କ୍ୟାପିଟାଲ ହସ୍ପିଟାଲ: ଜଟିଳ ହେଉଛି ପାର୍କିଂ ସମସ୍ୟା

ଉଠା ଦୋକାନୀଙ୍କ ଉପରେ ନାହିଁ ଅଙ୍କୁଶ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ପାର୍କିଂ ସମସ୍ୟା ଉପରେ ଲାଗିପାରୁନି ଅଙ୍କୁଶ। ହସ୍ପିଟାଲ ପରିସରରେ ଦୁଇଟି ଗାଡ଼ି ଷ୍ଟାଣ୍ଡ ସହିତ ଅନେକ ଜାଗା ପାର୍କିଂ ପାଇଁ ଉଦ୍ଦିଷ୍ଟ ରହିଥିଲେ ହେଁ ସମସ୍ୟା ତୁଟୁନି। କର୍ତ୍ତୃପକ୍ଷ ଏହାର ସଠିକ୍‌ ତଦାରଖ କରୁନଥିବା ଯୋଗୁଁ ସମସ୍ୟା ବଢ଼ିବାରେ ଲାଗିଛି। ନୋ-ପାର୍କିଂ ଲେଖା ଯାଇଥିବା ସ୍ଥାନରେ ପାର୍କିଂ କରାଯାଉଛି। ଏହାଛଡା ଦିନକୁ ଦିନ ଆଶୁଚିକିତ୍ସା କେନ୍ଦ୍ର ସାମ୍ନାରେ ଉଠାଦୋକନୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ବିଗତ ୩ବର୍ଷ ହେବ ଏସବୁ ଉଚ୍ଛେଦ ହେଉଥିବାବେଳେ ଉଠାଦୋକାନୀଙ୍କ ଉପରେ ଲାଗିପାରିଲାନି ଅଙ୍କୁଶ। ହସ୍ପିଟାଲରେ ଦିନକୁ ଦିନ ଅସ୍ଥାୟୀ ଦୋକାନ ବଢ଼ିବାରେ ଲାଗିଥିବାରୁ ଏହା ପାର୍କିଂ ସମସ୍ୟା ସହିତ ରୋଗୀ ଏବଂ ସମ୍ପର୍କୀୟଙ୍କୁ ଅସ୍ତବ୍ୟସ୍ତ କରିଚାଲିଛି।

ନିକଟରେ ପିଜିଆଇ ପାଇଁ ସରକାର ନିଷ୍ପତ୍ତି ନେବାପରେ ଏନେଇ କାର୍ୟ୍ୟ ଆଗେଇଛି। ହେଲେ ପରିସରରେ ପାର୍କିଂ ସମସ୍ୟା ବ୍ୟବସ୍ଥିତ କରାଯାଇପାରି ନାହିଁ। ପ୍ରବେଶ ପଥରୁ ଆରମ୍ଭ କରି ସ୍ତ୍ରୀ ଓ ପ୍ରସୂତି ବିଭାଗ ନିକଟରେ ଉଭୟ ବାଇକ୍, କାର୍‌ ଏବଂ ଅଟୋ ପାର୍କିଂ କରାଯାଉଛି। ଏହାଦ୍ବାରା ରାସ୍ତା ସଂକୀର୍ଣ୍ଣ ହୋଇଯାଉଛି। ଏନେଇ କେବଳ ଆମ୍ବୁଲାନ୍ସ ନୁହେଁ ଅନ୍ୟାନ୍ୟ ଗାଡ଼ି ସହିତ ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ଯିବା ଆସିବା କରିବାରେ ଅସୁବିଧା ଭୋଗୁଛନ୍ତି। ଏହାସହିତ ଆହାର କେନ୍ଦ୍ରରେ ଖାଦ୍ୟ ଦିଆଯିବା ସମୟରେ ଉଭୟ ପାର୍ଶ୍ବରେ ଗାଡ଼ି ପାର୍କିଂ କରାଯିବା ଦ୍ବାରା ସମସ୍ୟା ସୃଷ୍ଟି ହେଉଛି। ଆଶୁ ଚିକିତ୍ସା କେନ୍ଦ୍ର ସାମ୍ନା, ମୁଖ୍ୟ ଫାଟକ ଦୁଇ ପାର୍ଶରେ ଲୋକେ ସେମାନଙ୍କର ଯାନବାହାନ ସବୁ ପାର୍କିଂ କରୁଥିବାରୁ ଯାତାୟାତ‌େ‌ର ସମସ୍ୟା ସୃଷ୍ଟି କରୁଛି। ଏହାବ୍ୟତୀତ ପ୍ରଶାସନିକ କାର୍ୟ୍ୟାଳୟ ଭିତରେ ଥିବା ନୋ-ପାର୍କିଂ ଜୋନ୍‌ ମଧ୍ୟ ପାର୍କିଂରୁ ବାଦ୍‌ ପଡୁନି। ଏହି ପାର୍କିଂ ସମସ୍ୟା ଦୂର ପାଇଁ ଲକ୍ଷାଧିକ ଟଙ୍କା‌ ଖର୍ଚ୍ଚ କରାଯାଇ ନୂଆ ଫାଟକ ନିର୍ମାଣ ସହିତ ସେଠାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଗଲା। ଏହାସତ୍ତ୍ବେ ସ୍ଥିତିରେ କୌଣସି ସୁଧାର ନ ଆସିବାରୁ ମଝିରେ ଆଉ ଏକ ପାଚେରି କରାଗଲା ଓ ତାହାମଧ୍ୟ ଫଳପ୍ରଦ ହେଲାନି। ଏବେ ଯିଏ ପାଇଲା ଯେଉଁଠି ମନଇଚ୍ଛା ପାର୍କିଂ କରିଚାଲିଛି । ଦାୟିତ୍ବରେ ଥିବା ସୁରକ୍ଷାକର୍ମୀଙ୍କ କଥା କେହି ଶୁଣୁନାହାନ୍ତି।

 

ଅନେକ ସମୟରେ ଏହି ପାର୍କିଂ ସମସ୍ୟା ଯୋଗୁଁ ହସ୍ପିଟାଲରୁ ରେଫର ହୋଇ ଅନ୍ୟ ହସ୍ପିଟାଲକୁ ଯାଉଥିବା ଆମ୍ବୁଲାନ୍ସକୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। ହସ୍ପିଟାଲ ପରିସରରେ ୟୁଟିଲିଟି କେନ୍ଦ୍ର ରହିଥିବା ସତ୍ତ୍ବେ ଅନେକ ଅସ୍ଥାୟୀ ଦୋକାନ ଗଢ଼ିଉଠିଛି। ପରିସରରେ ଅସ୍ଥାୟୀ ଦୋକାନ ଯୋଗୁଁ ପରିବେଶ ଦୂଷିତ ହେବା ସହିତ ଆମ୍ବୁଲାନ୍ସ ଏବଂ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। ସେଠାରେ କିଛି ବ୍ୟବସାୟୀ ଅବକାରୀ ସାମଗ୍ରୀ ବିକ୍ରି କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ପରିସରରେ ଥିବା ୟୁଟିଲିଟି ସେଣ୍ଟର ବ୍ୟବସାୟୀଙ୍କଠାରୁ ମାସିକ ହଜାର ହଜାର ଟଙ୍କା ଭଡ଼ା ବାବଦରେ ନେଉଥିବାବେଳେ ମନଇଚ୍ଛା ଅସ୍ଥାୟୀ ଦେକାନ ଖୋଲିବା ଯୋଗୁଁ ସେମାନଙ୍କ ବ୍ୟବସାୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି।
ଏନେଇ ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି ପୂର୍ବାପେକ୍ଷା ରୋଗୀ ସଂଖ୍ୟା ବୃଦ୍ଧି ପାଇଥିବାରୁ ଅଧିକସଂଖ୍ୟକ ଗାଡ଼ିମୋଟର ଆସୁଛି। ପାର୍କିଂ ସ୍ଥାନ ରହିଥିଲେ ମଧ୍ୟ ଲୋକେ ଏଣେତେଣେ ଗାଡ଼ି ରଖୁଛନ୍ତି ା ଏଥିଲାଗି ଲୋକେ ସଚେତନ ହେବାର ଆବଶ୍ୟକତା ରହିଛି।

Comments are closed.