ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରତିଷ୍ଠା ହେବ ‘କ୍ୟାରିୟର ହବ୍‌’

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ନିଜର ପ୍ରଚାର ପ୍ରସାର ପାଇଁ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିବ। ନିଜର ବ୍ରାଣ୍ଡ ପ୍ରମୋସନ୍‌ ପାଇଁ ଫେସ୍‌ବୁକ୍‌, ଟ୍ବିଟ୍‌ର ଭଳି ସୋସିଆଲ ମିଡ଼ିଆକୁ ଉପଯୋଗ କରାଯିବ। ସୋସିଆଲ ମିଡ଼ିଆରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଯୋଡ଼ି ବିଶ୍ବବିଦ୍ୟାଳୟ ସଂକ୍ରାନ୍ତରେ ବିଭିନ୍ନ ସୂଚନା ସହଜରେ ପ୍ରଦାନ କରାଯିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ବିଶ୍ବବିଦ୍ୟାଳୟରେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ସେହିପରି ବିଶ୍ବବିଦ୍ୟାଳୟର ୱେବ୍‌ସାଇଟ୍‌କୁ ଚଳଚଞ୍ଚଳ କରିବା ପାଇଁ ଏକ ଟିମ୍‌ ଗଠନ କରାଯିବ। ବିଶ୍ବବିଦ୍ୟାଳୟର ସମସ୍ତ ସୂଚନା ତତ୍‌କ୍ଷଣାତ୍‌ ପ୍ରଦାନ ପାଇଁ ଯୋଜନା କରାଯାଇଛି। ରୁଷା ପାଣ୍ଠିରୁ ଏହି ନୂତନ ଯୋଜନା ପାଇଁ ଅର୍ଥ ବିନିଯୋଗ କରାଯିବ।
ବିଶ୍ବବିଦ୍ୟାଳୟରେ ମୋଟ ୭ଟି ସେଣ୍ଟର ଫର ଏକ୍ସଲେନ୍ସ ନିର୍ମାଣ କରାଯିବ। ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ଭିତ୍ତିଭୂମିର ବିକାଶ କରାଯିବ। ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀ ପଢୁଥିଲେ ମଧ୍ୟ ଆଶାନୁରୂପ ଭାବେ ନିଯୁକ୍ତି ପାଇପାରୁନାହାନ୍ତି। ଏହି ସମସ୍ୟାର ସମାଧାନ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା। ବିଶ୍ବବିଦ୍ୟାଳୟରେ ‘ଉତ୍କଳ ଇଣ୍ଟରପିନରସିପ୍‌ କ୍ୟାରିୟର ହବ୍‌’ ପ୍ରତିଷ୍ଠା କରିବା ନିଷ୍ପତ୍ତି ନିଆଯାଇଛି। ବିଶ୍ବବିଦ୍ୟାଳୟ ପରିସରରେ ଏକ ହବ୍‌ ପ୍ରତିଷ୍ଠା କରାଯିବ। ଏହି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବାକୁ ଅଭିଜ୍ଞ ପ୍ରଶିକ୍ଷକ ନିଯୁକ୍ତି କରାଯିବ।
ଛାତ୍ରଛାତ୍ରୀ ନିଯୁକ୍ତି ପାଇବା ବଦଳରେ ବ୍ୟବସାୟ କରି କିଭଳି ନିଯୁକ୍ତି ପ୍ରଦାନ କରାଯାଇପାରିବ ତାକୁ ପ୍ରାଥମିକତା ଦିଆଯିବ। ବିଶ୍ବବିଦ୍ୟାଳୟର ଉଚ୍ଚପଦରେ ଅଧିଷ୍ଠିତ ପୁରାତନ ବିଦ୍ୟାର୍ଥୀଙ୍କୁ ପ୍ଲେସ୍‌ମେଣ୍ଟ ସେଲ୍‌ ସହ ଯୋଡ଼ାଯିବ। ସେମାନଙ୍କ ସହାୟତାରେ ବିଦ୍ୟାର୍ଥୀଙ୍କୁ ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ପ୍ରୟାସ କରାଯିବ। ଏହାବ୍ୟତୀତ ଛାତ୍ରଛାତ୍ରୀ କିଭଳି କୁଶଳୀ ଓ ସ୍ବାବଲମ୍ବୀ ହୋଇପାରିବେ ତାକୁ ପ୍ରାଥମିକତା ଦିଆଯିବ। ପାଠ ପଢ଼ା ସହ ବିଦ୍ୟାର୍ଥୀ ପ୍ରାକ୍ଟିକାଲକୁ ଅଧିକ ଗୁରୁତ୍ବ ଦେବା ନେଇ ନିଷ୍ପତ୍ତି ନିଆଯାଇଛି। ଜୁଲାଇରୁ ରୁଷା ପାଣ୍ଠିରୁ ଏହି ସମସ୍ତ ନୂତନ ପ୍ରକଳ୍ପ ପାଇଁ କାମ ଆରମ୍ଭ କରାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କୁଳପତି ସୂଚନା ଦେଇଛନ୍ତି।
ବୈଠକରେ ବିଶ୍ବବିଦ୍ୟାଳୟର ପିଜି କାଉନସିଲ୍‌ ଅଧ୍ୟକ୍ଷା ପ୍ରଫେସର ସବିତା ଆଚାର୍ଯ୍ୟ, ଗବେଷଣା ସଂଯୋଜକ ନିଗମାନନ୍ଦ ଦାସ, ରୁଷା ସଂଯୋଜକ ହିମାଂଶୁ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଦେଶର ବହୁ ଶିକ୍ଷା କନ୍‌ସଲଟାନ୍ସି ସଂସ୍ଥା ଯୋଗଦେଇ ନୂତନ ପ୍ରସ୍ତାବ ଦେଇଥିଲେ। ବିଶ୍ବବିଦ୍ୟାଳୟ ପକ୍ଷରୁ ରୁଷା ପାଣ୍ଠିରେ ଉକ୍ତ ସଂସ୍ଥା ମାଧ୍ୟମରେ ବ୍ରାଣ୍ଡ ପ୍ରମୋସନ୍‌ କରାଯିବ।

Comments are closed.