ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଗୁମ୍ଫା ଡ୍ୟାମ, ଜରୁରୀ ପାରିପାର୍ଶ୍ବିକ ବିକାଶ ଓ ସୁରକ୍ଷା

- ଉପସ୍ଥାପନା: ଅଶୋକ ନାରାୟଣ ଭୋଇ

ବଲାଙ୍ଗିର ଜିଲାର ଉପାନ୍ତ ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ପଞ୍ଚାୟତର ଆଦିବାସୀ ବହୁଳ ଛତରଙ୍ଗ ଗ୍ରାମର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଗୁମ୍ଫାଡ୍ୟାମ ଲୋକଙ୍କୁ ଟାଣିଆଣୁଥିବା ବେଳେ ଅବହେଳିତ ଅବସ୍ଥାରେ ରହିଛି ଏହାର ସୁରକ୍ଷା ଏବଂ ବିକାଶ ଅପେକ୍ଷାରେ।

ବଙ୍ଗୋମୁଣ୍ଡା ବ୍ଲକର ଜୁରାବନ୍ଧ ପଞ୍ଚାୟତର ଆଦିବାସୀ ବହୁଳ ଛତରଙ୍ଗ ଗ୍ରାମ। ଛତରଦାଣ୍ଡି ଜଙ୍ଗଲର ପାଦଦେଶରେ ଆବାହ ମାନ କାଳରୁ ଗଢିଉଠିଛି ଜନବସତି। ଛତରଦାଣ୍ଡି ଜଙ୍ଗଲରୁ ବହି ଆସୁଥିବା ଝରଣା ପାଣିକୁ ଆବଦ୍ଧ ରଖି ଜଳସେଚନ ଉଦ୍ଦେଶ୍ୟରେ ୧୯୭୨ ମସିହାରେ ଗୁମ୍ଫା ଡ୍ୟାମର ନିର୍ମାଣ କାମ ଆରମ୍ଭ ହୋଇଥିଲା।୧୯୮୫ ମସିହାରେ ଡ୍ୟାମ କାମ ଶେଷ ହୋଇଥିଲା। ୩୫ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ଏହି ଡ୍ୟାମକୁ ଗତ କିଛି ବର୍ଷ ହେବ ବୁଲାବୁଲି ଏବଂ ଭୋଜିଭାତ ପାଇଁ ଲୋକଙ୍କ ସୁଅ ଛୁଟୁଥିବା ବେଳେ ଏହା ଅବହେଳିତ ଅବସ୍ଥାରେ ରହିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଏହି ପ୍ରକଳ୍ପ ନିର୍ମାଣ ସମୟରେ ଅଫିସ ଗୃହ ସହ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ। ଅଫିସ ଗୃହ ଭଙ୍ଗା ଦଦରା ହୋଇଯାଇଥିବା ବେଳେ ଜଳସେଚନ ନିମନ୍ତେ ଡ୍ୟାମରୁ ପାଣି ନିଷ୍କାସନ ବ୍ୟବସ୍ଥା ବର୍ତ୍ତମାନ ଅଚଳ ହୋଇପଡିଛି। ପାଣି ନିଷ୍କାସନ ବ୍ୟବସ୍ଥା ଅଚଳ ହୋଇପଡିଥିବାରୁ ଛତରଙ୍ଗ, ତାଲଚକେଲ ଗ୍ରାମର ଅନେକ ଚାଷୀ ଜଳସେଚନ ରୁ ବଞ୍ଚିତ ହୋଇଯାଉଥିବା ଅଞ୍ଚଳର କିଛି ଚାଷୀ କହନ୍ତି। ଡ୍ୟାମର ଚତୁଃପାର୍ଶ୍ବରେ ପାହାଡ ଏବଂ ବୃକ୍ଷଲତା ଘେରି ରହିଥିବାରୁ ଏହାର ମନୋରମ ଦୃଶ୍ୟ ଏବଂ ଡ୍ୟାମର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଲୋକଙ୍କ ଆଗମନ ବୃଦ୍ଧି ପାଉଛି। ଛତରଦାଣ୍ଡି ପାହାଡରୁ ଝରିଆସିଥିବା ଚାମ ସିଲେଟ ଝରଣାର ଜଳ କୁ ପାହାଡ ପାଦଦେଶରେ ସଂରକ୍ଷଣ ରଖିବା ପାଇଁ ଡ୍ୟାମ ନିର୍ମାଣ କରାଯାଇଛି। କୃଷି କାର୍ଯ୍ୟ ପାଇଁ ଏହି ଜଳକୁ ବ୍ୟବହୃତ କରାଯାଇଥାଏ।

ଡ୍ୟାମ ନିକଟରେ ଅନେକ ଲୋକ ଭୋଜିଭାତ ଜମାଇବା ପାଇଁ ଆସିଥିବା ବେଳେ ଶାନ୍ତ ପରିବେଶରେ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଅନେକେ ଛୁଟି ଆସିଥାନ୍ତି। ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି ଯାଉଥିବା ଏହି ଡ୍ୟାମକୁ ଲୋକଙ୍କ ଆଗମନ ବୃଦ୍ଧି ପାଉଥିବାରୁ ଆବଶ୍ୟକ ବ୍ୟବସ୍ଥା ସହିତ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦାବି ଜୋର ଧରିବାରେ ଲାଗିଛି।

ଡ୍ୟାମ ନିକଟରେ ଗାଁର ମୁନସୀରାମ ପହରିଆ ଏକ ଚାଳ ଛପର ଘରେ ୩୦ ବର୍ଷ ରୁ ଊର୍ଦ୍ଧ୍ବ ହେବ ପୂଜା କରିଆସୁଛନ୍ତି। ଏହି ମନ୍ଦିରକୁ ଅନେକ ଭକ୍ତଙ୍କ ଭିଡ ଜମିଥାଏ। ମନ୍ଦିର ନିର୍ମାଣ ସହ ଆଲୁଅ, ସୌନ୍ଦର୍ଯ୍ୟ କରଣ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ପାର୍କ, ଆଦି ବ୍ୟବସ୍ଥା କରାଯାଇ ପର୍ଯ୍ୟଟନର ମାନ୍ୟତା ଦେବା ପାଇଁ ଦାବି ହେଉଛି। ଛତରଦାଣ୍ଡି ଜଙ୍ଗଲର ପାଶ୍ୱବର୍ତ୍ତୀ ଅଞ୍ଚଳରେ ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଥିବା ବେଳେ ଛତରଦାଣ୍ଡିର ସଂରକ୍ଷଣ ପାଇଁ ଗୁମ୍ଫା ଡ୍ୟାମର ବିକାଶ ଏବଂ ସୁରକ୍ଷା ପାଇଁ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି। ଅଞ୍ଚଳର ଆର୍ତ୍ତତ୍ରାଣ ଭୋଇ, ପୁରନ୍ଦର ଭୋଇ, ଆଦିବାସୀ ନେତା ଡିଙ୍ଗର ଭୋଇ, ସୁରେଶ ଭୋଇ, ବ୍ରଜ ଭୋଇ, ଯୁଗଳ କିଶୋର ପହରିଆ, ପୁରୁଷୋତ୍ତାମ ହଂସ, ମନୁ ଭୋଇ, ତୀର୍ଥ ଭୋଇ, ଗଣେଶ ହଂସ, ଜଗବନ୍ଧୁ ଭୋଇ, ଶ୍ୟାମ ଭୋଇ ପ୍ରମୁଖ ଏହାର ସୁରକ୍ଷା ଏବଂ ବିକାଶ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି।

ପାହାଡ ଉପରୁ ଝରି ଆସୁଥିବା ପାଣି ଗାଧୋଇବା ପାଇଁ ଦୈନିକ ଶହ ଶହ ଲୋକ ଛୁଟି ଆସୁଛନ୍ତି ଛତରଙ୍ଗ। ଗୁମ୍ଫା ଡ୍ୟାମରୁ ପାହାଡ ଉପରକୁ ପ୍ରାୟ ଅଧା ଘଣ୍ଟାଏରୁ ଅଧିକ ସମୟ ଚାଲିଲା ପରେ ପଡେ ଚାମସିଲେଟ ଝରଣା। ପାହାଡ ଉପରୁ ଝରି ଆସିଥିବା ଏହି ଝରଣାର କେତେକ ସ୍ଥାନରେ ୧୦ ଫୁଟ ଉପରୁ ତଳକୁ ପାଣି ପଡୁଥିବା ସ୍ଥାନରେ ଗାଧୋଇବା ପାଇଁ ଦୈନିକ ଶତାଧିକ ଲୋକଙ୍କ ଭିଡ ଜମୁଛି। ଲକଡାଉନ ସମୟରେ ଉପଭୋଗ କରିବା ପାଇଁ ଅନେକେ ଏହି ସ୍ଥାନକୁ ପହଞ୍ଚି ଗାଧୋଇବାର ମଜା ଉଠାଉଥିବା ଦେଖିବାକୁ ମିଳୁଛି। ଝରଣା ପାଣିରେ ଗାଧୋଇବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଲୋକେ ଧାଇଁ ଆସୁଛନ୍ତି। ଏହି ସ୍ଥାନକୁ ରାସ୍ତା ଏବଂ ଆବଶ୍ୟକ ବ୍ୟବସ୍ଥା କରାଗଲେ ବହୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ। ଉପାନ୍ତ ଅଞ୍ଚଳରେ ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଶାନ୍ତ ପରିବେଶ ଲୋକଙ୍କୁ ଟାଣି ଆଣୁଛି। ଲୋକେ ଝରଣା ପାଣିରେ ଗାଧୋଇବାର ମଜା ନେବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଫଟୋ ଉଠାଇବା ଅନେକ ଯୁବପୀଢି ଧାଇଁ ଆସୁଛନ୍ତି।

Comments are closed.