ବାଣୀକ୍ଷେତ୍ର ବାଣୀବିହାରରେ ଘୋଷଯାତ୍ରା, ଛେରା ପହଁରା କଲେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ

ଭୁବନେଶ୍ବର: ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଥିଲା ବାଣୀବିହାରର ବାଣୀକ୍ଷେତ୍ର। ସାଙ୍ଗରେ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଦର୍ଶନ ଦେବାକୁ ଭକ୍ତଙ୍କ ଗହଣକୁ ଚାଲିଆସିଥିଲେ କାଳିଆ ସାଆନ୍ତ। ରଥରେ ବିଜେକରି ବଡ଼ଭାଇ ଓ ସାନ ଭଉଣୀ ସହ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଭାବ ଓ ଭକ୍ତିରେ ବାଣୀକ୍ଷେତ୍ରର ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ରଥ ଗୁଣ୍ଡିଚାମନ୍ଦିର ଆଡ଼କୁ ଟାଣିନେଇଥିଲେ। ସନ୍ଧ୍ୟା ସୁଦ୍ଧା ମହାପ୍ରଭୁଙ୍କ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା। ରଥ ଉପରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲେ।


ବାଣୀକ୍ଷେତ୍ର ବାଣୀବିହାରରେ ଘୋଷଯାତ୍ରା ପାଇଁ ରଥ ଓ ପଥ ପ୍ରସ୍ତୁତ ଥିଲା। କାଳିଆ ଠାକୁର ରଥକୁ ବିଜେ କଲା ପରେ ଜଗନ୍ନାଥମୟ ହୋଇଉଠିଥିଲା ସମଗ୍ର ପରିବେଶ। ରଥାରୂଢ଼ ଶ୍ରୀଜୀଉଙ୍କ ଦର୍ଶନ ଓ ରଥଟାଣିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖାଦେଇଥିଲା ପ୍ରବଳ ଉତ୍ସାହ। ଘଣ୍ଟ, ଘଣ୍ଟା, କାହାଳି, ବାଜାବାଦ୍ୟ ସାଙ୍ଗକୁ ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ସାରା ଅଞ୍ଚଳ। ସକାଳୁ ପାରମ୍ପରିକ ରୀତିନୀତି ଅନୁସାରେ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ବିଜେ ହେବା ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା। ଏହାପରେ ପୂର୍ବାହ୍ନରେ ପହଣ୍ଡି ପରେ ଝୁଲି ଝୁଲି ରାଜରାସ୍ତାକୁ ଓଲ୍ଲାଇ ଆସିଥିଲେ ବଡ଼ଠାକୁର। ସେ ଭକ୍ତର ଭାବ ଓ ଆବେଗର ବନ୍ଧା କାଳିଆଠାକୁର। ବଡ଼ ଭାଇ ବଳଭଦ୍ର ଓ ସାନଭଉଣୀ ସୁଭଦ୍ରାଙ୍କ ସହ ରଥାରୁଢ଼ ହେବା ପରେ ବାଣୀକ୍ଷେତ୍ରରେ ଶ୍ରୀଜୀଉଙ୍କ ପୁରୀ ଗୁଣ୍ଡିଚା ଯାତ୍ରା ବିଧି ଅନୁଯାୟୀ ରଥଯାତ୍ରା ନୀତି ଆରମ୍ଭ ହୋଇଥିଲା। ରଥଉପରେ ଶ୍ରୀଜୀଉଙ୍କ ବିଭିନ୍ନ ବେଶ ଓ ନୀତି ସମ୍ପନ୍ନ ହୋଇଥିଲା। ଶ୍ରୀଜୀଉଙ୍କ ରଥରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଛେରାପହଁରା କରିଥିଲେ। ପ୍ରଥମ ଥର ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଥମ ମହିଳା କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଶ୍ରୀଜୀଉଙ୍କ ରଥ ଉପରେ ଜଗନ୍ନାଥଙ୍କର ରୀତିନୀତି ଅନୁସାରେ ଛେରା ପହଁରା କରିଥିଲେ। ଏହାପରେ ରଥକୁ ବନ୍ଦାପନା କରିବା ପରେ ଘୋଡ଼ା ଓ ସାରଥୀ ଲଗାଯାଇ ରଥଟଣା ଆରମ୍ଭ ହୋଇଥିଲା। ବାଣୀବିହାରର ବାଣୀକ୍ଷେତ୍ରରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ୨୮ଫୁଟ ଲମ୍ବର ରଥ ପ୍ରସ୍ତୁତ କରାଯାଇଥିଲା। ଏହି ଅବସରରେ କୁଳସଚିବ ଅଭୟ କୁମାର ନାୟକ, ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ପ୍ରବୋଧ କୁମାର ହୋତାଙ୍କ ସମେତ ବାଣୀବିହାର ଜଗନ୍ନାଥ ମନ୍ଦିର ସଭାପତି, କର୍ମକର୍ତ୍ତା, ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀମାନେ ଯୋଗଦେଇଥିଲେ।

Comments are closed.