୭ ଗୋରୁ ଚାଲାଣ ଗାଡ଼ି ଜବତ; ୨ ଗିରଫ

କଣ୍ଟିଲୋ : କଣ୍ଟିଲୋ ନିକଟସ୍ଥ ବଡ଼ବାଣପୁର ପଞ୍ଚାୟତ ଅନ୍ତର୍ଗତ ବାରଖୋଲା ଜଙ୍ଗଲ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଖଣ୍ଡପଡା ଓ କଣ୍ଟିଲୋ ପୁଲିସ ମିଳିତଭାବେ ଚଢ଼ଉ କରି ୭ଟି ଗୋରୁ ବୋଝେଇ ଦଶ ଚକିଆ ଟ୍ରକକୁ ଜବତ କରିଛି । ଟ୍ରକରୁ ୮୮ ଗୋରୁ ଉଦ୍ଧାର କରିବା ସହ ଏଥିରେ ସଂପୃକ୍ତ ୨ ଜଣଙ୍କୁ ପୁଲିସ ଗିରଫ କରିଛି । ଗୋରୁଗୁଡ଼ିକୁ ଖଣ୍ଡପଡା ବ୍ଲକ କିଆଝରରେ ଥିବା ଏକ ଗୋଶାଳାକୁ ପଠାଇ ଦିଆଯାଇଛି । ପ୍ରବଳ ଗ୍ରୀଷ୍ମରେ ଗୋରୁଗୁଡ଼ିକ ଦୟନୀୟଭାବେ ଟ୍ରକରେ ଥିବା ବେଳେ କଣ୍ଟିଲୋ ପୁଲିସ ସେମାନଙ୍କ ଉପରେ ପାଣି ପକାଇଥିଲା । ଖଣ୍ଡପଡ଼ା ସର୍କଲ ଏସ ଡ଼ି ପି ଓ ଶ୍ରୀନିବାସ ମହାନ୍ତି ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ଖଣ୍ଡପଡ଼ା ଆଇ. ଆଇ. ସି. ବିମଳକୁମାର ମଲ୍ଲିକ, କଣ୍ଟିଲୋ ଫାଣ୍ଡି ଅଧିକାରୀ ଜୟପ୍ରକାଶ ପରିଡା ଓ ଏ. ଏସ. ଆଇ ଅରୁଣକୁମାର ଜେନାଙ୍କ ସମେତ କନେଷ୍ଟବଲ ଚଢ଼ାଉରେ ସାମିଲ ଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳର ଗ୍ରାମରକ୍ଷୀ ସହାୟତା କରିଥିଲେ । ଗୋରୁ ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା । ତେବେ ଖଣ୍ଡପଡା ଥାନାରେ ଏକ ମୋକଦ୍ଦମା ରୁଜୁ କରାଯାଇ ସମସ୍ତ ଟ୍ରକ ଜବତ କରାଯାଇଛି ।

ଗିରଫ ଦୁଇଜଣ ହେଲେ ଡ୍ରାଇଭର ଶେଖ ସୋଲମାନ ଗ୍ରାମ କୁସୁପଲା ଜିଲା ଖୋର୍ଦ୍ଧାର ହୋଇଥିବା ବେଳେ ହେଲପର ସେହି ଗ୍ରାମର ଅନିଲ ପାତ୍ର ବୋଲି ଜଣାପଡ଼ିଛି । ଅନ୍ୟମାନେ ରାତି ଅନ୍ଧାରର ସୁଯୋଗନେଇ ଫେରାର ହୋଇ ଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।

Comments are closed.