ରାଜୀବ କୁମାରଙ୍କୁ ଗିରଫ ପାଇଁ ସୁପ୍ରିମକୋର୍ଟରେ ସିବିଆଇର ସାନି ଆବେଦନ

ନୂଆଦିଲ୍ଲୀ : ସାରଦା ଚିଟ୍‍ଫଣ୍ଡ୍‍ ଦୁର୍ନୀତି ମାମଲାରେ କଲକାତାର ପୂର୍ବତନ ପୁଲିସ୍‍ କମିଶନର ରାଜୀବ କୁମାରଙ୍କୁ ଗିରଫ  ଓ ହାଜତରେ ପଚରାଉଚରା ପାଇଁ ସିବିଆଇ ସୁପ୍ରିମକୋର୍ଟରେ ସାନି ଆବେଦନ କରିଛି । କୁମାରଙ୍କୁ ଗିରଫ କରିବା ଓ ତାଙ୍କ ବିରୁଦ୍ଧରେ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପାଇଁ କୋର୍ଟ ପୂର୍ବରୁ ଦେଇଥିବା ଆଦେଶକୁ ପରିବର୍ତ୍ତନ କରିବା ନିମନ୍ତେ ସିବିଆଇ ଏହାର ଆବେଦନରେ ଦର୍ଶାଇଛି।

ସୁପ୍ରିମକୋର୍ଟ ତାଙ୍କର ଫେବୃୟାରୀ ୫ ତାରିଖ ରାୟରେ କଲକାତାର ପୂର୍ବତନ ପୁଲିସ ମୁଖ୍ୟଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥା କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି କହିଥିଲେ । କୁମାର ମାମଲା ସମ୍ବନ୍ଧୀୟ କୌଣସି ତଥ୍ୟ ପ୍ରକାଶ କରୁନାହାନ୍ତି ବୋଲି ସିବିଆଇ ଅଭିଯୋଗ କରିବା ସହିତ ତଦନ୍ତକାରୀ ସଂସ୍ଥା ହେପାଜତରେ ତାଙ୍କୁ ପଚରାଉଚୁରା କରାଯିବା ଉଚିତ ହେବ ବୋଲି କହିଛି । ଏହି ମାମଲାରେ ଅନେକ ଗୁଡ଼ିଏ ତଥ୍ୟର ପତ୍ତା ମିଳୁନାହିଁ ବୋଲି ସିବିଆଇ କହିଛି । ସୂଚନାଯୋଗ୍ୟ ରାଜୀବ କୁମାର ସାରଦା ଚିଟ୍‍ଫଣ୍ଡ୍‍ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପଶ୍ଚିମବଙ୍ଗ ପୁଲିସ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍‍ଆଇଟି)ର ମୁଖ୍ୟ ଥିଲେ ।

Comments are closed.