କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ସ୍ବତନ୍ତ୍ର ହାର୍ଟ ସର୍ଜରୀ ୟୁନିଟ୍: ସ୍ବାସ୍ଥ୍ୟ ମନ୍ତ୍ରୀ

ଯୋଗଦେବେ ବରିଷ୍ଠ ଡାକ୍ତର ପି.କେ. ଦାସ

ଭୁବନେଶ୍ୱର: ମୋ ସରକାର ଯୋଜନାରେ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି। ଏହିକ୍ରମରେ କ୍ୟାପିଟାଲ ହସପିଟାଲରେ ସାଧାରଣ ଲୋକଙ୍କୁ ହୃଦରୋଗଜନିତ ସମସ୍ତ ଚିକିତ୍ସା ସେବା ଯୋଗେଇ ଦେବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। କ୍ୟାପିଟାଲ ହସ୍ପିଟାଲ ହୃଦରୋଗ ଚିକିତ୍ସା କେନ୍ଦ୍ର ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ନେଇ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦସ।
ବୁଧବାର ପୂର୍ବାହ୍ଣରେ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମୋ ସରକାର ଯୋଜନା ଏବଂ ୫-ଟି ସୂତ୍ରକୁ ଗୁରୁତ୍ବ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ହୃଦରୋଗ ଚିକିତ୍ସା କେନ୍ଦ୍ର କରାଯିବ। ଏହି ୟୁନିଟ ହେବା ଦ୍ବାରା ହୃଦ୍ ଅପରେସନଠୁ ଆରମ୍ଭ କରି ଓପନ୍ ହାର୍ଟ ସର୍ଜରୀ, କମ୍ପେକ୍ସ ଆଞ୍ଜିଓଗ୍ରାଫି, ଡିଭାଇସ୍ କ୍ଲୋଜର, ଇଲେକ୍ଟ୍ରା ଫିଜିଓଲୋଜି ଷ୍ଟଡି ହୋଇପାରିବ। ଏଥିପାଇଁ ହସ୍ପିଟାଲ ପରିସରରେ ଆବଶ୍ୟକୀୟ ଭିତ୍ତିଭୂମି ସହିତ ଗୃହ, ଓଟି, ଡାକ୍ତରୀ ଯନ୍ତ୍ରପାତି ଏବଂ ସରଞ୍ଜାମ ବ୍ୟବସ୍ଥା ଯୋଗାଇ ଦିଆଯିବ। କ୍ୟାପିଟାଲ ହସ୍ପିଟାଲକୁ ଉତ୍କର୍ଷ ସେବା କେନ୍ଦ୍ରଭାବେ ପରିଣତ କରିବାକୁ ସରକାରୀସ୍ତରରେ ପଦକ୍ଷେପ ଗ୍ରହଣ କରାଯାଉଛି। ଏହିଦିଗରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ କାର୍ୟ୍ୟକୁ ତ୍ବରାନ୍ବିତ କରାଯିବ ବୋଲି ଶ୍ରୀ ଦାସ କହିଥିଲେ।
ହାର୍ଟ ୟୁନିଟ ଖୋଲିବା ପୂର୍ବରୁ ରାଜ୍ୟ ସରକାର ବେଙ୍ଗାଲୁରୁର ଶ୍ରୀ ସତ୍ୟସାଇ ଇନିଷ୍ଟିଚ୍ୟୁଟ ଅଫ ହାୟର ମେଡିକାଲ ସାଇେନ୍ସସ୍, କାର୍ଡିଆକ୍ ସାଇେନ୍ସସ୍ ବିଭାଗ ଅଧ୍ୟକ୍ଷ ଡାକ୍ତର ପ୍ରଭାତ କୁମାର ଦାସଙ୍କୁ ଯୋଗଦେବା ପାଇଁ ଅନୁରୋଧ କରିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଡାକ୍ତର ପି.କେ. ଦାସ କ୍ୟାପିଟାଲ ହସ୍ପିଟାଲ ହୃଦରୋଗ ବିଭାଗ ପରିଦର୍ଶନ କରିବା ସହିତ ସନ୍ତୋଷ ପ୍ରକାଶ କରି କରିଥିଲେ ଯେ, ଓଡିଶାରେ ଏହି କେନ୍ଦ୍ର ଖୋଲିବା ପାଇଁ ଇଚ୍ଛା ଥିଲା ଏବଂ ରାଜ୍ୟ ସରକାର ଏଭଳି ପ୍ରସ୍ତାବ ଦେଇଛନ୍ତି। ଏହା ଏକ ଗୁରୁତ୍ବୂପୂର୍ଣ୍ଣ ପଦକ୍ଷେପ। ଏଥିରେ ଜନ୍ମ ହେବାର ଗୋଟିଏ ଦିନ ପରେ ଶିଶୁଙ୍କୁ ଚିକିତ୍ସା ପ୍ରଦାନ କରାଯାଇପାରିବ। କେବଳ ଶିଶୁ ନୁହଁନ୍ତି ବୟସ୍କ ବ୍ୟକ୍ତିଙ୍କ ହୃଦରୋଗର ଚିକିତ୍ସା କରାଯାଇପାରିବ। ଏହାବ୍ୟତୀତ ଗୋଟିଏ ଅତିରିକ୍ତ କ୍ୟାଥ ଲାବ ପ୍ରତିଷ୍ଠା କରାଯିବା ଦ୍ବାରା ସ୍ବଳ୍ପ ସମୟରେ ଜଟିଳ ଆଞ୍ଜିଓପ୍ଲାଷ୍ଟ କରାଯିବ। ବିଶେଷ କରି ଦୃଦୟରେ ଥିବା ଛିଦ୍ରକୁ ବିନା ଅେସ୍ତ୍ରାପଚାରରେ ବନ୍ଦ କରାଯାଇପାରିବ। ସେହିପରି ହୃଦୟ ଅନିୟମିତତା ସଞ୍ଚାଳନକୁ ବିଦ୍ୟୁତ୍ ଶକ୍ତି ଦେଇ ସଠିକ୍ କରାଯିବ ଏବଂ ଗୁରୁତର ରୋଗୀଙ୍କ ଓପନ୍ ହାର୍ଟ ସର୍ଜରୀ, ଶିଶୁଙ୍କ ହୃଦ୍ ସମ୍ବନ୍ଧୀୟ ଅସୁସ୍ଥତାର ମଧ୍ୟ ଚିକିତ୍ସା କରାଯାଇପାରିବ। ସେହିପରି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡ. ଅଶୋକ ପଟ୍ଟନାୟକ କହିଲେ ଯେ, ସରକାର ଏବେ ସ୍ବାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଏବେ ଦୈନିକ ୩ହଜାର ୫୦୦ରୁ ଅଧିକ ରୋଗୀ ଆସୁଛନ୍ତି ଓ ଅନେକ ପରିବର୍ତ୍ତନ ହୋଇଛି। ଅନ୍ୟପକ୍ଷରେ ହୃଦରୋଗରେ ପୂର୍ବରୁ ଚିକିତ୍ସା କରାଯାଉଥିଲା। ଅପରେସନ ପାଇଁ ଗୃହ ନିର୍ମାଣ ସରିଛି। ଖୁବଶୀଘ୍ର କାର୍ୟ୍ୟକ୍ଷମ କରାଯିବ। ଏହି କାର୍ୟ୍ୟକ୍ରମରେ ଡା. ଆର୍.ଏସ୍.ଏନ୍ ମୂର୍ତ୍ତି, ଡା. ପି.କେ ରଥଙ୍କ ସମେତ ହସ୍ପିଟାଲ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.