ଲକ୍ଡ଼ାଉନ ବେଳେ କାର୍ ଡ଼ିକିରେ ଭର୍ତିକରି ପ୍ରେମିକା ଚାଲାଣ

ଜୋହାନ୍ସବର୍ଗ: ସରକାର ଡ଼ାଳେଡ଼ାଳେ ଗଲେ, ଆଇନଭଙ୍ଗକାରୀ ପତ୍ରେପତ୍ରେ ଯାଆନ୍ତି । ଲକ୍ଡ଼ାଉନ ବେଳେ ଯାଞ୍ଚ କଡ଼ାକଡ଼ି ଚାଲିଥିବାବେଳେ ଜଣେ ଯୁବକ ନିଜ ପ୍ରେମିକାକୁ କାର୍ ଡ଼ିକିରେ ଭର୍ତିକରି ଚାଲାଣ କରି ଧରା ପଡ଼ିବା ଘଟଣା ବେଶ କୌତୂହଳ ସୃଷ୍ଟି କରିଛି । ଘଟଣାଟି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଘଟିଛି । କରୋନା ଲକ୍ଡ଼ାଉନ ଭାଙ୍ଗି ଯୁବକ ଏପରି କାରନାମା କରିଥିବା ସ୍ଥାନୀୟ ପୁଲିସ କହିଛି ।
ସୂଚନା ଅନୁସାରେ ଜଣେ ଯୁବକ ରାତିରେ ନିଜ କାରରେ ଦକ୍ଷିଣ ଆଫ୍ରିକାର ଗୁଏଟାଙ୍ଗ ଯାଉଥିଲେ । ପୁଲିସ ଅଧିକାରୀ ଗାଡ଼ି ରୋକିଥିଲା । କାରଣ ଗୁଏଟାଙ୍ଗ ସହରକୁ କୌଣସି ବାହାର ବ୍ୟକ୍ତିଙ୍କ ପ୍ରବେଶ ନିଷେଧ କରାଯାଇଥିଲା। ଯୁବକଙ୍କ ଗାଡ଼ି ରୋକି ତାହାର ଯାଞ୍ଚ କଲାବେଳେ କାର୍ ଡ଼ିକିରୁ ଜଣେ ଯୁବତୀ ମିଳିଥିଲେ । ସମ୍ପୃକ୍ତ ଯୁବତୀ ହେଉଛନ୍ତି କାର୍ ଚଳାଉଥିବା ଯୁବକଙ୍କ ପ୍ରେମିକା ଓ ସେ ପଡ଼ୋଶୀ ମ୍ପୁଲାଙ୍ଗ ପ୍ରଦେଶର ଅଧିବାସୀ । ଗୁଏଟାଙ୍ଗ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା ।
ସୂଚନାଯୋଗ୍ୟ ଯେ ଦକ୍ଷିଣ ଆଫ୍ରିକାରେ ମାର୍ଚ ୧୭ ତାରିଖରୁ ଦେଶବ୍ୟାପୀ ଲକ୍ଡ଼ାଉନ ଘୋଷଣା କରାଯାଇଛି । କେବଳ ଖାଦ୍ୟ ବା ଜରୁରୀ ସାମଗ୍ରୀ ଖରିଦ ପାଇଁ ଲୋକମାନଙ୍କୁ କିଛି ସମୟ ରିହାତି ମିଳୁଛି । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟ, ଗୋଟିଏ ସହରରୁ ଅନ୍ୟ ସହର ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି । କେବଳ ଶବସତ୍କାର ପରି କିଛି ଜରୁରୀ କାର୍ଯ୍ୟ ନିମନ୍ତେ ଯାତ୍ରା ଅନୁମତି ମିଳୁଛି ।

Comments are closed.