କେମିତି ଚାଲିଛି ‘ମୋ ସରକାର’ – କ୍ୟାପିଟାଲ ଥାନା : ଗୁହାରି ଶୁଣିବାକୁ କେହି ନାହାନ୍ତି

ଭୁବନେଶ୍ବର : ରାଜ୍ୟ ସରକାର ପ୍ରଣୟନ କରିଥିବା ‘ମୋ ସରକାର’ କାର୍ଯ୍ୟକ୍ରମ କେତେ ମାତ୍ରାରେ ସଫଳ ଓ ବିଫଳ ହୋଇଛି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି। କେଉଁଠି ଥାନାର କାର୍ଯ୍ୟକୁ ନେଇ ପ୍ରଶଂସା କରାଯାଉଛି ତ କେଉଁଠି ଅବ୍ୟବସ୍ଥାକୁ ନେଇ ଚର୍ଚ୍ଚା ହେଉଛି। ବିଶେଷକରି କମିସନରେଟ ପୁଲିସ ଅଞ୍ଚଳରେ ଥିବା ଥାନାରେ ଅଭିଯୋଗକାରୀଙ୍କୁ କିଭଳି ସମ୍ମାନ ଦିଆଯାଉଛି ତା’ର ବେଶ୍‌ ଗୁରୁତ୍ବ ରହିଛି। ସର୍ବପୁରାତନ କ୍ୟାପିଟାଲ ଥାନାରେ ‘ମୋ ସରକାର’ କାର୍ଯ୍ୟକ୍ରମ କିଭଳି ଚାଲିଛି ଆମ ପ୍ରତିନିଧି ସ୍ଥିତି ଅନୁଧ୍ୟାନ କରିଥିଲେ।

ପୂର୍ବାହ୍ନ ୧୧ଟା ୪୫। ଥାନାରେ ଲୋକଙ୍କ ଭିଡ଼। ଥାନା ଭିତରେ ଜଣେ ମହିଳା କର୍ମଚାରୀ ବସିଥିଲେ। ୧୦ଜଣ ପୁରୁଷ ଓ ମହିଳା ଏକ ଅଭିଯୋଗର ସମାଧାନ କରିବାକୁ ଥାନାକୁ ଆସିଥିଲେ। ଏହାର କେଇ ଘଣ୍ଟା ପୂର୍ବରୁ ୩ଜଣ ମହିଳା ଗଣ୍ଡଗୋଳ ମାମଲାରେ ଅଭିଯୋଗ କରିବା ସହ ଥାନା ଅଧିକାରୀଙ୍କୁ ଭେଟିବାକୁ ଅପେକ୍ଷା କରିଥିଲେ। ଏତିକି ବେଳେ କିଛି ଯୁବକ କୌଣସି ଏକ ମାମଲାରେ ଥାନାରେ ପହଞ୍ଚିଥିଲେ। ଥାନା ଅଧିକାରୀ ସେମାନଙ୍କ ସହ କଥାବର୍ତ୍ତା ହୋଇ ନିଜ ରୁମ୍‌କୁ ଡାକିନେଇଥିଲେ। ପ୍ରାୟ ୧ଘଣ୍ଟା ଅପେକ୍ଷା କଲାପରେ ଥାନାର ଜଣେ ମହିଳା କର୍ମଚାରୀ ସେଠାରେ ଥିବା ମହିଳାଙ୍କୁ ଆସନ୍ତାକାଲି ଆସିବାକୁ କହିଥିଲେ। ଏତିକିବେଳେ ଚେୟାର​‌େ​‌ର ବସିଥିବା ଜଣେ ମହିଳା ଅଳ୍ପ ସ୍ବରରେ କହିଥିଲେ ‘ଥାନାରେ ଆମ କଥା ଶୁଣିବାକୁ କ’ଣ କେହିନାହାନ୍ତି’। କିଛି ସମୟ ଏପଟ ସେପଟ ହେଲା ପରେ ଅପେକ୍ଷାରତ ଅଭିଯୋଗକାରୀ ନିରାଶରେ ଫେରିଯାଇଥିଲେ।
ଥାନାରେ ଥିବା ଅଭ୍ୟର୍ଥନା କକ୍ଷ ଏବଂ ମହିଳା ଓ ଶିଶୁ ଡେସ୍କରେ ତାଲା ଝୁଲୁଥିଲା। ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିଥିଲେ ମଧ୍ୟ କାହାର ଦେଖାନଥିଲା। ଏହି ସମୟରେ ୨ମହିଳା ନିର୍ଯାତନା ଅଭିଯୋଗ ନେଇ ଥାନାକୁ ଆସିଥିଲେ। ତେବେ ମହିଳା ଓ ଶିଶୁ ଡେସ୍କ ବନ୍ଦ ଥିବାରୁ ସେମାନେ ବାହାରେ ଅପେକ୍ଷା କରିଥିଲେ ମଧ୍ୟ କାହାର ଦେଖାନଥିଲା।

ଅପରାଧର ଲକ୍ଷଣ/ମାସକରେ କେତେ ମାମଲା : କ୍ୟାପିଟାଲ୍‌ ଥାନା ଅଞ୍ଚଳରେ ଫାଳିକିଆ ବସ୍ତି, ଝରଣାବସ୍ତି ଓ ରେଳଲାଇନ୍ ବସ୍ତି ଆଦି ରହିଥିବାରୁ ଗଣ୍ଡଗୋଳ, ମାର୍‌ପିଟ୍‌ ସଂଖ୍ୟା ଅଧିକ। ଏଭଳି ସ୍ଥାନକୁ ସବୁବେଳେ ଅସାମାଜିକଙ୍କ ଗତିବିଧି ଲାଗି ରହିଥାଏ। କ୍ୟାପିଟାଲ ଥାନା ରାଜଧାନୀର ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ରହିଛି। ଥାନାରେ ପ୍ରତିମାସରେ ୬୦ରୁ ଊର୍ଦ୍ଧ୍ବ ମାମଲା ହୋଇଥାଏ। ଡିସେମ୍ବର ମାସରେ ୪୦ଟି ମାମଲା ହୋଇଥିବା ଜଣାପଡ଼ିଛି।

ସମ୍ବେଦନଶୀଳ ଅଞ୍ଚଳ: ସଚିବାଳୟ, ବିଧାନସଭା, କ୍ୟାପିଟାଲ ହସ୍ପିଟାଲ, ରାଜଭବନ, ୟୁନିଟ୍‌-୧ ମାକେର୍ଟ ଓ ‌େ‌ଷ୍ଟଟ୍‌ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ଆଦି ରହିଛି।

କେତେ ଅଞ୍ଚଳକୁ ନେଇ କାର୍ଯ୍ୟ କରୁଛି : କ୍ୟାପିଟାଲ ଥାନା ୧୯୫୫ରେ ପ୍ରତିଷ୍ଠା କରାଯାଇଥିଲା। ଏହି ଥାନାକୁ ଇତିମଧ୍ୟରେ ୬୪ ବର୍ଷ ହେଲାଣି। ଥାନା ପରିସୀମାକୁ ଖାରବେଳନଗର ଥାନା, ବଡ଼ଗଡ଼, ଶ୍ରୀଲିଙ୍ଗରାଜ, ନୂଆପଲ୍ଲୀ ଥାନା ଲାଗି ରହିଛି। କ୍ୟାପିଟାଲ ଥାନାର ପରିସୀମା ୧୭ ବର୍ଗ କିଲୋମିଟର। ଅନ୍ୟ ଥାନା ଅପେକ୍ଷା ଏହି ଥାନାର ଭିତ୍ତିଭୂମି ସୃଦୁଢ଼ ରହିଛି।

ଜନସଂଖ୍ୟା: ୨୦୧୧ ଜନଗଣନା ଅନୁସାରେ କ୍ୟାପିଟାଲ ଥାନା ଜନସଂଖ୍ୟା ପ୍ରାୟ ୭୯,୨୮୪। ବର୍ତ୍ତମାନ ଏହାର ଜନସଂଖ୍ୟା ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।

ଥାନାର କର୍ମଚାରୀ :
ଜୋନ୍ ଏସିପି- ୧
ଇନ୍ସପେକ୍ଟର -୧
ସବ୍‌ଇନ୍ସପେକ୍ଟର -୧୩
ଏଏସ୍‌ଆଇ -୧୧
ହେଡ୍‌ କନଷ୍ଟେବଳ- ୬
କନଷ୍ଟେବଳ -୬୩
ହୋମଗାର୍ଡ- ୫୦

Comments are closed.