ଡେବିଟ୍‍ କାର୍ଡ ବିନା ଏଟିଏମରୁ ବାହାର କରିହେବ ଟଙ୍କା

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‍ବିଆଇ), ଆଇସିଆଇସିଆଇ ଏବଂ ଆକ୍ସିସ୍‍ ବ୍ୟାଙ୍କର ଗ୍ରାହକମାନେ ବିନା ଡେବିଟ୍‍ କାର୍ଡରେ ଏଟିଏମରୁ ଟଙ୍କା ବାହାର କରିପାରିବେ। ଏହି ୩ ବ୍ୟାଙ୍କ ଏଥିପାଇଁ ପୃଥକ ଆପ ବିକଳ୍ପ ସୁବିଧା ଆରମ୍ଭ କରିଛନ୍ତି। ତେବେ ଆପ ମାଧ୍ୟମରେ ଟଙ୍କା ବାହାର କରିବାର ବ୍ୟବସ୍ଥା ଟିକିଏ ଅଲଗା ରହିଛି।
ଏସ୍‍ବିଆଇ ଏଥିପାଇଁ ‘ୟୁ ଓନଲି ନିଡ୍‍ ୱାନ୍‍’ (ୟୋନୋ) ମୋବାଇଲ ବ୍ୟାଙ୍କିଂ ଏବଂ ଲାଇଫଷ୍ଟାଇଲ ଆପ ସେବା ଆରମ୍ଭ କରିଛି। ଏହାଦ୍ୱାରା ଅର୍ଥ ନିବେଶ, କିଣାବିକା, ବିଲ୍‍ ଦେୟ, ରିଚାର୍ଜ, ଯାତ୍ରା ଟିକେଟ୍‍ ବୁକ୍‍ କରିବା ସହ ୟୁପିଆଇ ମାଧ୍ୟମରେ ଟଙ୍କା ସ୍ଥାନାନ୍ତର (ଟ୍ରାନ୍ସଫର) କରିହେବ। ଏହାସହ ଏହି ଆପ ମାଧ୍ୟମରେ ଡେବିଟ୍‍ କାର୍ଡ ବ୍ୟବହାର ବିନା ଏଟିଏମ୍‍ରୁ ଟଙ୍କା ବାହାର କରିହେବ। ଏଥି ନିମନ୍ତେ ଏସବିଆଇ ଗ୍ରାହକଙ୍କୁ ୟୋନୋ ଆପ ଡାଉନଲୋଡ କରିବାକୁ ପଡ଼ିବ। ଏହାପରେ ନେଟ୍‍ ବ୍ୟାଙ୍କିଂ ୟୁଜର ଆଇଡି ଏବଂ ପାସୱାର୍ଡ କିମ୍ବା ମୋବାଇଲ ବ୍ୟାଙ୍କିଂ ପର୍ସନାଲ ଆଇଡିଣ୍ଟିଫିକେଶନ୍‍ ନମ୍ବର (ଏମ୍‍ପିଆଇନି) ସହାୟାତରେ ଲଗ୍‍ଇନ୍‍ କରିବାକୁ ପଡ଼ିବ। ଏହି ଆପ ଦ୍ୱାରା ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏସ୍‍ଏମ୍‍ଏସ୍‍ ଯୋଗେ ୬ ସଂଖ୍ୟା ବିଶିଷ୍ଟ ଏକ ପିନ୍‍ ମିଳିବ। ଏହି ନମ୍ବରକୁ ଏଟିଏମ୍‍ରେ ଭରି ଆପଣ ଟଙ୍କା ଉଠାଇ ପାରିବେ। ଏଥିପାଇଁ ଆପଣଙ୍କୁ ମାତ୍ର ୩୦ ମିନିଟ୍‍ ସମୟ ମିଳିବ। ୩୦ ମିନିଟ ମଧ୍ୟରେ ନିକଟ କୌଣସି ଏସ୍‍ବିଆଇ ଏଟିଏମ୍‍ରୁ ଗ୍ରାହକ ଟଙ୍କା ଉଠାଇ ପାରିବେ। ଏହି ପ୍ରକ୍ରିୟାରେ ଗୋଟିଏ ଥରରେ ୫୦୦ରୁ ନେଇ ୧୦୦୦୦ ପର୍ଯ୍ୟନ୍ତ ଟଙ୍କା ଉଠାଇ ହେବ। ଗୋଟିଏ ଦିନରେ ୨୦ ହଜାରରୁ ଅଧିକ ଟଙ୍କା ଉଠାଇ ହେବ ନାହିଁ। ଦେଶର ୧୬,୫୦୦ ଏସ୍‍ବିଆଇ ଏଟିଏମ୍‍ରେ ଏହି ସୁବିଧା ଉପଲବ୍ଧ ରହିଛି। ଆଇସିଆଇସିଆଇ ଏବଂ ଆକ୍ସିସ୍‍ ବ୍ୟାଙ୍କ ମଧ୍ୟ ଅନୁରୂପ ଆପ ସେବା ଆରମ୍ଭ କରିଛନ୍ତି। ଉଭୟ ବ୍ୟାଙ୍କର ଆପ ସେବା ବ୍ୟବହାର ପ୍ରକ୍ରିୟା ୟୋନୋ ଆପଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି।

Comments are closed.