ସିବିଆଇ ଅନ୍ତଃବିବାଦ: ରାକେଶ ଆସ୍ଥାନାଙ୍କୁ କ୍ଲିନଚିଟ୍‌

ନୂଆଦିଲ୍ଲୀ : ସିବିଆଇର ଦୁଇ ବରିଷ୍ଠ ଅଧିକାରୀ ନିର୍ଦେଶକ ଓ ସ୍ବତନ୍ତ୍ର ନିର୍ଦେଶକଙ୍କୁ ନେଇ ୨୦୧୮ରେ ଦେଖାଦେଇଥିବା ଅନ୍ତଃବିବାଦର ଅବସାନ ଘଟିଛି। ଏହି ବିବାଦରେ ଅଭିଯୁକ୍ତ ଦର୍ଶାଯାଇଥିବା ସିବିଆଇର ପୂର୍ବତନ ସ୍ବତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କୁ କ୍ଲିନଚିଟ୍ ମିଳିଛି। ରାକେଶଙ୍କ ସହିତ ଡିଏସପି ଦେବିନ୍ଦର କୁମାରଙ୍କୁ ମଧ୍ୟ ସିବିଆଇ କ୍ଲିନଚିଟ୍‌ ଦେଇଛି। ଆସ୍ଥାନାଙ୍କ ବିରୋଧରେ ସିବିଆଇର ପୂର୍ବତନ ନିର୍ଦେଶକ ଆଲୋକ ବର୍ମା ଲାଞ୍ଚ ନେବା ଅଭିଯୋଗ ପୂର୍ବକ ମାମଲା ରୁଜୁ କରୁଥିଲେ। ହାଇଦରାବାଦର ଜଣେ ବ୍ୟବସାୟୀ ସତୀଶ ବାବୁ ସାନାଙ୍କ ଅଭିଯୋଗକ୍ରମେ ଆସ୍ଥାନାଙ୍କ ବିରୋଧରେ ଦୁର୍ନୀତି, ଫୌଜଦାରୀ ଷଡଯନ୍ତ୍ର, ଦୁର୍ବ୍ୟବହାର ଭଳି ଅଭିଯୋଗ ଆରୋପ କରାଯାଇଥିଲା। ଆଲୋକ ବର୍ମାଙ୍କ ପ୍ରରୋଚନା କ୍ରମେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଥିବା ଆସ୍ଥାନ କହିଥିଲେ। ମାମଲା ଆଧାରରେ ସିବିଆଇ ଏହାର ତଦନ୍ତ କରିଥିଲା। ତଦନ୍ତରେ ଆସ୍ଥାନା ଲାଞ୍ଚ ନେବା କିମ୍ବା ଦୁର୍ନୀତି କରିବା ନେଇ କୌଣସି ପ୍ରମାଣ ମିଳି ନଥିଲା। ସତୀଶ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ ଆସ୍ଥାନା ବିବାଦୀୟ ମାଂସ ବ୍ୟବସାୟୀ ମୋଇନ କ୍ୟୁରେସି ଠାରୁ ଲାଞ୍ଚ ନେଇ ସେମାନଙ୍କୁ ଘଣ୍ଟ ଘୋଡାଉଛନ୍ତି। ମନୋଜ ପ୍ରସାଦ ନାମକ ବ୍ୟକ୍ତି ମାଧ୍ୟମରେ ଲାଞ୍ଚ କାରବାର ହୋଇଥିବା କହିଥିଲେ। ମାତ୍ର ମନୋଜ ଓ ଆସ୍ଥାନାଙ୍କ ମଧ୍ୟରେ କୌଣସି ପ୍ରକାର ଯୋଗାଯୋଗ ହୋଇ ନଥିବା ତଦନ୍ତରୁ ଜଣାପଡିଥିଲା। ୨୦୧୮ ଅକ୍ଟୋବର ୧୫ରେ ବର୍ମା ଦାୟର କରିଥିବା ଏଫଆଇଆରରେ ସାମନ୍ତ ଗୋଏଲଙ୍କ ନାମ ଉଲ୍ଲେଖ କରିଥିଲେ। ଗୋଏଲ ଏବେ ର’ ମୁଖ୍ୟ ଅଛନ୍ତି।

Comments are closed.