ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ମଧୁମେହକୁ ନିୟନ୍ତ୍ରଣ କରିବାରେ ଗାଜର ଖୁବ ଉପକାରୀ

ବର୍ଷର ସମସ୍ତ ସମୟରେ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ମିଳିଥାଏ । ବିଶେଷ କରି ଶୀତଦିନରେ ଅନେକ ପ୍ରକାର ଫଳ ଓ ପନିପରିବା ଉପଲବ୍ଧ । ଶୀତଦିନିଆ ପରିବାରେ ସାଲାଡ ପ୍ରସ୍ତୁତ କରି ଖାଇବାକୁ ମଧ୍ୟ ସ୍ୱାଦିଷ୍ଟ ଲାଗିଥାଏ । ସେହିପରି ଥଣ୍ଡା ଦିନରେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ସହ ଏଥିପାଇଁ ଅନ୍ୟ ସମସ୍ତ ଜିନିଷ ସହିତ ଖାଦ୍ୟ ଏବଂ ପାନୀୟ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ତେବେ ଶୀତଦିନର ମିଳୁଥିବା ବିିଭିନ୍ନ ପରିବାର ମଧ୍ୟରୁ ଗାଜର ଗୋଟିଏ ।
ବିଭିନ୍ନ ଗୁଣରେ ପରିପୂର୍ଣ୍ଣ ଥିବା ଗାଜରକୁ ସାଲାଡ ରୂପରେ ଖାଆନ୍ତୁ, ଅଥବା ହାଲୱା କିମ୍ବା ବ୍ୟଞ୍ଜନରେ ଖାଆନ୍ତୁ ଏହା ଖୁବ ଲାଭଦାୟକ । ଏହି ଥଣ୍ଡା ଦିନରେ ଭରପୁର ପୋଷଣ ତତ୍ତ୍ୱ ଓ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଗାଜର ଖାଇବା ନିତାନ୍ତ ଆବଶ୍ୟକ ।
ଯଦିଓ ଆଜିକାଲି ପ୍ରତ୍ୟେକ ଋତୁରେ ଗାଜର ଉପଲବ୍ଧ, କିନ୍ତୁ ଶୀତ ଋତୁରେ  ଆସୁଥିବା ଲାଲ-ଗୋଲାପୀ ଗାଜର ମିଠା ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୁର ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ,ମଧୁମେହକୁ ନିୟନ୍ତ୍ରଣରେ ରଖିବାରେ ଗାଜର ଖୁବ ଉପକାରୀ । ଗାଜରରେ ଫାଇବର ଏବଂ ପାଣି ଭରପୂର ମାତ୍ରାରେ ରହିଛି । ଏହା ଖାଇବା ଦ୍ୱାରା ପେଟ ଭର୍ତ୍ତି ହେବା ଭଳି ମନେ ହୋଇଥାଏ ।
ଗାଜର ବିଟା କାରୋଟିନ୍ ଏବଂ ଭିଟାମିନ୍ ଏ ର ଏକ ଉତ୍ତମ ଉତ୍ସ ଏବଂ ଏହା ଶରୀରରେ ଶର୍କରାର ସ୍ତରକୁ ସନ୍ତୁଳିତ କରିବାରେ ମଧ୍ୟ ସହାୟକ ହୋଇଥାଏ ।
ଗାଜରରେ ଥିବା କ୍ୟାଲସିୟମ ଏବଂ ଭିଟାମିନ୍ କେ ହାଡ଼କୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରେ ।
ଗାଜରରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ହୃଦ ରୋଗରୁ ଆରମ୍ଭ କରି କର୍କଟ ପର୍ୟ୍ୟନ୍ତ ବିପଜ୍ଜନକ ରୋଗର ଆଶଙ୍କା ହ୍ରାସ କରିବାରେ ଏକ ଭୂମିକା ଗ୍ରହଣ କରିଥାଏ ।
ଗାଜରର ନିୟମିତ ସେବନ କରିବା ଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ । ଏଥିରେ ଥିବା ପୋଟାସିୟମ୍ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
ଗାଜର ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିଥାଏ । ଏଥିରେ ଥିବା ଫାଇବର ସଠିକ୍ ହଜମକ୍ରିୟାକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ ଏବଂ ଏହା ପେଟ ସମ୍ବନ୍ଧୀୟ ସମସ୍ୟାରେ ମଧ୍ୟ ଆରାମ ଦେଇଥାଏ ।
ଗାଜରକୁ ମଧ୍ୟମ ପରିମାଣରେ ଖାଆନ୍ତୁ । ଆପଣ ଏହାକୁ ଯେକୌଣସି ସମୟରେ ଭୋଜନରେ କିମ୍ବା  ଜଳଖିଆରେ ଅନ୍ତର୍ଭୁକ୍ତ କରିପାରିବେ । ଏହାକୁ ସୁପରେ ମଧ୍ୟ ବ୍ୟବହାର କରି ଖାଆନ୍ତୁ ।

Comments are closed.