କ୍ୟାପିଟାଲ ହସ୍ପିଟାଲ: ପିଜି ପାଠ୍ୟକ୍ରମ ପାଇଁ ଗଠନ ହେଲା କମିଟି

ଝୁଲି ରହିଥିବା ପ୍ରସ୍ତାବ ଉପରେ ୧୫ ଦିନ ହେବ ମୋହର ବାଜିଲା ପରେ ଜୋରସୋରରେ କାର୍ଯ୍ୟ କରାଯାଉଛି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ପିଜିଆଇ (ପୋଷ୍ଟ ଗ୍ରାଜୁଏଟ ଇନ୍‌ଷ୍ଟିଚ୍ୟୁଟ)ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଝୁଲି ରହିଥିବା ପ୍ରସ୍ତାବ ଉପରେ ୧୫ ଦିନ ହେବ ମୋହର ବାଜିଲା ପରେ ଜୋରସୋରରେ କାର୍ଯ୍ୟ କରାଯାଉଛି। ଏନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲ। ଯେଉଁଥିରେ ଏକ କମିଟି ଗଠନ କରାଯାଇଥିଲା। ପାଠ୍ୟକ୍ରମ ସମ୍ବନ୍ଧରେ କମିଟି ସଦସ୍ୟ ଆଲୋଚନା କରି ପଦକ୍ଷେପ ଗ୍ରହଣ କରି‌େ‌ବ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକରେ ପାଠ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପାଠ୍ୟକ୍ରମ ଆରମ୍ଭ ହେଲା ପରେ କେଉଁ କେଉଁ ବିଭାଗରେ ଶିକ୍ଷା ପ୍ରଦାନ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଯେଉଁ ବିଭାଗରେ ପିଜି ପାଠ୍ୟକ୍ରମ ଦିଆଯିବ ଏହାର ମନୋନୟନ ପାଇଁ ଏକ କମିଟି ଗଠନ କରାଯାଇଛି। ଯେଉଁଥିରେ ଡିଏମ୍‌ଇଟି ଡା. ସିବିକେ ମହାନ୍ତି, ସ୍ବାସ୍ଥ୍ୟ ସେବା ନିର୍ଦେଶକ ଡା. ବିଜୟ ମହାପାତ୍ର ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ ରହିଛନ୍ତି। ଖୁବ୍‌ଶୀଘ୍ର ଆଉ ଏକ ବୈଠକ କରାଯାଇ ଏଦିଗରେ ବିଧିବଦ୍ଧଭାବେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।


ଲାଞ୍ଚ ନେଇ ଧରାପଡ଼ିଲେ ଦୁଇ କର୍ମଚାରୀ
ଦିନକୁ ଦିନ କ୍ୟାପିଟାଲ ହସ୍ପିଟାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଲାଞ୍ଚ କାରବାର ବଢ଼ିବାରେ ଲାଗିଛି। କେତେବେଳେ ମିଠାଖିଆ ପାଇଁ ନବଜାତ ପରିବାରଙ୍କୁ ଟଙ୍କା ମାଗୁଛନ୍ତି ତ ପୁଣି କେତେବେଳେ ସହଯୋଗ କରି ହାତଉଛନ୍ତି। ପୂର୍ବରୁ ଏନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିବାବେଳେ ଆଜି ଦୁଇ କର୍ମଚାରୀ ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଆଟେଣ୍ଡାଣ୍ଟ ଏବଂ ଜଣେ ସୁଇପର ଥିବା ଜଣାପଡ଼ିଛି। କାର୍ୟ୍ୟାନୁଷ୍ଠାନ ସ୍ବରୂପ ଦୁଇ କର୍ମଚାରୀଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ଅନ୍ୟତ୍ର କାର୍ୟ୍ୟଭାର ପ୍ରଦାନ କରାଯାଇଛି ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ରାଜଧାନୀ ଉପକଣ୍ଠର ଜଣେ ପ୍ରସୂତି କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ତାଙ୍କର ଅ‌େ‌ସ୍ତ୍ରାପଚାର ପରେ ଓଟିରୁ ଷ୍ଟ୍ରେଚର ଯୋଗେ କ୍ୟାବିନକୁ ନେଇଥିଲେ ଏହି ଦୁଇ କର୍ମଚାରୀ। ଏନେଇ ସେମାନେ ଟଙ୍କା ମାଗିଥିଲେ। ପରିବାର ଲୋକେ ଘଟଣା ସମ୍ପର୍କରେ ନିର୍ଦେଶକଙ୍କୁ ଫୋନ ଯୋଗେ ଜଣାଇଥିଲେ। ଘଟଣା ସମ୍ପର୍କରେ ଯାଞ୍ଚ କରି ପଦକ୍ଷେପ ସ୍ବରୂପ ସମ୍ପୃକ୍ତ ଦୁଇ କର୍ମଚାରୀଙ୍କୁ ସେଠାରୁ ହଟାଇ ଦିଆଯାଇଛି।

Comments are closed.