ ଓଡ଼ିଶାର ଝାରସୁଗୁଡ଼ାରେ ଥିବା କାର୍ଯ୍ୟାଳୟ ଗୁଡ଼ିକ ସମେତ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। କାର୍ତ୍ତି ଚିଦାମ୍ବରମ୍‍ଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ରୁଜୁକୁ କରାଯାଇଥିବା ଏତଲା ଆଧାରରେ ଏହି ଚଢ଼ାଉ କରାଯାଉଛି।

ସି.ବି.ଆଇ. ପକ୍ଷରୁ କୁହାଯାଇଛି, ପଞ୍ଜାବର ଏକ ବେସରକାରୀ କମ୍ପାନୀ ମନ୍‍ସାଠାରେ ୧୯୮୦ ମେଗାୱାଟ୍‍ ବିଦ୍ୟୁତ୍‍ ପ୍ରକଳ୍ପ ପ୍ରତିଷ୍ଠା କରିଛି ଏବଂ ଚୀନ୍‍ର ଏକ କମ୍ପାନୀରୁ ଏହି କାମ ପାଇଁ ଠିକା ଦିଆଯାଇଥିଲା। କାମ ବିଳମ୍ବ ହେବାରୁ ପୁଣି ୨୬୩ ଜଣ ଚୀନ୍‍ର ଶ୍ରମିକଙ୍କୁ ଆଣିବାକୁ ଉଦ୍ୟମ କରାଯାଇଥିଲା, ଯାହାକି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଶ୍ରମିକ ସଂଖ୍ୟା ସୀମାଠାରୁ ଅଧିକ ଥିଲା। ଏହି ବିବୃତ୍ତିରେ କୁହାଯାଇଛି, ଏହି ଶ୍ରମିକମାନଙ୍କୁ ଆଣିବା ପାଇଁ ୫୦ଲକ୍ଷ ଟଙ୍କାର ଲାଞ୍ଚ କାରବାର ହୋଇଛି। ତେଣେ କାର୍ତ୍ତି ଚିଦାମ୍ବରମ୍‍ କହିଛନ୍ତି, ସି.ବି.ଆଇ.ର ଅଧିକାରୀମାନେ ଚେନ୍ନାଇ ସ୍ଥିତ ବାସଗୃହ ଓ ଦିଲ୍ଲୀ ସ୍ଥିତ ସରକାରୀ ବାସଗୃହ ଉପରେ ଚଢ଼ାଉ କରାଯାଇଥିବା କଥା ତାଙ୍କ ପିତା ପି. ଚିଦାମ୍ବରମ୍‍ ଟ୍ୱିଟ୍‍ କରି ଜଣାଇବା ପରେ ସେ ସବୁକଥା ଜାଣିବାକୁ ସମର୍ଥ ହୋଇଥିଲେ। ଚଢ଼ାଉ ସମୟରେ ସି.ବି.ଆଇ.ର ଅଧିକାରୀମାନେ ଏତଲାରେ କାର୍ତ୍ତି ଚିଦାମ୍ବରମ୍‍ଙ୍କ ନାମ ଥିବା କଥା ଦର୍ଶାଇଥିଲେ କିନ୍ତୁ ଏ ପର୍ଯ୍ୟନ୍ତ କିଛି ଜବତ କରାଯାଇ ନାହିଁ ବୋଲି କାର୍ତ୍ତି ଚିଦାମ୍ବରମ୍‍ ଜଣାଇଛନ୍ତି।

Comments are closed.