ବୋଫୋର୍ସ ମାମଲା: ସୁପ୍ରିମକୋର୍ଟରେ ସିବିଆଇର ଆବେଦନ ଖାରଜ

0

ନୂଆଦିଲ୍ଲୀ : ବୋଫର୍ସ ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଏହି ମାମଲାରେ ହିନ୍ଦୁଜା ଭ୍ରାତାଙ୍କ ସମେତ ଅନ୍ୟ କେତେକ ଅଭିଯୁକ୍ତଙ୍କୁ ଦିଲ୍ଲୀ ହାଇକୋର୍ଟ ୨୦୦୫ ମେ’୩୧ରେ ଦୋଷମୁକ୍ତ କରିବା ଘଟଣାକୁ ବିରୋଧ କରି ସିବିଆଇ ପକ୍ଷରୁ ୨୦୧୮ ଫେବୃଆରୀ ୨ରେ ଏହି ଆବେଦନ କରାଯାଇଥିଲା। ଆବେଦନ କରିବାରେ ୪୫୨୨ ଦିନ ବିଳମ୍ବ ହୋଇଥିବାରୁ ସଂସ୍ଥା ପକ୍ଷରୁ କୋର୍ଟଙ୍କ ନିକର୍ଟରେ କ୍ଷମାପ୍ରାର୍ଥନା ମଧ୍ୟ କରାଯାଇଥିଲା। ମାତ୍ର ମାମଲାର ତଦନ୍ତ ପୁନଃ ଆରମ୍ଭ କରିବା ନେଇ ସିବିଆଇ ଯେଉଁ ଯୁକ୍ତି ବାଢିଛି ତାହା ଯଥାର୍ଥ ନୁହେଁ ବୋଲି ଦର୍ଶାଇ ଆବେଦନଟିକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ପୀଠ ଖାରଜ କରିଦେଇଛନ୍ତି। ଫଳରେ ଦୀର୍ଘ ୧୩ ବର୍ଷ ପରେ ବୋଫର୍ସ ଦୁର୍ନୀତି ମାମଲାର ତଦନ୍ତ ପୁନଃ ଆରମ୍ଭ କରିବା ନେଇ ସିବିଆଇର ଉଦ୍ୟମ ବିଫଳ ହୋଇଛି। ତେବେ ହାଇକୋର୍ଟଙ୍କ ରାୟ ବିରୋଧରେ ଆଇନଜୀବୀ ଅଜୟ ଅଗ୍ରୱାଲଙ୍କ ଦ୍ୱାରା ଦାଖଲ ଅନ୍ୟ ଏକ ଆବେଦନର ଶୁଣାଣି ବେଳେ ସଂସ୍ଥା ନିଜର ଏହି ଯୁକ୍ତିଗୁଡିକ ଉପସ୍ଥାପନ କରିପାରିବ ବୋଲି ପୀଠ କହିଛନ୍ତି। ସିବିଆଇର ଆବେଦନ ଖାରଜ ଦ୍ୱାରା ସଂସ୍ଥାର ତଦନ୍ତ ପ୍ରକ୍ରିୟାରେ କୌଣସି ବାଧା ସୃଷ୍ଟି ହେବ ନାହିଁ ବୋଲି ସ୍ପଷ୍ଟ କରିବାକୁ ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ ପୀଠଙ୍କୁ ନିବେଦନ କରିଥିଲେ। ମାତ୍ର ପୀଠ ନିଜ ରାୟରେ ଏ ସମ୍ବନ୍ଧରେ କିଛି ଉଲ୍ଲେଖ କରିନାହାନ୍ତି।
ଉଲ୍ଲେଖ ଯେ, ଅଗ୍ରୱାଲଙ୍କ ଆବେଦନ ବିଚାରାଧୀନ ଥିବା ବେଳେ ଏନ୍‍ଡିଏ ସରକାର କ୍ଷମତାକୁ ଆସିବା ପରେ ସିବିଆଇ ହାଇକୋର୍ଟଙ୍କ ରାୟ ବିରୋଧରେ ଅନ୍ୟ ଏକ ଆବେଦନ କରିବାକୁ ପ୍ରସ୍ତୁତ ହୋଇଥିଲା। ମାତ୍ର ହାଇକୋର୍ଟ ରାୟ ପ୍ରକାଶ ପାଇବାର ଦୀର୍ଘ ଦିନ ବିତିଯାଇଥିବାରୁ ତାହା ବିରୋଧରେ ଆବେଦନ ନ କରିବାକୁ ବେଣୁଗୋପାଳ ସଂସ୍ଥାକୁ ପରାମର୍ଶ ଦେଇଥିଲେ। ଆଇନ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବା ପରେ ସିବିଆଇ ଅଧିକ ତଥ୍ୟ ପ୍ରମାଣ ସହିତ ହାଇକୋର୍ଟଙ୍କ ନିର୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।
୪୦୦ଟି ୧୫୫ ଏମ୍‍ଏମ୍‍ ହୁଇଟଜର ବନ୍ଧୁକ ଭାରତୀୟ ସେନାକୁ ଯୋଗାଇ ଦେବା ଲାଗି ୧୯୮୬ ମାର୍ଚ୍ଚ ୨୪ରେ ଭାରତ ଓ ସ୍ୱିଡେନର ଏ.ବି. ବୋଫର୍ସ କମ୍ପାନୀ ମଧ୍ୟରେ ୧,୪୩୭ କୋଟି ଟଙ୍କାର ଚୁକ୍ତି ହୋଇଥିଲା। ମାତ୍ର ଏହି କାରବାର ହାସଲ ଲାଗି କମ୍ପାନୀ ଭାରତୀୟ ରାଜନେତା ତଥା ପ୍ରତିରକ୍ଷା ଅଧିକାରୀଙ୍କୁ ଲାଞ୍ଚ ପ୍ରଦାନ କରିଥିବା ନେଇ ୧୯୮୭ ଏପ୍ରିଲ ୧୬ରେ ସ୍ୱିଡେନ୍‍ର ରେଡିଓ ଅଭିଯୋଗ ଆଣିଥିଲା। ଅଭିଯୋଗକୁ ଭିତ୍ତି କରି ୧୯୯୦ ଜାନୁଆରୀ ୨୨ରେ ସିବିଆଇ ଏଫ୍‍ଆଇଆର୍‍ ରୁଜୁ କରିଥିଲା। ୧୯୯୯ ଅକ୍ଟୋବର ୨୨ରେ ସବିଆଇ ପ୍ରଥମ ଅଭିଯୋଗଫର୍ଦ ଦାଖଲ କରି ଚଡ୍ଡା, ଓଟାଭିଓ କ୍ୱାତ୍ରୋକି ଏବଂ ତତ୍‍କାଳୀନ ପ୍ରତିରକ୍ଷା ସଚିବ ଏସ୍‍. କେ. ଭଟ୍ଟନାଗର ଏବଂ ବୋଫର୍ସ କମ୍ପାନୀକୁ ଅଭିଯୁକ୍ତ କରିଥିଲା। ୨୦୦୦ ଅକ୍ଟୋବର ୯ରେ ଦାଖଲ ଅତିରିକ୍ତ ଅଭିଯୋଗଫର୍ଦରେ ହିନ୍ଦୁଜା ଭ୍ରାତାଙ୍କୁ ଅଭିଯୁକ୍ତ କରାଯାଇଥିଲା। କ୍ୱାତୋକିଙ୍କୁ ଭାରତ ପ୍ରତ୍ୟର୍ପଣ ଲାଗି ୨୫୦ କୋଟି ଟଙ୍କା ଖର୍ଚ୍ଚ ସାରିଥିବା ବେଳେ ଦେଶ କଷ୍ଟରେ ଉପର୍ଜିତ ଅଧିକ ପୁଞ୍ଜି ଏ ଦିଗରେ ଖର୍ଚ୍ଚ କରିପାରିବ ନାହିଁ ବୋଲି ଦର୍ଶାଇ ସିବିଆଇ କୋର୍ଟ ୨୦୧୧ରେ ମାମଲାରୁ ତାଙ୍କୁ ମୁକ୍ତ କରିଥିଲେ। ଏହି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମ ମଧ୍ୟ ଉଠିଥିଲା। ମାତ୍ର ୨୦୦୫ରେ ଦିଲ୍ଲୀ ହାଇକୋର୍ଟ ରାଜୀବଙ୍କୁ ଦୋଷମୁକ୍ତ କରିବା ସହ ବୋଫର୍ସ କମ୍ପାନୀ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୪୬୫ ଅଧୀନରେ ମାମଲା ରୁଜୁ କରିବାକୁ କହିଥିଲେ।

Leave A Reply