୭୦ବର୍ଷ ପରେ ବ୍ରିଟେନର ନୂଆ ରାଜା

ଚାର୍ଲସ୍‌-୩ଙ୍କ ରାଜାଭିଷେକ ସହ ‘ରାଜା ଯୁଗ’କୁ ଫେରିଲା ବ୍ରିଟେନ୍‌

ଲଣ୍ଡନ: ଦୀର୍ଘ ୭ଦଶନ୍ଧି ପରେ ବ୍ରିଟେନ୍‌ରେ ରାଜାଭିଷେକ ହୋଇଛି। ବ୍ରିଟେନ୍‌ ରାଜଗାଦିରେ ଦୀର୍ଘ ୭୦ ବର୍ଷରୁ ଅଧିକ କାଳ ବସିଥିବା ମହାରାଣୀ ଏଲିଜାବେଥ୍‌-୨ଙ୍କର ଗତ ସେପ୍ଟେମ୍ବର ୯ରେ ମୃତ୍ୟୁ ପରେ ୭୪ ବର୍ଷୀୟ ଯୁବରାଜ ଚାର୍ଲସ୍‌ ରାଜା ହୋଇଥିଲେ; କିନ୍ତୁ ବିଧିବଦ୍ଧ ଭାବେ ସେ ଶନିବାର ସିଂହାସନ ଆରୋହଣ କରିଛନ୍ତି। ବସ୍ତୁତଃ ୧୯୫୩ ପରଠାରୁ ପ୍ରଥମ ଥର ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ୧୯୩୭ ପରେ ଜଣେ ରାଜା ଶାସନ ଗାଦିକୁ ଫେରିଛନ୍ତି। ଏଥିସହିତ ଦେଶରେ ରାଣୀଙ୍କ ଯୁଗ ପରେ ରାଜାଙ୍କ ଶାସନ ଆରମ୍ଭ ହୋଇଛି। ଚାର୍ଲସ୍‌-୩ ବ୍ରିଟେନ୍‌ ତଥା ପୂର୍ବରୁ ଏହାର ଶାସନାଧୀନ ‘ରାଜ୍ୟଗୋଷ୍ଠୀ’ ଅନ୍ତର୍ଗତ ୧୪ଟି ଦେଶର ରାଜା ଭାବେ ପରିଗଣିତ ହୋଇଛନ୍ତି। ବ୍ରିଟିଶ ଇତିହାସରେ ସେ ସବୁଠୁ ବୟସ୍କ ରାଜା ଭାବେ ସିଂହାସନ ଆରୋହଣ କରିଛନ୍ତି। ଏଥିସହିତ ଚାର୍ଲସ୍‌-୩ ବହୁ ‘ପ୍ରଥମ’ର ଅଧିକାରୀ ହୋଇଛନ୍ତି। ୧୦୬୬ ମସିହାଠାରୁ ଅଦ୍ୟାବଧି ୩୯ଜଣ ଶାସନଙ୍କ ଅଭିଷେକ ହେଲାଣି।

ଏଥର ପ୍ରଥମ କରି ମହିଳା ବିଶପ ଓ ଅଣଖ୍ରୀଷ୍ଟିଆନ୍‌ଙ୍କ ଉପସ୍ଥିତି ଲକ୍ଷ୍ୟ କରାଯାଇଛି। ରାଜା ଚାର୍ଲସ୍‌-୩ ଚର୍ଚ୍ଚ ଅଫ ଇଂଲଣ୍ଡର ସୁପ୍ରିମ ଗଭର୍ଣ୍ଣର ହୋଇଛନ୍ତି। ପ୍ରଥମ ଥର ଉତ୍ସବକୁ ରାଜପରିବାର ବାହାରର ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ଧର୍ମର ପ୍ରତିନିଧି ଓ ଅନ୍ୟ ଦେଶର ରାଜାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ପ୍ରାୟ ୨୩୦୦ ଅତିଥି ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ୧୦୦ ବିଶ୍ବନେତା ଥିଲେ। ଉତ୍ସବରେ ଜୈବ ବିବିଧତାକୁ ଗୁରୁତ୍ବ ଦିଆଯାଇଥିଲା। ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ଫୁଲ ଓ ଅନ୍ୟ ସାମଗ୍ରୀକୁ ନିଷିଦ୍ଧ କରାଯିବା ସହ ଦେଶର ବିଭିନ୍ନ ଦିଗରୁ ଋତୁକାଳୀନ ଫୁଲ ଉତ୍ସବରେ ବ୍ୟବହାର ହୋଇଥିଲା। ପୁରୁଣା ବସ୍ତ୍ର ଓ ଅନ୍ୟ ସାମଗ୍ରୀର ଯଥାସାଧ୍ୟ ଉପଯୋଗ ହୋଇଥିଲା। ବିଭିନ୍ନ ସ୍ଥାନରେ ବଡ଼ ପରଦାରେ ଉତ୍ସବର ସିଧା ପ୍ରସାରଣ ପ୍ରଦର୍ଶିତ ହୋଇଥିଲା। ଉତ୍ସବରେ ବ୍ରିଟିଶ ସଂସ୍କୃତି ଓ ପରମ୍ପରା ତଥା ରାଜକୀୟତାର ପ୍ରତିଫଳନ ଘଟିଥିଲା। ଏହି ଐତିହାସିକ ଉତ୍ସବ ଦେଖିବାକୁ ପ୍ରବଳ ଜନଗହଳି ହୋଇଥିଲା। ଏମିତିକି ପୂର୍ବ ରାତିରୁ ଲୋକେ ରାସ୍ତା କଡ଼ରେ ଆସ୍ଥାନ ଜମାଇଥିଲେ।

ଶନିବାର ବଙ୍କିଂହାମ୍‌ ପ୍ରାସାଦରୁ ସ୍ବତନ୍ତ୍ର ରାଜକୀୟ ଯାନ ‘ଡାଇମଣ୍ଡ ଜୁବିଲି ଷ୍ଟେଟ୍‌ କୋଚ୍‌’ରେ ୭୫ବର୍ଷୀୟା ପତ୍ନୀ କାମିଲା ପାର୍କର ବାଉଲ୍ସଙ୍କ ସହ ପ୍ରାୟ ଦୁଇ କିଲୋମିଟର ଶୋଭାଯାତ୍ରାରେ ଯାଇ ୱେଷ୍ଟମିନଷ୍ଟର ଆବେରେ ପହଞ୍ଚିଥିଲେ। ଶୋଭାଯାତ୍ରାରେ ୭ହଜାର ରାଜକୀୟ ତଥା ସରକାରୀ ପୁଲିସ ଓ ୧୯ ସେନା ବ୍ୟାଣ୍ଡ ସାମିଲ ହୋଇଥିଲେ। ଆବେରେ କଣ୍ଟେରବୁରୀ ଆର୍କବିଶପଙ୍କ ନେତୃତ୍ବରେ ଧାର୍ମିକ ପରମ୍ପରା ଅନୁସାରେ ବ୍ରିଟେନ୍‌ ସମୟ ପୂର୍ବାହ୍ଣ ୧୧ଟାରେ ମୁକୁଟ ପରିଧାନ ଓ ସିଂହାସନ ଆରୋହଣ ସହ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ରାଣୀ ଭାବେ କାମିଲା ମଧ୍ୟ ଶପଥପାଠ କରିଥିଲେ। ଏଥିସହିତ ଦେଶର ଜାତୀୟ ସଙ୍ଗୀତ ‘ଗଡ୍‌ ସେଭ୍‌ ଦି କିଙ୍ଗ’ (ଈଶ୍ବର ରାଜାଙ୍କୁ ସୁରକ୍ଷିତ ରଖ) ଗାନ କରାଯାଇଥିଲା। ରାଣୀ ଏଲିଜାବେଥ୍‌ଙ୍କ ସମୟରେ ‘ଗଡ ସେଭ୍‌ ଦି କ୍ବିନ୍‌’ ଗାନ କରାଯାଉଥିଲା। ଉତ୍ସବ ଶେଷରେ ଉଭୟ ରାଜା ରାଣୀ ବଙ୍କିଂହାମ୍‌ ପ୍ରାସାଦକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଭାରତୀୟ ବଂଶୋଦ୍ଭବ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସନକ ଏହି ଉତ୍ସବକୁ ବ୍ରିଟିଶ ସଂସ୍କୃତି, ପରମ୍ପରା ଓ ଇତିହାସର ଗୌରବମୟ ଅଧ୍ୟାୟର ପରିପ୍ରକାଶ ଭାବେ ବର୍ଣ୍ଣନା କରିଥିଲେ। ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପତ୍ନୀ ସୁଦେଶ ଧନଖଡ଼ ସରକାରୀ ଅତିଥି ଭାବେ ଏହି ଉତ୍ସବରେ ଯୋଗ ଦେଇଥିଲାବେଳେ ଅଭିନେତ୍ରୀ ସୋନମ୍‌ କପୁର ମଧ୍ୟ ଉପସ୍ଥିତ ଥିଲେ। ଭାରତରୁ ଅନ୍ୟମାନଙ୍କ ମଧ୍ୟରେ ପୁନେର ସ୍ଥପତି ସୌରଭ ଫାଡକେ, ଦିଲ୍ଲୀର ଗୁଲଫ୍‌ସାନା, କାନାଡାରୁ ଭାରତୀୟ ବଂଶୋଦ୍ଭବ ଜୟ ପଟେଲ, ଲର୍ଡ ଇନ୍ଦ୍ରଜିତ ସିଂହ ଓ ଲର୍ଡ ସୟଦ କମାଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ତମାମ ବିଶ୍ବର ନେତାମାନେ ରାଜା ଚାର୍ଲସ୍‌-୩ଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଅପରପକ୍ଷରେ ନିର୍ବାଚିତ ରାଷ୍ଟ୍ରମୁଖ୍ୟ ପାଇଁ ଦାବି କରିଆସୁଥିବା ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏହି ଉତ୍ସବର ପ୍ରତିବାଦ କରାଯାଇଥିଲା।

Comments are closed.