ମୁଁ ଚାକିରି ଛାଡ଼ିବି…

ନୂଆଦିଲ୍ଲୀ: ମୁଁ ଚାକିରିରୁ ଇସ୍ତଫା ଦେବାକୁ ଚାହୁଁଛି। ମୋର ପାଇବାକୁ ଥିବା ଅବସରକାଳୀନ ଅର୍ଥକୁ ଅଧିକ ଅର୍ଥ ପାଇଁ ଲାଳାୟିତ ଆଇପିଏସ୍ ଅଧିକାରୀମାନଙ୍କୁ ପ୍ରଦାନ କରିଦେବେ।…ପ୍ରଧାନମନ୍ତ୍ରୀଙ୍କୁ ଏମିତି ଏକ ଚିଠି ଲେଖିଛନ୍ତି ସିବିଆଇ ଅଧିକାରୀ ନମୋ ପ୍ରକାଶ ମିଶ୍ର। କିଛି ଦିନ ପୂର୍ବେ ସେ ଲେଖିଥିବା ଏହି ଚିଠି ଉପରେ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡ଼ିଛି। ମିଶ୍ର ସିବିଆଇରେ ଉପ ଆରକ୍ଷୀ ଅଧୀକ୍ଷକ ପଦରେ କାର୍ଯ୍ୟରତ। ତିନି ଜଣ ବରିଷ୍ଠ ଅଧିକାରୀ ତାଙ୍କ ପ୍ରତି ଆକ୍ରୋଶ ମନୋଭାବ ରଖିବା ସହ ଗତ ତିନି ବର୍ଷ ହେଲା କୌଣସି କାମ ଦେଉ ନାହାନ୍ତି। ଏଥିରେ ହତୋତ୍ସାହିତ ହୋଇ ସେ ଚାକିରିରୁ ଇସ୍ତଫା ଦେବାକୁ ମନସ୍ଥ କରି ଏଭଳି ପତ୍ର ଲେଖିଛନ୍ତି।

ଏହି ଚିଠିରେ ସେ ତିନି ଅଧିକାରୀଙ୍କ ନାମ ଲେଖିଛନ୍ତି। ସେମାନେ ହେଉଛନ୍ତି ଅମିତ କୁମାର, ରାମଗୋପାଳ ଗର୍ଗ ଓ ଅଜୟ ଭଟ୍ଟନାଗର। ଅମିତ ଯୁଗ୍ମ ନିର୍ଦେଶକ ଥିବାବେଳେ ଗର୍ଗ ଅଧୀକ୍ଷକ ଓ ଭଟ୍ଟନାଗର ଅତିରିକ୍ତ ନିର୍ଦେଶକ ଅଛନ୍ତି। ଏହି ତିନି ଆଇପିଏସ୍ ଅଧିକାରୀ ଅତ୍ୟନ୍ତ ଲୋଭୀ ଏବଂ ସେମାନଙ୍କୁ ସବୁବେଳେ ଅଧିକ ଅର୍ଥ ଦରକାର। ଏମାନଙ୍କ ଯୋଗୁଁ ସିବିଆଇ ତାଙ୍କ ପାଇଁ ନର୍କ ପାଲଟିଯାଇଛି। ସେ ଆଉ ଏଠାରେ ଚାକିରି କରିବାକୁ ଚାହୁଁ ନାହାନ୍ତି; ତେଣୁ ଇସ୍ତଫା ପରେ ସେ ପାଇବାକୁ ଥିବା ଅର୍ଥ ଓ ଭତ୍ତା ଏହି ତିନି ଅଧିକାରୀଙ୍କୁ ପ୍ରଦାନ କରିବା ପାଇଁ ମିଶ୍ର ନିବେଦନ କରିଛନ୍ତି।

୨୦୧୯ରେ ମଧ୍ୟ ମିଶ୍ର ଭଟ୍ଟନାଗରଙ୍କ ବିରୋଧରେ ଏକ ମିଛ ଗୁଳି ବିନିମୟ ଘଟଣାରେ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମିଶ୍ର ପୂର୍ବରୁ ଏକାଧିକ ଅଧିକାରୀଙ୍କ ବିରୋଧରେ ଏଭଳି ୫୦ରୁ ୧୦୦ ପତ୍ର ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବାର ଦୃଷ୍ଟାନ୍ତ ରହିଛି। ଏମିତି କି ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିକାକାରୀଙ୍କ ବିରୋଧରେ ଅଭିଯୋଗ କରି ଚିଠି ଲେଖିଥିବାର ଦୃଷ୍ଟାନ୍ତ ମଧ୍ୟ ରହିଛି। ସିବିଆଇର ଜନୈକ ଅଧିକାରୀଙ୍କ ସୂଚନାନୁସାରେ ମିଶ୍ରଙ୍କର ଏଭଳି ବିଶୃଙ୍ଖଳିତ ବ୍ୟବହାର ନେଇ ଅନେକ ଥର ପ୍ରଶ୍ନ ଉଠିଛି। ଏହା ସତ୍ତ୍ବେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସମ୍ପ୍ରତି ଦିଲ୍ଲୀରେ କାର୍ଯ୍ୟରତ ମିଶ୍ରଙ୍କ ବିରୋଧରେ ଏକ ହାଜତ ମୃତ୍ୟୁ ମାମଲା ନେଇ ବିଭାଗୀୟ ତଦନ୍ତ ଚାଲିଛି। ତାଙ୍କର ମସ୍ତିଷ୍କ ବିକୃତି ରହିଥିବା ସମ୍ପୃକ୍ତ ଅଧିକାରୀ ପରିହାସ ଛଳରେ କହିଛନ୍ତି। ମିଶ୍ରଙ୍କ ଦ୍ବାରା ଅଭିଯୁକ୍ତ ତିନି ଅଧିକାରୀ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି।

Comments are closed.