କ୍ୟାପିଟାଲ ଥାନା ଅଞ୍ଚଳରେ ମାତିଛନ୍ତି ବାଇକ୍‌ ଚୋର

ଭୁବନେଶ୍ୱର : ରାଜଧାନୀର ଜନଗହଳିପୂର୍ଣ୍ଣ ସ୍ଥାନ ଭାବେ ପରିଚିତ ୟୁନିଟ୍‌-୨ ମାର୍କେଟ ବିଲ୍‌ଡିଂ, ଏଜି ଛକ ଓ ଫରେଷ୍ଟ ପାର୍କ ଅଞ୍ଚଳରେ ଗାଡ଼ି ଚୋର ପୁଲିସର ନିଦ ହଜାଇ ଦେଲେଣି।   ଉକ୍ତ  ଅଞ୍ଚଳରେ  ନେତା, ମନ୍ତ୍ରୀ, ପ୍ରଶାସକ, ସାମ୍ବାଦିକ, ଡାକ୍ତର, ବରିଷ୍ଠ ନାଗରିକ ତଥା ବହୁ ବୁଦ୍ଧିଜୀବୀ ବସବାସ କରନ୍ତି।  ପୁଲିସର କୋହଳ ପାଟ୍ରୋଲିଂ ଯୋଗୁଁ ଚୋରଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଗତ ସପ୍ତାହକ ଭିତରେ ଏସବୁ ଅଞ୍ଚଳରୁ ଏକାଧିକ ବାଇକ୍‌ ଏବଂ ଅଟୋ ଚୋରି ହୋଇଯାଇଛି।  କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଚୋରଙ୍କୁ ଧରିବାରେ ସକ୍ଷମ ହୋଇପାରୁନି।

ସୂଚନାଯୋଗ୍ୟ, ଜଗତସିଂହପୁର ବାଲିସାହିର ଅରବିନ୍ଦ ମହାରଣା ୟୁନିଟ୍‌-୨ ମାର୍କେଟ୍‌ ବିଲ୍‌ଡିଂ ନିକଟରେ ଗାଡ଼ି ପାର୍କିଂ କରି ମାର୍କେଟ ଭିତରକୁ ଯାଇଥିଲେ।  ସେଠାରୁ ବାହାରିବା ପରେ ତାଙ୍କ ବାଇକ୍‌ ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ। ସେହିପରି ଏଜି ଛକ ନିକଟ ଶୌଚାଳୟ ସାମ୍ନାରେ ଗଞ୍ଜାମ ଜିଲା ବେରୁହାଁ ବାଡ଼ି ଅଞ୍ଚଳର ସୁଶାନ୍ତ ବେହେରା ନିଜ ଅଟୋକୁ ଶୌଚାଳୟ ପାଖରେ ରଖି  ଭିତରକୁ ଯାଇଥିଲେ।  ସେଠାରୁ ଫେରି ଦେଖନ୍ତି କେହି ଦୁର୍ବୃତ୍ତ ତାଙ୍କ ଅଟୋ  ନେଇ ଚମ୍ପଟ ମାରିଛି।

ସେହିଭଳି ଖଣ୍ଡଗିରି ଥାନା ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ରହୁଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଫରେଷ୍ଟ ପାର୍କ ବାହାରେ ବାଇକ୍‌ ରଖି ପାର୍କ ଭିତରକୁ ଯାଇଥିଲେ। ସେଠାରୁ ଫେରି ଦେଖନ୍ତି କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌ ଚୋରି କରିନେଇଛି।  ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ରହୁଥିବା ଶିବାନୀ ଶଙ୍କର ସାହୁ ତାଙ୍କ  ବାଇକ୍‌ ମାର୍କେଟ ବିଲ୍‌ଡିଂ ନିକଟରେ ରଖି  ଭିତରକୁ ଯାଇଥିଲେ। ସେଠାରୁ ବାହାରି ଦେଖନ୍ତି ତାଙ୍କ ବାଇକ୍‌ ଚୋରି ହୋଇଯାଇଛି। ସେହିପରି ଯାଜପୁର ଜିଲା  ବଡ଼ଚଣା ଥାନା ଅଞ୍ଚଳର ଦୀପକ  ନାୟକ ୟୁନିଟ୍‌-୨ ମାର୍କେଟ ବିଲ୍‌ଡିଂ ପାଖରେ ଗାଡ଼ି ପାର୍କିଂ କରି ମାର୍କେଟ୍‌ ଭିତରକୁ ଯାଇଥିଲେ। ସେଠାରୁ ଆସି ଦେଖିଲା ବେଳକୁ  ତାଙ୍କ ବାଇକ୍‌ ଚୋରି ହୋଇଯାଇଛି। ପୁଲିସ ଅଭିଯୋଗ ପାଇ ମାମଲା ରୁଜୁ କରିଥିଲେ ମଧ୍ୟ ଚୋରଙ୍କ ସନ୍ଧାନ ପାଇପାରୁନି।

Comments are closed.