ପଡ଼ୋଶୀ ଜିଲ୍ଲାକୁ ଗଲା ୪ ଜିଲ୍ଲାର ମାମଲା

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବିରେ ଓକିଲ ଆନ୍ଦୋଳନ ଯୋଗୁଁ ବିଚାର ବ୍ୟବସ୍ଥାରେ ଦୀର୍ଘ ଦିନ ହେଲା ଲାଗି ରହିଥିବା ଗୁରୁତର ଅଚଳାବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଚଳ କୋର୍ଟର ମାମଲାଗୁଡ଼ିକୁ ନିକଟବର୍ତ୍ତୀ ସଚଳ କୋର୍ଟକୁ ସ୍ଥାନନ୍ତର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ସମ୍ବଲପୁର ଜିଲ୍ଲାର ସର୍ବାଧିକ ୨୦, ଝାରସୁଗୁଡ଼ା ଜିଲ୍ଲାର ୧୦ ଏବଂ ଦେବଗଡ଼ ଓ ବଲାଙ୍ଗିର ଜିଲ୍ଲାର ୮ଟି ଲେଖାଏଁ କୋର୍ଟର ମାମଲା ବରଗଡ଼, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ଥାନାନ୍ତର କରାଯାଇଛି। ହାଇକୋର୍ଟଙ୍କ ସହିତ ପରାମର୍ଶ ଓ ଓଡ଼ିଶା ସିଭିଲ କୋର୍ଟ ଆକ୍ଟ ୧୯୮୪ ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ରାଜ୍ୟ ନ୍ୟାୟିକ ବ୍ୟବସ୍ଥା ଓ ବେଞ୍ଚ ଆନ୍ଦୋଳନ; ଉଭୟ ଦୃଷ୍ଟିକୋଣରୁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି। ସୂଚନାଯୋଗ୍ୟ ଯେ ଏହି ୪ ଜିଲ୍ଲାରେ ୧ ଲକ୍ଷ ୨୧ ହଜାର ୧୩୬ ମାମଲା ଗଡ଼ୁଛି। ସେଥିରୁ ସମ୍ବଲପୁର ଜିଲ୍ଲାରେ ସର୍ବାଧିକ ୬୮ ହଜାର ୨୮, ବଲାଙ୍ଗିର ଜିଲ୍ଲାରେ ୩୬ ହଜାର ୬୦୩, ଝାରସୁଗୁଡ଼ା ଜିଲ୍ଲାରେ ୨୮ ହଜାର ୯୨୨ ଓ ଦେବଗଡ଼ ଜିଲ୍ଲାରେ ୭୫୮୩ଟି ମାମଲା ଅନ୍ତର୍ଭୁକ୍ତ। ସୁପ୍ରିମକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପରେ ଅନ୍ୟ ଜିଲ୍ଲାଗୁଡ଼ିକରେ ଓକିଲମାନେ ପ୍ରାୟତଃ କାର୍ୟ୍ୟରେ ଯୋଗ ଦେଇଛନ୍ତି।

ହାଇକୋର୍ଟ ବେଞ୍ଚ ଦାବିରେ ଓକିଲଙ୍କ କାର୍ୟ୍ୟବନ୍ଦ ଯୋଗୁଁ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ କୋର୍ଟକଚେରି ଅଚଳ ହୋଇପଡ଼ିଛି। ଶୁଣାଣି ହୋଇ ନ ପାରିବାରୁ ବିଭିନ୍ନ କୋର୍ଟରେ ପାହାଡ଼ ଭଳି ମାମଲା ପଡ଼ିଛି। ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚତମ ନ୍ୟାୟାଳୟ ଗତ ଡିସେମ୍ବର ୬ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ଉଚ୍ଚତମ ନ୍ୟାୟାଳୟ ‘ପିଏଲଆର ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ବନାମ ମହାନଦୀ କୋଲଫିଲ୍‌ଡ’ ମାମଲାର ଶୁଣାଣି କରି ପାଖର ଯେଉଁ କୋର୍ଟ ସଚଳ ଅଛି ସେଠାକୁ ଅଚଳ କୋର୍ଟଗୁଡ଼ିକର ଅଧିକାରୀ ଓ କର୍ମଚାରୀ ଏବଂ ମାମଲା ସ୍ଥାନାନ୍ତର କରିବାକୁ ଓଡ଼ିଶା ହାଇକୋର୍ଟଙ୍କୁ ନିର୍ଦେଶ ଦେଇଥିଲେ। ଜାନୁଆରୀ ୧୩ ତାରିଖରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ଣ୍ଣପୀଠ ବସି ଉଚ୍ଚତମ ନ୍ୟାୟାଳୟଙ୍କ ଏହି ଆଦେଶ କାର୍ୟ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ କେଉଁ ଜିଲ୍ଲାର କେଉଁ କେଉଁ କୋର୍ଟ ପୂରା ଅଚଳ, କେଉଁ କୋର୍ଟ ଆଂଶିକ ବାଧାପ୍ରାପ୍ତ ଓ ନିକଟବର୍ତ୍ତୀ କେଉଁ ଜିଲ୍ଲାର କେଉଁ କୋର୍ଟ ସଂପୂର୍ଣ୍ଣ ସ୍ୱାଭାବିକ ଭାବେ ଚାଲିଛି ତା’ର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ନିକଟବର୍ତ୍ତୀ ସଚଳ କୋର୍ଟକୁ ମାମଲା ସ୍ଥାନାନ୍ତରଣ ନେଇ ରାଜ୍ୟପାଳଙ୍କ ନିର୍ଦେଶ ଅନୁସାରେ ଫେବ୍ରୁଆରୀ ୧୩ ତାରିଖରେ ରାଜ୍ୟ ସରକାରଙ୍କ ଆଇନ ବିଭାଗର ବିଜ୍ଞପ୍ତି (ସଂଖ୍ୟା ୨୦୮୪/ ତା: ୧୩.୦୨.୨୦) ପ୍ରକାଶ ପାଇଛି। ଏହି କ୍ରମରେ ସମ୍ବଲପୁର ଜିଲ୍ଲାର ମାମଲା ବରଗଡ଼ ଜିଲାକୁ, ଝାରସୁଗୁଡ଼ା ଜିଲ୍ଲାର ମାମଲା ସୁନ୍ଦରଗଡ଼ ଜିଲ୍ଲାକୁ, ଦେବଗଡ଼ ଜିଲ୍ଲାର ମାମଲା କେନ୍ଦୁଝର ଜିଲ୍ଲାକୁ ଓ ବଲାଙ୍ଗିର ଜିଲ୍ଲାର ମାମଲା ଟିଟିଲାଗଡ଼ ଓ ସଇଁତଲା କୋର୍ଟକୁ ସ୍ଥାନାନ୍ତର କରାଯାଇଛି।

ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ବଲାଙ୍ଗିର ଜିଲ୍ଲା ସଦର ମହକୁମାର ୭ଟି ବିଭିନ୍ନ କୋର୍ଟ ସହିତ ଲୋଇସିଂହାର ଜେଏମଏଫସି କୋର୍ଟର ମାମଲାଗୁଡ଼ିକୁ ଏହି ଜିଲ୍ଲାର ଟିଟିଲାଗଡ଼ ଓ ସଇଁତଲା କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ସେଥିରୁ ବଲାଙ୍ଗିର ଜିଲ୍ଲା ସେସନ୍ସ କୋର୍ଟ, ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ, ପୋକ୍ସୋ, ଏସସିଏସଟି ଓ ଏନଡିପିଏସ ସ୍ୱତନ୍ତ୍ର କୋର୍ଟର ମାମଲାଗୁଡ଼ିକୁ ଏହି ଜିଲ୍ଲାର ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ବଲାଙ୍ଗିର ଜିଲ୍ଲା ଦେୱାନୀ କୋର୍ଟ ମାମଲାଗୁଡ଼ିକୁ ଟିଟିଲାଗଡ଼ ସିଭିଲ ଜଜ୍‌ ସିନିଅର ଡିଭିଜନ କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ବଲାଙ୍ଗିର ଏସଡିଜେଏମ ଓ ଜେଏମଏଫସି ଏବଂ ଲୋଇସିଂହା ଜେଏମଏଫସି କୋର୍ଟର ମାମଲା ଏହି ଜିଲ୍ଲାର ସଇଁତଲା ଜେଏମଏଫସି କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ବଲାଙ୍ଗିର ଜିଲ୍ଲାର ଏହି ସବୁ କୋର୍ଟରେ ୩୬ ହଜାର ୬୦୩ଟି ମାମଲା ଗଡ଼ୁଛି। ଦେବଗଡ଼ ଜିଲ୍ଲା ସଦର ମହକୁମାର ୭ଟି ବିଭିନ୍ନ କୋର୍ଟ ଏବଂ ରିଆମାଳ ସିଭିଲ ଜଜ୍‌ ଜୁନିଅର ଡିଭିଜନ କୋର୍ଟର ମାମଲାଗୁଡ଼ିକୁ କେନ୍ଦୁଝର ଜିଲ୍ଲା ସଦର ମହକୁମାର ବିଭିନ୍ନ କୋର୍ଟଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ ଦେବଗଡ଼ ଜିଲ୍ଲାର ବିଭିନ୍ନ କୋର୍ଟରେ ୭୫୮୩ ମାମଲା ଗଡ଼ୁଛି। ଝାରସୁଗୁଡ଼ା ଜିଲ୍ଲାର ୧୦ଟି କୋର୍ଟର ମାମଲା ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମାର ବିଭିନ୍ନ କୋର୍ଟକୁ ସ୍ଥାନାନ୍ତର ହୋଇଛି। ଏଥିରେ ଜିଲ୍ଲା ସଦର ମହକୁମାର ୯ ଓ ଲଖନପୁର ଜେଏମଏଫସି କୋର୍ଟ ଅଛି। ସମ୍ବଲପୁର ଜିଲ୍ଲାର ସର୍ବାଧିକ ୨୦ଟି ବିଭିନ୍ନ କୋର୍ଟର ମାମଲାଗୁଡ଼ିକୁ ବରଗଡ଼ ଜିଲ୍ଲା ସଦର ମହକୁମାର କୋର୍ଟଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ସମ୍ବଲପୁର ଜିଲ୍ଲା ସଦର ମହକୁମାର ୧୫, କୁଚିଣ୍ଡା ଉପଖଣ୍ଡର ୩ ଓ ରେଢ଼ାଖୋଲ ଉପଖଣ୍ଡର ୨ଟି କୋର୍ଟର ମାମଲା ବରଗଡ଼ କୋର୍ଟକୁ ସ୍ଥାନାନ୍ତର କରାଯାଇଛି।

Comments are closed.