ପ୍ରାକ୍-ଶୀତ ଓଠର ଯତ୍ନ

ଶୀତର ଲହରୀ ଯଦିଓ ଆରମ୍ଭ ହୋଇନାହିଁ, ହେଲେ ଶୀତୁଆ ସକାଳର ପରଶ ଏବେ ଅନୁଭବ କରିହେଉଛି। ଶୀତଦିନେ ତ୍ବଚା ଓ କେଶର ଯତ୍ନ ନେବା ଜରୁରୀ। କାରଣ ଥଣ୍ଡା ପାଗର ପ୍ରଭାବରେ କେଶ ଝଡ଼ିବା ସହ ତ୍ବଚା ଶୁଷ୍କ ହେବା ଓ ଅନ୍ୟାନ୍ୟ ସମସ୍ୟା ଉପୁଜେ। ଶୀତର ଆରମ୍ଭରୁ ଓଠ ଫାଟିଥାଏ। ସରଳ ଘରୋଇ ଉପଚାରରେ ଓଠର ଯତ୍ନ ନେଇହେବ।
-ବଜାରରେ ବିଭିନ୍ନ କମ୍ପାନୀର ଲିପ୍‌-ସ୍କ୍ରବ୍ ମିଳୁଛି। ସେସବୁ ବ୍ୟବହାର କରିବା ପରିବର୍ତ୍ତେ ଘରେ ସ୍କ୍ରବ୍ ତିଆରି କରି ଓଠରେ ଲଗାନ୍ତୁ। ଏପରି କଲେ ଓଠରୁ ମୃତକୋଷିକା ବାହାରିବା ସହ ଫଟା ସମସ୍ୟା ହୋଇନଥାଏ। ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ଚିନି-ମହୁ ଏକ ଉତ୍ତମ ଓଠ ସ୍କ୍ରବ୍। ଅନ୍ୟ ପ୍ରକାରର ସ୍କ୍ରବ୍ ମଧ୍ୟ ଉପଯୋଗ କରିପାରିବେ।
-ଏକ ଛୋଟ ପାତ୍ରରେ ପ୍ରଥମେ ଚିନି ୨ ଚାମଚକୁ ଦରଦର କରି ବାଟି ରଖନ୍ତୁ। ସେଥିରେ ନଡ଼ିଆ ତେଲ ଅଳ୍ପ, ଭିଟାମିନ୍ ଇ ତେଲ ମିଶାଇ ରଖିବେ। ସାମଗ୍ରୀକୁ ଭଲରେ ମିଶାଇବା ପରେ ସେଥିରେ ଅଧ ଚାମଚ ଡାଲଚିନି ଗୁଣ୍ଡ ମିଶାଇ ଏକ ଛୋଟ ଡବାରେ ଭର୍ତ୍ତି କରିଦେବେ। ​ଦୈନିକ ସକାଳବେଳା ସ୍ନାନ ସମୟରେ ଏହି ସ୍କ୍ରବ୍‌କୁ ଓଠରେ ଲଗାନ୍ତୁ। ୨-୩ ମିନିଟ୍ ଓଠରେ ମାଲିସ୍ କରିବା ପରେ ଥଣ୍ଡା ପାଣିରେ ଧୋଇନେବେ। ଆପଣ ନିଜେ ମଧ୍ୟ ଅନୁଭବ କରିପାରିବେ ଓଠର କୋମଳତା। ଏବେ ଓଠରେ ଘି-କୁଆଁରୀ ରସ ଲଗାଇ କିଛି ସମୟ ଛାଡ଼ିଦେବେ। ସୌନ୍ଦର୍ଯ୍ୟ ବିଶେଷଜ୍ଞ ଶେହନାଜ୍ ହୁସୈନ୍‌ଙ୍କ ମତରେ ଏହା ଏକ ସରଳ ପ୍ରାକ୍-ଶୀତ ଓଠର ଉପଚାର। ନିୟମିତ ଏପରି କଲେ ଓଠ ଫଟା ସମସ୍ୟା ହୋଇନଥାଏ।
-ଲିିପ୍‌ଷ୍ଟିକ୍ ଲଗାଉଥିଲେ, ଘରକୁ ଫେରି ତୁରନ୍ତ ରିମୁଭର୍‌ରେ ପୋଛି ଏଇ ସ୍କ୍ରବ୍ ଲଗାଇପାରିବେ। ନିୟମିତ ଭାବେ ଘିଅ ଲଗାଇଲେ ଓଠର ରଙ୍ଗ ଗୋଲାପୀ ହେବା ସହ ଫଟା ମଧ୍ୟ କମ୍ ହୋଇଥାଏ।

Comments are closed.