ପୁଣି ଏସଟିଏଫ ଚଢଉ, ୨ କେଜି ଗଞ୍ଜେଇ ଓ କାର ଜବତ

ଆଠଗଡ : ଆଠଗଡ ଅଞ୍ଚଳରେ ଡଗ୍ସ ଓ ନିଶା ଦ୍ରବ୍ୟ କାରବାର ପେଣ୍ଠସ୍ଥଳ ପାଲଟିଛି। ୪ ଦିନ ପୂର୍ବରୁ ଏଠାରେ ସ୍ୱତନ୍ତ୍ର ଟ୍ୟାକ୍ସଫୋର୍ସ ଦଳ ଚଢଉ କରି ରାଧାପତିପୁର ନିକଟସ୍ଥ ପାରିଜାତ ହୋଟେଲରୁ ୧୭୫ଗ୍ରାମ ବାଉନସୁଗାର ଜବତ କରିବା ସହ ଏଥିରେ ସଂପୃକ୍ତ ହୋଟେଲ ମାଲିକ ଓ ଜଣେ କର୍ମଚାରୀଙ୍କୁ ଗିରଫ କରିଥିଲା। ଶୁକ୍ରବାର ପୁଣି ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ କଟକର ସ୍ୱତନ୍ତ୍ର ଟ୍ୟାକ୍ସଫୋର୍ସ ଆଠଗଡ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତ ଅଧିନ ଚେରେଇପାଟଣା ଗ୍ରାମରେ ଚଢଉ କରି ୨କେଜି ଗଞ୍ଜେଇ ସହ ଏକ ମାରୁତି ସିଆଜ କାର ଜବତ କରିଥିବା ଜଣାପଡିଛି। ଚଢଉ ସମୟରେ ଗଞ୍ଜେଇ ବ୍ୟବସାୟରେ ସଂପୃକ୍ତ ଅକ୍ଷୟ ପଣ୍ଡା ନାମକ ଯୁବକ କୌଶଳକ୍ରମେ ଖସି ଯାଇଥିବାବେଳେ ତାଙ୍କ ଘରେ ଗଚ୍ଛିତ ଥିବା ୨କେଜି ଗଞ୍ଜେଇ ଏବଂ ଗଞ୍ଜେଇ ଚାଲାଣରେ ବ୍ୟବହୃତ ହେଉଥିବା ଏକ ମାରୁତି ସିଆଜ କାରକୁ ଏସଟିଏଫ ଦଳ ଜବତ କରିଥିଲେ। ଏସଟିଏଫର ଅତରିକ୍ତ ଏସପି ତେଜରାଜ ପଟେଲଙ୍କ ନେତୃତ୍ୱରେ ଇନସ୍ପେକ୍ଟର ସରିତା ବେହୁରିଆ, ଏସଆଇ ଅକ୍ଷୟ କୁମାର ପରିଡା ଓ ତୃପ୍ତି ରଞ୍ଜନ ଦାସଙ୍କ ସମେତ ଏକ ୧୦ଜଣିଆ ଦଳ ଏହି ଚଢାଉରେ ସାମିଲ ଥିଲେ। ଚଢଉ ପରେ ଜବତ ଗଞ୍ଜେଇ ଓ କାରକୁ ଏସଟିଏଫ ଆଠଗଡ ଥାନାକୁ ହସ୍ତାନ୍ତର କରିଥିଲେ। ଚମ୍ପଟ ମାରିଥିବା ଚୋରା ଗଞ୍ଜେଇ ବେପାରି ଅକ୍ଷୟ ପଣ୍ଡାକୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଆଠଗଡ ଥାନା ଆଇଆଇସି ଜ୍ଞାନରଞ୍ଜନ ମିଶ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି।

Comments are closed.