ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ ସିବିଆଇ କରିବ । କେନ୍ଦ୍ର ସରକାର ସିବିଆଇକୁ ତଦନ୍ତ ନିମନ୍ତେ ନିର୍ଦେଶ ଦେଇଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ବିହାର ସରକାରଙ୍କ ସୁପାରିସ ଆଧାରରେ ଏହି ନିର୍ଦେଶ ଦିଆଯାଇଛି ବୋଲି ଶ୍ରୀ ମେହେଟ୍ଟା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିବାବେଳେ ବିହାର ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ସୃଷ୍ଟି ହୋଇଛି ବିବାଦ । ଏପରିକି ଏହି ବିବାଦ ଶିବସେନା ଓ ବିଜେପିକୁ ମଧ୍ୟ ସଂକ୍ରମିତ କରିଛି । ବିଜେପିର କିଛି ନେତା ଏହାର ସିବିଆଇ ତଦନ୍ତ ଦାବି କରିଥିବାବେଳେ ଶିବସେନା ସରକାର ଏହାକୁ ପ୍ରତ୍ୟାଖ୍ୟାନ କରି ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ ବୋଲି କହିଥିଲେ । ମହାରାଷ୍ଟ୍ର ଗୃହ ମନ୍ତ୍ରୀ ରାଜ୍ୟ ପୁଲିସ ଘଟଣାର ତଦନ୍ତ ନିମନ୍ତେ ସକ୍ଷମ ବୋଲି ମତ ଦେଇଥିଲେ ।

ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶଙ୍କ ପତ୍ନୀ ମହାରାଷ୍ଟ୍ର ପୁଲିସକୁ ନିଶାଣ କରିଥିବାବେଳେ ଶିବସେନା ପକ୍ଷରୁ ଏହାର ସମାଲୋଚନା କରାଯାଇଥିଲା । ଏପରିକି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁତ୍ର ସୁଶାନ୍ତ ସିଂହ ରାଜପୁତ ଘଟଣାକୁ ରାସ୍ତା କଡ଼ର ରାଜନୀତି ବୋଲି ଉଲ୍ଲେଖ କରି ସିବିଆଇ ତଦନ୍ତର ଆବଶ୍ୟକତା ନ ଥିବା କହିଥିଲେ । ତେବେ ସୁଶାନ୍ତ ସିଂହ ରାଜପୁତଙ୍କ ପିତାଙ୍କ ଅନୁରୋଧରେ ବିହାର ସରକାର ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ସିବିଆଇ ଦ୍ବାରା କରିବାକୁ କେନ୍ଦ୍ର ସରକାରଙ୍କ ଅନୁରୋଧ କରିଥିଲେ ଏବଂ କେନ୍ଦ୍ର ସରକାର ଏହାକୁ ଗ୍ରହଣ କରି ସିବିଆଇ ତଦନ୍ତ ନିମନ୍ତେ ନିର୍ଦେଶ ଦେଇଛନ୍ତି ।

Comments are closed.