କ୍ୟାପିଟାଲ ହସ୍ପିଟାଲରେ ଆବଶ୍ୟକ ୫୦, ଅଛନ୍ତି ୨୫ ଫାର୍ମାସିଷ୍ଟ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଆବଶ୍ୟକତା ଅନୁସାରେ ନାହାନ୍ତି ଫାର୍ମାସିଷ୍ଟ। ଏଠାରେ ପ୍ରାୟ ୧୬ଟି ବିଭାଗରେ ଚିକିତ୍ସା ସେବା ଯୋଗାଇ ଦିଆଯାଉଥିବବେଳେ ସୁପର ସ୍ପେଶାଲିଷ୍ଟ ଓପିିଡି ମଧ୍ୟ ରହିଛି। ଏହାସହିତ ଦୁଇଟି ନିରାମୟ କେନ୍ଦ୍ର କାର୍ଯ୍ୟ କରୁଛି। ଓଟି ସାଙ୍ଗକୁ ଭିଆଇପି ଡ୍ୟୁଟି ରହିଛି। ଏସବୁକୁ ଦେଖିଲେ ୫୦ରୁ ଅଧିକ ଫାର୍ମାସିଷ୍ଟଙ୍କ ଆବଶ୍ୟକତା ରହିଛି। ୨୫ ଫାର୍ମାସିଷ୍ଟରେ କାର୍ଯ୍ୟ ହେଉଛି। ଫାର୍ମାସିଷ୍ଟଙ୍କ ଅଭାବ ଯୋଗୁଁ ବହୁ ସମସ୍ୟା ହେଉଛି। କରୋନା ସଂକ୍ରମଣ କମିବା ପରେ ଏବେ ପୂର୍ବ ଅପେକ୍ଷା ଧୀରେ ଧୀରେ ରୋଗୀ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଏମିତିିକି ଦୈନିକ ୨୦୦୦ରୁ ଅଧିକ ଆସୁଥିବା କର୍ତ୍ତୃପକ୍ଷ କହୁଛନ୍ତି।

ହସ୍ପିଟାଲର ଆଶୁଚିକିତ୍ସା କେନ୍ଦ୍ର ନିକଟରେ ଥିବା ନିରାମୟ କେନ୍ଦ୍ରରେ ମୋଟ ୮ଟି କାଉଣ୍ଟର ଥିବାବେଳେ ସବୁ କାଉଣ୍ଟର ଖୋଲାଯାଉନାହିଁ। ଦିନବେଳା ୫ଟି କାଉଣ୍ଟର ବଦଳରେ ୪ଟି କାଉଣ୍ଟର ଖୋଲାଯାଉଥିବା ବେଳେ ଅପରାହ୍ଣରେ ୨ରୁ ୩ଟି କାଉଣ୍ଟର ଖୋଲାଯାଉଛି।

ସେହିପରି ରାତିରେ ଜରୁରୀକାଳୀନ ସେବା ପାଇଁ ଗୋଟିଏ କାଉଣ୍ଟର ଖୋଲାଯାଉଛି। ପ୍ରତି କାଉଣ୍ଟରରେ ୩ଜଣ ଷ୍ଟାଫ୍‍ ଆବଶ୍ୟକ କରୁଥିବାବେଳେ ସବୁ କାଉଣ୍ଟର ପାଇଁ ୨୪ଜଣ ଷ୍ଟାଫ୍‍ ଆବଶ୍ୟକ। ହେଲେ ଏଥିପାଇଁ ଅଛନ୍ତି ଏବେ ୧୫ ଫାର୍ମାସିଷ୍ଟ। ଫାର୍ମାସିଷ୍ଟ ଅଭାବ ଯୋଗୁଁ ସବୁ କାଉଣ୍ଟର ଖୋଲିବା ସମ୍ଭବ ହୋଇପାରୁନାହିଁ । ବିଶେଷକରି ଓପିଡିରେ ୨୫୦୦ରୁ ରୋଗୀ ଚିକତ୍ସିତ ହେଉଥିବାବେଳେ ଏମାନେ ନିରାମୟ କେନ୍ଦ୍ରରୁ ଔଷଧ ନେଇଥାନ୍ତି। ସକାଳ ସମୟରେ ଅଧିକ ଭିଡ଼ ରହୁଥିବାବେଳେ ଅପରାହ୍ଣରେ କମ୍‌ ସଂଖ୍ୟାରେ ରୋଗୀ ଆସୁଛନ୍ତି। ସେହିପରି ସ୍ତ୍ରୀ ଓ ପ୍ରସୂତି ବିଭାଗ ନିକଟରେ ଥିବା ଅନ୍ୟ ଏକ କାଉଣ୍ଟରରେ ଫାର୍ମାସିଷ୍ଟ ଅଭାବ ଯୋଗୁଁ କେବଳ ଓପିଡି ସମୟ ଖୋଲା ରହୁଛି। ଅନ୍ୟପକ୍ଷରେ ୪ଟି ଓଟିରେ ୪ ଫାର୍ମାସିଷ୍ଟ ସହିତ ମୁଖ୍ୟମନ୍ତ୍ରୀ ଡ୍ୟୁଟିରେ ୫ ଜଣ ଯାଉଛନ୍ତି। ରାଜ୍ୟପାଳଙ୍କ ଡ୍ୟୁଟିରେ ଜଣେ ଫାର୍ମାସିଷ୍ଟ ଅଛନ୍ତି। ମୋଟ ୨୫ ଫାର୍ମାସିଷ୍ଟ ମଧ୍ୟରୁ ପର୍ଯ୍ୟାୟକ୍ରମେ ଡ୍ୟୁଟି କରୁଥିବାବେଳେ ସାପ୍ତାହିକ ଛୁଟି ସହିତ ଶରୀର ଅସୁସ୍ଥ ହେଲେ ସ୍ଥିତି ସଙ୍ଗୀନ ହୋଇପଡୁଛି। ଏମାନଙ୍କ ମଧ୍ୟରେ ୪ ମହିଳା ଫାର୍ମାସିଷ୍ଟ ଅଛନ୍ତି। ବାରମ୍ବାର ସରକାରଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟା ଦୂର ହେଉନାହିଁ। କରୋନା ଡ୍ୟୁଟି ପାଇଁ ଖୋର୍ଦ୍ଧା ସିଡିଏମ୍‌ଓ ୪ ଫାର୍ମାସିଷ୍ଟ ଦେଇଥିବା ବେଳେ କରୋନା ପରେ େସମାନଙ୍କୁ ଅନ୍ୟତ୍ର ପଠାଯିବ ବୋଲି ଜଣାପଡ଼ିଛି।

ଆରମ୍ଭ ହେଲା ଟ୍ରୁ-ନାଟ ପରୀକ୍ଷା
କ୍ୟାପିଟାଲ ହସ୍ପିଟାଲରେ ଆଜିଠୁ ପୁଣି ଆରମ୍ଭ ହୋଇଛି ଟ୍ରୁ-ନାଟ ପରୀକ୍ଷା। କ୍ୟାଟ୍ରିଜ ନଥିବା ଯୋଗୁଁ ଗତ ୨୦ ଦିନ ହେବ ଏହି ପରୀକ୍ଷା ବନ୍ଦ ରହିଥିଲା। କ୍ୟାଟ୍ରିଜ ଆସିବାପରେ ପୁଣି ପରୀକ୍ଷା ଆରମ୍ଭ ହୋଇଛି। ଆଜି ୧୮ ଜଣଙ୍କ ପରୀକ୍ଷା କରାଯାଇଥିବା ଜଣାପଡ଼ିଥିବାବେଳେ କେତେ ଜଣଙ୍କ ପଜିଟିଭ ରହିଛି ତାହା ସ୍ପଷ୍ଟ ହୋଇନାହିଁ।

Comments
Loading...