କୋଇଲା ଦୁର୍ନୀତି : ୪୫ସ୍ଥାନରେ ସିବିଆଇ ଚଢ଼ଉ

ନୂଆଦିଲ୍ଲୀ : କୋଇଲା ଦୁର୍ନୀତି ମାମଲାରେ ସିବିଆଇ ଶନିବାର ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ସମେତ ୪ଟି ରାଜ୍ୟର ୪୫ଟି ସ୍ଥାନରେ ଚଢ଼ଉ କରିଛି। ପଶ୍ଚିମବଙ୍ଗର ସର୍ବାଧିକ ସ୍ଥାନରେ ଚଢ଼ଉ ହୋଇଥିବାବେଳେ ଉତ୍ତର ପ୍ରଦେଶ ଓ ବିହାରର କେତେକ ସ୍ଥାନରେ ମଧ୍ୟ ଚଢ଼ଉ ହୋଇଛି। ଇଷ୍ଟର୍ଣ୍ଣ କୋଲ୍‌ ଫିଲ୍ଡ ଲିମିଟେଡ ଅଧୀନରେ ଥିବା କୁନୁସ୍ତୋରିଆ ଓ କାଜୋରିଆ ଖଣିରୁ ବ୍ୟାପକ ବେଆଇନ କୋଇଲା ଉତ୍ତୋଳନ ହୋଇଥିବା ଅଭିଯୋଗ ପରିପ୍ରେକ୍ଷୀରେ ଏହି ଚଢ଼ଉ କରାଯାଇଛି। ଏ ନେଇ ଶୁକ୍ରବାର ଦାୟର ଏତଲାରେ କମ୍ପାନୀର ଦୁଇ ଜେନେରାଲ ମ୍ୟାନେଜର, ମୁଖ୍ୟ ସୁରକ୍ଷା ଅଧିକାରୀ ଓ କିଛି ଅନ୍ୟ ଅଧିକାରୀଙ୍କ ନାମ ରହିଛି। ଏଥିସହିତ ଅନୁପ ମାଝି ନାମକ ଜଣେ ବ୍ୟବସାୟୀଙ୍କ ନାମ ରହିଛି; ଯେ କି ବିଭିନ୍ନ ରାଜନୈତିକ ଦଳକୁ ଅନୁଗୃହୀତ କରି ବେଆଇନ ଖଣି କାରବାରକୁ ପ୍ରୋତ୍ସାହିତ କରୁଥିଲେ ବୋଲି ଏତଲାରୁ ଜଣାପଡ଼ିଛି। ପଶ୍ଚିମବଙ୍ଗରେ ଅନୁପ ଏହି ଦୁର୍ନୀତିର ମୁଖ୍ୟ ବୋଲି ସିବିଆଇ ଦର୍ଶାଇଛି। ଆସାନସୋଲସ୍ଥିତ ତାଙ୍କ ବାସଭବନ ସହ ଦୁର୍ଗାପୁର, ବର୍ଦ୍ଧମାନ ଜିଲାର ରାଣୀଗଞ୍ଜ, ଦକ୍ଷିଣ ୨୪ପ୍ରଗଣା ଜିଲା ଅନ୍ତର୍ଗତ ବିଷ୍ଣୁପୁର ଏବଂ ମାଝିଙ୍କ ସହଯୋଗୀଙ୍କର ଅନ୍ୟ କେତେକ ସ୍ଥାନରେ ଚଢ଼ଉ କରାଯାଇଛି। ଅନୁପ (ଲାଲା) ପଶ୍ଚିମବଙ୍ଗ-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ଓପନକାଷ୍ଟ ଖଣି କାରବାର ଚଳାଇଥିବା ପ୍ରକାଶ। ଆୟକର ବିଭାଗ ପକ୍ଷରୁ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ରହିଛି। ଆସାନସୋଲଠାରେ ଏହି ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ଧନଞ୍ଜୟ ରାୟଙ୍କ ଘରେ ଚଢ଼ଉ ସମୟରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ କୁନୁସ୍ତୋରିଆ କୋଇଲା କ୍ଷେତ୍ରର ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ସିବିଆଇ ଅଧିକାରୀମାନେ ତାଙ୍କ ଘଝରେ ପହଞ୍ଚିବାବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ନିକଟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଲକାତା ଗସ୍ତ ସମୟରେ ଅନୁପଙ୍କ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଅନୁପଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର କାହିଁକି ଏତେ ଦରଦ ବୋଲି ସେ ପ୍ରଶ୍ନ କରିଥିଲେ। ସିବିଆଇ ଏକ ଗୋ-ଚାଲାଣ ରାକେଟ ଉପରୁ ପରଦା ହଟାଇଛି। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାରୁ ଇମାନୁଏଲ ହକ୍‌ ନାମକ ଏହି ରାକେଟର ମୁଖ୍ୟଙ୍କୁ ସିବିଆଇ ଗିରଫ କରିଛି।

Comments are closed.