ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଫାଙ୍କୁଛନ୍ତି ଗାଡ଼ି ମାଲିକ: ସହର ସାରା ଘୂରୁଛି କଳା କାଚ ଗାଡ଼ି

ପରିବହନ ବିଭାଗ-ପୁଲିସ ନିଦାବିଷ୍ଣୁ

ଭୁବନେଶ୍ବର:  ତତକାଳୀନ ସୁପ୍ରିମକୋର୍ଟ  ବିଚାରପତି ଏସ୍.ଏଚ୍.କାପାଡ଼ିଆ, ଅନଙ୍ଗ କୁମାର ପଟ୍ଟନାୟକ, ସ୍ବାତନ୍ତ୍ର୍ୟ କୁମାରଙ୍କୁ ନେଇ ଗଠିତ ୩ ଜଣିଆ ବେଞ୍ଚ ଗାଡ଼ିରେ କଳା କାଚ ଲଗାଇବା ସଂକ୍ରାନ୍ତରେ ଏକ ଜନସ୍ବାର୍ଥ ମାମଲାର ବିଚାର କରି ଦେଇଥିଲେ ଏକ ଐତିହାସିକ ରାୟ । ଅଭିଷେକ ଗୋଏଙ୍କା ନାମକ ଜଣେ ବ୍ୟକ୍ତିଙ୍କ ପକ୍ଷରୁ ଆଗତ ଜନସ୍ବାର୍ଥ ମାମଲାର ବିଚାର କରି ସୁପ୍ରିମକୋର୍ଟ ବେଞ୍ଚ କେବଳ ଭିଆଇପି ଓ  ଭିଭିଆଇପି ଙ୍କ ଗାଡ଼ିକୁ ବାଦ ଦେଇ ଅନ୍ୟ କୌଣସି ଗାଡ଼ିରେ କଳାକାଚ ଲଗାଯାଇ ପାରିବ ନାହିଁ ବୋଲି ଏହି ରାୟରେ ଉଲ୍ଲେଖ କରାଯାଇଥିଲା। କଳା କାଚ ଲଗାଇ ଅପରାଧୀମାନେ  ଡ଼କାୟତି, ବଳାତ୍କାର, ହତ୍ୟା ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବାର ଆଶଙ୍କା ଥିବାରୁ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ । ୨୦୧୨ରେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦେଶ ଇତିମଧ୍ୟରେ ୮ ବର୍ଷ ବିତିଗଲାଣି । ମାତ୍ର ଗାଡ଼ି ମାଲିକମାନେ ସୁପ୍ରିମକୋର୍ଟ ନିର୍ଦେଶକୁ ଫୁଃ କରି ଉଡ଼ାଇ ଦେଇଛନ୍ତି ଏବଂ ଏହାକୁ ଅନୁପାଳନ କରିବା ଦାୟିତ୍ବରେ ଥିବା ଅଧିକାରୀମାନେ ମଧ୍ୟ ଏହି ନିର୍ଦେଶକୁ ପାଶୋରି ଗଲେଣି ।

blackfilms – Supreme court judgment

କେନ୍ଦ୍ରୀୟ ମୋଟରଯାନ ଆଇନର ଧାରା ୧୯୮୯ ଧାରା ୧୦୦ (୨) ଅନୁସାରେ ଗାଡ଼ିର ସମ୍ମୁଖ ଓ ପଛ କାଚ ୩୦%ରୁ ଅଧିକ ଓ ଝରକା କାଚ ୫୦%ରୁ ଅଧିକ କଳାରଙ୍ଗର ଫିଲ୍ମ ବା କୋଟିଂରେ ଆଚ୍ଛାଦିତ କରାଯାଇ ପାରିବ ନାହିଁ । ଭିଏଲଟି (ଭିଜୁଆଲ ଲାଇଟ୍ ଟ୍ରାନ୍ସମିଶନ) ମାନଦଣ୍ଡ ଅନୁସାରେ ସାଧାରଣତଃ କୌଣସି କାଚ ୮୯% ଆଲୋକଗ୍ରାହୀ ଅର୍ଥାତ ଆଭ୍ୟନ୍ତର ଦୃଶ୍ୟକ୍ଷମ । ମାତ୍ର ଅନେକ କ୍ଷେତ୍ରରେ ଗାଡ଼ିମାଲିକମାନେ ଗାଡ଼ିର କାଚରେ ଫିଲ୍ମ ଲଗାଇଦେବା ଯୋଗୁଁ ଭିତରର ଦୃଶ୍ୟ ପଦାକୁ ଦିଶେ ନାହିଁ । ପୂର୍ବରୁ ଏପରି ଅପରାଧ ପାଇଁ ୧୦୦ ଟଙ୍କା ଜୋରିମାନା ଧାର୍ଯ୍ୟ ହୋଇଥିଲା, ମାତ୍ର ୨୦୧୯ରେ ମୋଟର ଯାନ ଆଇନ ସଂଶୋଧନ ପରେ ଏହାକୁ ୨୫ ଗୁଣ ବୃଦ୍ଧି କରାଯାଇ ୨୫୦୦ ଟଙ୍କା କରାଯାଇଛି ।

ମାତ୍ର ବିଡ଼ମ୍ବନା ହେଉଛି ଓଡ଼ିଶାର ଦ୍ଵୈତନଗରୀ ସହ ବିଭିନ୍ନ ସହରରେ ଦିନରାତି ଲକ୍ଷଲକ୍ଷ କଳାକାଚ ଲାଗିଥିବା କାର୍ ଘୂରି ବୁଲୁଥିବାବେଳେ ସୁପ୍ରିମକୋର୍ଟଙ୍କ ନିୟମ ବା ମୋଟରଯାନ ସଂଶୋଧନ ଆଇନ ଆନୁସାରେ ଗୋଟିଏ ଗାଡ଼ିରୁ ଜୋରିମାନା ଆଦାୟ କରାଯାଇଥିବା ଦେଖାଯାଇନାହିଁ ।  ଗାଡିରେ ନିଶା ସେବନଠାରୁ ଆରମ୍ଭକରି ସବୁ ପ୍ରକାର ବେଆଇନ କାର୍ଯ୍ୟ ଅନାୟାସରେ ଚାଲିଛି । ଅପରାଧୀମାନେ  ଅପରାଧ ଘଟାଇବା କିମ୍ବା ଅନୈତିକ କାର୍ଯ୍ୟକଳାପକୁ ଖୁବ୍‍ ସହଜରେ ଭିଆଇ ଦୃଷ୍ଟି ଆଢୁଆଳରେ ରହୁଛନ୍ତି। ସଂଧ୍ୟା ନଇଁଲେ ଏସବୁ ଗାଡ଼ିର ସଂଖ୍ୟା ଆହୁରି ବଢ଼ିଯାଉଛି। ସହରର ଆଭ୍ୟନ୍ତରୀଣ ଏବଂ ରାଜପଥଗୁଡ଼ିକରେ କଳାକାଚ ଥିବା ଗାଡ଼ିଗୁଡ଼ିକ ବେଶ ଚଳପ୍ରଚଳ କରୁଥିବାର ଦେଖିବାକୁ ମିଳୁଛି। ରାଜଧାନୀ ଏବଂ କଟକ ମଧ୍ୟରେ ଏହି ଗାଡ଼ିଗୁଡ଼ିକ ରାସ୍ତା କଡ଼ରେ ପାର୍କିଂ କରୁଥିବାର ଦେଖିବାକୁ ମିଳିଛି।

କମିସନରେଟ୍ ପୁଲିସ ପକ୍ଷରୁ କାର୍ ବା ଚାରିଚକିଆ ଗାଡ଼ିରେ ଝରକା କାଚରେ କଳାକାଚ ଲଗାଇଲେ ଜୋରିମାନା ଆଦାୟ କରାଯାଉଥିଲା। ମୋଟରଯାନ ଆଇନରେ ଏନେଇ କଟକଣା ରହିଛି। ନୂତନ ମୋଟର ଯାନ ଆଇନରେ ମଧ୍ୟ କଳାକାଚ ଥିବା ଗାଡ଼ିଠାରୁ  ଜୋରିମାନା ଆଦାୟ ଲାଗି ଆଇନରେ ବ୍ୟବସ୍ଥା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଦୀପକୁମାର ମହାନ୍ତି ସ୍ବୀକାର କରିଛନ୍ତି । ମାତ୍ର  ଆଇନରେ ବ୍ୟବସ୍ଥା ରହିଥିଲେ ମଧ୍ୟ ତାକୁ କାର୍ଯ୍ୟକାରୀ କରାଯାଉ ନ ଥିବା ଅଭିଯୋଗ ହୋଇଛି ।

ଗାଡ଼ିରୁ କଳାକାଚ କାଢ଼ିବା ସଂକ୍ରାନ୍ତରେ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଭାଗ ପକ୍ଷରୁ ସବୁ ଘରୋଇ ଓ ଯାତ୍ରୀବାହୀ ଗାଡ଼ିକୁ କଳାକାଚ କାଢ଼ିବା ପାଇଁ ପଦକ୍ଷେପ ନିଆଯାଇଥିଲା । ମାତ୍ର ସେତେବେଳେ ବସ୍ ମାଲିକ ସଂଘ ପକ୍ଷରୁ ଆପତ୍ତି ଉଠିଥିଲା । ବସଗୁଡ଼ିକରୁ କଳା କାଚ ଅପସାରଣ ନିମନ୍ତେ ୬ ମାସ ସମୟ ଦିଆଯାଇଥିଲା । ମାତ୍ର ଏହାପରେ କେବଳ ଫିଟନେସ୍ ଯାଞ୍ଚ ବେଳେ କାଚକୁ ଅନୁଧ୍ୟାନ କରାଯାଉଛି । ଯେଉଁ ଗାଡ଼ିର କାଚରେ ସ୍କ୍ରିନ ରହିିଛି ବା କଳା କାଚ ଲାଗିଛି ତାକୁ ଫିଟନେସ ପ୍ରମାଣପତ୍ର ଦିଆଯାଉ ନାହିଁ ବୋଲି ଏହି ଅଧିକାରୀ କହିଛନ୍ତି ।

ଅନ୍ୟପକ୍ଷରେ  ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ ଏବେ ଯେଉଁସବୁ ଗାଡ଼ିରେ କଳା ରଙ୍ଗର ଫିଲ୍ମ ଲାଗିଛି ତାହା ହେଉଛି ଦାମୀ ଗାଡ଼ି ବା ପ୍ରଭାବଶାଳୀ ଲୋକଙ୍କର। ତେଣୁ ଯାଞ୍ଚ କରାଯିବା ବେଳେ କର୍ମଚାରୀଙ୍କୁ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ଏହି ନିୟମଟି  ପ୍ରତି କେହି ବିଶେଷ ଧ୍ୟାନ ଦେଉନାହାନ୍ତି । ତେବେ କଳାକାଚ ଲାଗିଥିବା ଗାଡ଼ିରେ ଅପରାଧ ଘଟିବାର ଆଶଙ୍କା ଅଧିକ ଓ ଏହାର ଯାତ୍ରୀଙ୍କ ପରିଚୟ ସହଜରେ ଜାଣିବା ସମ୍ଭବ ହେଉ ନ ଥିାବ ସେ ସ୍ବୀକାର କରିଛନ୍ତି ।

ସେହିପରି ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ କଳାକାଚ ଗାଡ଼ିକୁ ନେଇ ଗତ କିଛିଦିନ ହେବ କିଛି ଅଭିଯୋଗ ଶୁଣିବାକୁ ମିଳିଛି। ଏହାକୁ ଆମେ ଗୁରୁତର ସହ ନେଉଛୁ। ସହରରେ ଆଗାମୀ ଦିନରେ କଳାକାଚ ଗାଡିକୁ କଡାକଡି ଭାବେ ଯାଞ୍ଚ କରାଯିବ। ଏ ନେଇ ସମସ୍ତ ଥାନାକୁ ଖୁବ୍‍ଶୀଘ୍ର ନୋଟିସ୍‍ ପଠାଯିବ ବୋଲି ଡିସିପି ସିଂହ କହିଛନ୍ତି।

ଏ ସଂପର୍କରେ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିନେଇ କିଛି ବର୍ଷ ଆଗରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ମାତ୍ର ୨୦୧୯ ମୋଟରଯାନ ସଂଶୋଧନ ଆଇନ ପରେ ଏଥିପାଇଁ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି । ଯେଉଁମାନେ ମୋଟର ଯାନ ଆଇନ ଓ ସୁପ୍ରିମକୋର୍ଟ ଆଇନର ଉଲ୍ଲଙ୍ଘନ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକ ହେଲେ ରାସ୍ତାରେ ଗାଡ଼ି ଅଟକାଇ କାଚରୁ ଫିଲ୍ମ କଢ଼ାଯିବ ଏବଂ ଜୋରିମାନା ଆଦାୟ କରାଯିବାକୁ ପଦକ୍ଷେପ ନିଆଯିବ ।

Comments are closed.