ରଥଯାତ୍ରା ପାଇଁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କହିଲେ ସମଗ୍ର ବିଶ୍ବ କୋଭିଡ୍‌-୧୯ ମୁକ୍ତ ହେଉ

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି। ସମଗ୍ର ବିଶ୍ୱ କୋଭିଡ୍‌-୧୯ ମହାମାରୀରୁ ମୁକ୍ତ ହେଉ ବୋଲି ପ୍ରାର୍ଥନା କରିବା ସହ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ସୁଖସମୃଦ୍ଧି ଏବଂ କଲ୍ୟାଣ କାମନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଳନ କରିବା ପାଇଁ ଅନୁମତି ଦେଇଥିବାରୁ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି । ରଥଯାତ୍ରା ପରିଚାଳନାରେ ସେବାୟତମାନେ ସଂପୂର୍ଣ୍ଣ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ଗଡ଼ିବା ମାତ୍ରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ ପ୍ରାର୍ଥନା ଜଣାଇଥିଲେ। ଶ୍ରୀଜୀଉମାନଙ୍କ ରଥଯାତ୍ରାର ଏହି ଦିବ୍ୟଦୃଶ୍ୟ ଦେଖି ଭକ୍ତି ଭାବରେ ହୃଦୟ ପୁଲକିତ ହେଉଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏ କଠିନ ସମୟ ମଧ୍ୟ ଅତିକ୍ରମ କରିଯିବ ଏବଂ ଲୋକମାନଙ୍କ ଜୀବନ ପୁଣି ସୁଖମୟ ହୋଇ ଉଠିବ। ମହାପ୍ରଭୁଙ୍କ ଇଚ୍ଛା ବିନା ପତ୍ରଟିଏ ବି ହଲିପାରେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଭାବ ବ୍ୟକ୍ତ କରିଛନ୍ତି।
କୋଭିଡ୍‌-୧୯ର ସମସ୍ତ ନିୟମାବଳୀକୁ କଡ଼ାକଡ଼ି ଅନୁପାଳନପୂର୍ବକ ପୁରୀଠାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଅପରାହ ୩.୫୦ ମିନିଟ୍‌ରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା। ସେହିପରି ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଏବଂ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷ ଯଥାକ୍ରମେ ୪.୧୦ ଏବଂ ୫.୧୦ ମିନିଟ୍‌ରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା। ସଂପୂର୍ଣ୍ଣ ଯାତ୍ରା ଶୃଙ୍ଖଳିତ, ବ୍ୟବସ୍ଥିତ ଏବଂ ନୀତିକାନ୍ତିଗୁଡ଼ିକ ଅତ୍ୟନ୍ତ ସୁଚାରୁ ରୂପେ ପାଳନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ରଥଯାତ୍ରା ଅବସରରେ ଲୋକସେବା ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶିତ ମାସିକ ଓଡ଼ିଆ ଓ ଇଂରାଜୀ ପତି୍ରକା ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ରଥଯାତ୍ରା ବିଶେଷାଙ୍କ ଉନ୍ମୋଚନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ରଥଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀଠାରେ ରହି ରଥଯାତ୍ରାର ସମସ୍ତ ନୀତିକାନ୍ତିର ସୁଚାରୁ ପରିଚାଳନା ଏବଂ ତଦାରଖ ନିମନ୍ତେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ଉପାଧ୍ୟକ୍ଷ, ରାଜ୍ୟ ଯୋଜନା ବୋର୍ଡଙ୍କୁ ନିର୍ଦେଶ ଦେଇଛନ୍ତି । ଏହା ସହିତ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍‌ ମହାନିର୍ଦେଶକ ବ୍ୟକ୍ତିଗତ ଭାବରେ ସମସ୍ତ କାର୍ଯ୍ୟକ୍ରମ ତଦାରଖ କରିଛନ୍ତି ।
ରଥଯାତ୍ରା ପରିପ୍ରେକ୍ଷୀରେ ୨୪ ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ କୌଣସି ଯାତ୍ରୀବାହୀ ଟ୍ରେନ୍‌, ସରକାରୀ ଏବଂ ଘରୋଇ ବସ ପୁରୀ ଜିଲ୍ଲାକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । କେବଳ ରଥଯାତ୍ରା ଦାୟିତ୍ୱରେ ଥିବା ସରକାରୀ ଅଧିକାରୀ, ପୁଲିସ ଏବଂ ଅତ୍ୟାବଶ୍ୟକ ସେବା ପାଇଁ ବ୍ୟବହୃତ ଯାନଗୁଡ଼ିକ ଏହି ସମୟ ମଧ୍ୟରେ ପୁରୀକୁ ଯାତାୟତ କରିପାରିବେ। ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ତରଫରୁ ଏ ସଂପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେମାନେ ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ଓଡ଼ିଶାବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଏବଂ ନିରାମୟ ଜୀବନ କାମନା କରିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.