ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

0

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସବିଆଇ) ମାମଲାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଶୁକ୍ରବାର ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ସମେତ ଦେଶର ବିଭିନ୍ନ ରାଜ୍ୟରେ ଥିବା ସିବିଆଇ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିବିଆଇ ନିର୍ଦେଶକ ଅଲୋକ ବର୍ମାଙ୍କୁ ଛୁଟିରେ ପଠାଯିବା ଘଟଣାକୁ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯିବା ସହ ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭର ନେତୃତ୍ୱ ନେଇଥିଲେ। କଂଗ୍ରେସର ବରିଷ୍ଠ ନେତା ଓ କର୍ମୀଙ୍କ ସହ ରାହୁଲ ଗାନ୍ଧୀ ସକାଳ ୧୧ଟା ବେଳେ ଲୋଦୀ ରୋଡ଼ସ୍ଥିତ ଦୟାଲ ସିଂହ କଲେଜ ନିକଟରୁ ଶୋଭାତ୍ରାରେ ବାହାରି ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। କାର୍ଯ୍ୟାଳୟଠାରୁ କିଛି ଦୂରରେ ଥିବା ପୁଲିସ୍‍ ବ୍ୟାରିକେଡ଼ ଉପରେ ଚଢି କଂଗ୍ରେସ ନେତାମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଶେଷରେ ପୁଲିସ୍‍ ସେମାନଙ୍କୁ ଗିରଫ କରି ଲୋଦୀ ରୋଡ଼ ଥାନାକୁ ନେଇଥିଲା। କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲ ଟ୍ୱିଟ୍‍ କରି କଂଗ୍ରେସ ନେତାଙ୍କ ସାଂକେତିକ ଗିରଫଦାରୀର ସୂଚନା ଦେଇଥିଲେ ।
ଏହାପରେ ରାହୁଲ ଗାନ୍ଧୀ ସାମ୍ବାଦିକଙ୍କୁ ସମ୍ବୋଧନ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଦୌଡ଼ିବେ ଓ ଲୁଚିବେ, ହେଲେ ଶେଷରେ ସତ୍ୟ ସାମ୍ନାକୁ ଆସିବ। ଆଲୋକ ବର୍ମାଙ୍କୁ ହଟାଇ ପ୍ରଧାନମନ୍ତ୍ରୀଙ୍କ ପଥ ସୁଗମ ହେବନାହିଁ। କଂଗ୍ରେସ ସହ ଦେଶ ବ୍ୟାପୀ ଲୋକ ଏହାର ବିରାଧ କରିବେ।
ଦିଲ୍ଲୀ ଭଳି ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଅନ୍ୟ ରାଜ୍ୟଗୁଡ଼ିକରେ ଥିବା ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ଆଗରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

Leave A Reply