ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲା : ରୋଷେୟା ନୀରଜକୁ ୩ଘଣ୍ଟା ଜେରା କଲା ସିବିଆଇ

ମୁମ୍ବଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଛି। ସିବିଆଇ ଏସପି ନୂପୁର ପ୍ରସାଦଙ୍କ ନେତୃତ୍ବରେ ଏକ ଟିମ୍ ଗୁରୁବାର ସନ୍ଧ୍ୟାରେ ମୁମ୍ବଇରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଛନ୍ତି। ସିବିଆଇ ଟିମ୍ ଶୁକ୍ରବାର ବାନ୍ଦ୍ରା ପୁଲିସ ଷ୍ଟେସନରେ ପହଞ୍ଚି ଆବଶ୍ୟକ କାଗଜପତ୍ର ସଂଗ୍ରହ କରିଛନ୍ତି। ପ୍ରଥମ ଦିନରେ ସିବିଆଇ ଟିମ୍‌ ସୁଶାନ୍ତଙ୍କ ରୋଷେୟା ନୀରଜଙ୍କୁ ଜେରା କରିଛି। ମୃତ୍ୟୁ ପୂର୍ବ ଦିନ ଜୁନ୍‌ ୧୩ ତାରିଖ ରାତିରେ ସୁଶାନ୍ତଙ୍କ ଘରେ କଣ ଘଟିଥିଲା ଓ ଘରେ କେଉଁମାନେ ଉପସ୍ଥିତି ଥିଲେ ଆଦି ବିଷୟରେ ସିବିଆଇ ନୀରଜଙ୍କୁ ପଚରା ଉଚରା କରିଛି। ରାତିରେ ସୁଶାନ୍ତ ଠିକ୍ ଭାବେ ଖାଇଥିଲେ କି ନାହିଁ।

ସାଙ୍ଗସାଥୀମାନେ କେତେ ରାତି ପର୍ଯ୍ୟନ୍ତ ସୁଶାନ୍ତଙ୍କ ସହିତ ରହିଥିଲେ ଆଦି ବିଷୟରେ ନୀରଜଙ୍କୁ ପ୍ରାୟ ତିନିଘଣ୍ଟା ଜେରା କରାଯାଇଥିବା ଜଣାଯାଇଛି। ମୁମ୍ବଇ ଯାଇଥିବା ସିବିଆଇ ଟିମ୍ ସହିତ ଫରେନସିକ୍ ବିଭାଗର ୫ଜଣିଆ ଟିମ୍ ସାମିଲ ହୋଇଛି। ସିବିଆଇ ଟିମ୍‌କୁ ୩ଟି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଟିମ୍ ମୁମ୍ବଇ ପୁଲିସ ଠାରୁ ମିଳିଥିବା କେସ ଡାଏରୀ ଓ ଫରେନସିକ୍ ରିପୋର୍ଟକୁ ଯାଞ୍ଚ କରିବ। ଦ୍ବିତୀୟ ଟିମ୍ ଘଟଣା ସହିତ ଜଡିତ ଲୋକଙ୍କ ବୟାନ ରେକର୍ଡ କରିବ। ଏହା ସହିତ ମୁମ୍ବଇ ପୁଲିସ ଯେଉଁସବୁ ବୟାନ ରେକର୍ଡ କରିଛି ତାକୁ ଅନୁଧ୍ୟାନ କରିବ। ତୃତୀୟ ଟିମ୍ ସୁଶାନ୍ତଙ୍କ ଫ୍ଲାଟରେ ଆତ୍ମହତ୍ୟା ଘଟଣାର ପୁନଃସର୍ଜନା କରିବ। ସୁଶାନ୍ତଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ଏହାକୁ ପୁନଃସର୍ଜନା କରାଇବା ସମୟରେ ଶୋଇବା ଖଟ ଓ ସିଲିଂ ଫ୍ୟାନ ମଧ୍ୟରେ ଦୂରତା ଥିଲା। ଯେଉଁ କୁର୍ତ୍ତାରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ ତାକୁ ମଧ୍ୟ ସିବିଆଇ ଯାଞ୍ଚ କରିବ। ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରୀ ଦଳକୁ ଜେରା କରିବା, ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଆଦିକୁ ଯାଞ୍ଚ କରାଯିବ।

ଘଟଣାରେ ଜଡିତ ବ୍ୟକ୍ତି ବିଶେଷଙ୍କୁ ଜେରା କରିବା ଲାଗି ସିବିଆଇ ଆବଶ୍ୟକ ପ୍ରଶ୍ନ ପ୍ରସ୍ତୁତ କରିଛି। ପ୍ରଥମେ ବ୍ୟକ୍ତିଗତ ଜେରା ପରେ ମୁହାଁମୁହିଁ ଜେରା କରାଯିବ। ଅଗଷ୍ଟ ୧୯ରେ ସୁପ୍ରିମକୋର୍ଟ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ନିମନ୍ତେ ନିର୍ଦେଶ ଦେଇଥିଲେ। ଜୁନ ୧୪ରେ ସୁଶାନ୍ତ ସିଂହଙ୍କ ମୃତଦେହ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିଲା।

Comments are closed.