ପୁଲୱାମାରେ ବିସ୍ଫୋରକ ଉଦ୍ଧାର ହୋଇଥିବା କାର ମାଲିକ ଜଣେ ହିଜବୁଲ ଆତଙ୍କବାଦୀ

ସମାଜ ପୋର୍ଟାଲ ଡେସ୍କ: ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରୁ ଉଦ୍ଧାର କରାଯାଇଥିବା ସାଣ୍ଟ୍ରୋ କାର ଯେଉଁଥିରେ ୪୦ରୁ ୪୫ କିଲୋଗ୍ରାମ ବିସ୍ଫୋରକ (ଆଇଇଡ଼ି) ନିଆଯାଉଥିଲା ତାହା ଦକ୍ଷିଣ କାଶ୍ମୀର ଶୋପିଆନ୍ ଜିଲ୍ଲାର ଜଣେ ସକ୍ରିୟ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀର ବୋଲି ଜଣାପଡିଛି। ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ସେହି କାରଟି ଶୋପିଆନ ଜିଲ୍ଲାର ଜଣେ ସକ୍ରିୟ ଆତଙ୍କବାଦୀର ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି।

କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି ଯେ ପୋଲିସ ଏବଂ ସୁରକ୍ଷା ବାହିନୀର ମିଳିତ କାର୍ଯ୍ୟାନୁଷ୍ଠାନ ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ସେ କହିଛନ୍ତି, “ପୋଲିସ ଏବଂ ସୁରକ୍ଷା ବାହିନୀ ପାଇଁ ଏହା ଏକ ବଡ଼ ସଫଳତା। ଆମେ ଏଭଳି ଏକ ଆକ୍ରମଣକୁ ପଣ୍ଡ କରିଛୁ ଯାହା ୨୦୧୯ ପୁଲୱାମା ଆକ୍ରମଣ ସହିତ ସମାନ ଥିଲା।

ପ୍ରାଥମିକ ଅନୁସନ୍ଧାନରୁ ଆହୁରି ମଧ୍ୟ ଜଣାପଡିଛି ଯେ ବୋମା ନିଷ୍କ୍ରିୟକାରୀ ଦଳ କାରରେ ଥିବା ବିସ୍ଫୋରକ ସାମଗ୍ରୀକୁ ନଷ୍ଟ କରିଦେଇଥିଲେ। ତେବେ କାରରେ ଏକ ନକଲି ନମ୍ବର ପ୍ଲେଟ୍ ଲାଗିଥିଲା ଏବଂ କାର ଭିତରେ ଥିବା ଏକ ଡ୍ରମରେ ବହୁ ପରିମାଣର ଆଇଇଡ଼ି ଖଞ୍ଜା ଯାଇଥିଲା। ଏହି ଘଟଣାରେ ଜଣେ ପାକିସ୍ତାନୀ କମାଣ୍ଡର ଫୁଜି ଭୋଇଙ୍କ ସହ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଆଦିଲ ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି।

Comments are closed.