ଜୟାପ୍ରଦାଙ୍କ ପ୍ରତି ଆଜମ ଖାନଙ୍କ ଅରୁଚିକର ମନ୍ତବ୍ୟକୁ ନେଇ ବିବାଦ ତେଜିଲା; ଥାନାରେ ମାମଲା

ରାମପୁର: ଉତ୍ତର ପ୍ରଦେଶର ରାମପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ ଜୟା ପ୍ରଦାଙ୍କ ପ୍ରତି ସମାଜବାଦୀ ପାର୍ଟି(ଏସପି) ନେତା ଆଜମ ଖାନଙ୍କ ଅଶ୍ଳୀଳ ଏବଂ ଅରୁଚିକର ମନ୍ତବ୍ୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏ ସମ୍ପର୍କରେ ସ୍ଥାନୀୟ ଥାନାରେ ଏତଲା ଦିଆଯିବା ପରେ ଆଜମ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଇପିସି ଧାରା ୫୦୯ ଏବଂ ଲୋକ ପ୍ରତିନିଧିତ୍ଵ ଅଧିନିମୟ ଧାରା ୧୨୫ ଅନୁସାରେ ମାମଲା ରୁଜୁ ହେବା ସହ ପୁଲିସ ଏହାର ତଦନ୍ତ କରୁଛି। ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ମଧ୍ୟ ଆଜମ ଖାନଙ୍କୁ ନୋଟିସ ଜାରି କରାଯାଇଛି।

ଅନ୍ୟପଟେ ସୋମବାର ଆଜମ ଖାନ କହିଛନ୍ତି ଯେ, ତାଙ୍କ ମନ୍ତବ୍ୟକୁ ଗଣମାଧ୍ୟମରେ ବିକୃତ କରାଯାଇଛି। ସେ ଯାହା କହିଛନ୍ତି ତାହାକୁ ତ୍ରୁଟିପୂର୍ଣ୍ଣ ଭାବେ ଉପସ୍ଥାପନ କରାଯାଇଛି। ସେ ମନ୍ତବ୍ୟ ଦେବା ସମୟରେ କାହାର ନାଁ ନେଇ ନ ଥିଲେ ମଧ୍ୟ ଗଣମାଧ୍ୟମରେ ଜୟା ପ୍ରଦାଙ୍କ ନାଁ ନିଆଯାଉଛି। ଯଦି ସେ ଦୋଷୀ ପ୍ରମାଣିତ ହୁଅନ୍ତି ତେବେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମୁଁ ରାମପୁରରୁ ୯ଥର ବିଧାୟକ ହୋଇଛି। କାହାକୁ କ’ଣ କୁହାଯିବା ଉଚିତ ତାହା ମୁଁ ଭଲଭାବେ ଜାଣିଛି। ମୁଁ ମନ୍ତବ୍ୟ ଦେବା ସମୟରେ କାହାର ନାମ ନେଇଥିବା ଯଦି କେହି ପ୍ରମାଣ କରିଦିଅନ୍ତି ତାହେଲେ ନିର୍ବାଚନରୁ ଓହରିଯିବି ବୋଲି ଆଜମ କହିଛନ୍ତି।

Comments are closed.