କ୍ୟାପିଟାଲ ହସ୍ପିଟାଲ : କାହା ପାଇଁ ହେଲ୍ପ ଡେସ୍କ ?

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରୁ ଆରମ୍ଭ ହୋଇଥିଲା ମୋ ସରକାର କାର୍ଯ୍ୟକ୍ରମ। ଗାନ୍ଧୀ ଜୟନ୍ତୀରୁ ଏହି ଯୋଜନା ଆରମ୍ଭ ହୋଇ ଏହାଭିତରେ ୫ମାସ ବିତିଯାଇଛି। ହସ୍ପିଟାଲରେ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଯାହାର ସଦ୍ୟତମ ଉଦାହରଣ ହେଉଛି ହେଲ୍ପ ଡେସ୍କ। ହସ୍ପିଟାଲର ରୋଗୀ ଏବଂ ତାଙ୍କର ସମ୍ପର୍କୀୟଙ୍କୁ ସାହାଯ୍ୟ କରିବା ପାଇଁ ରହିଛି ହେଲ୍ପ ଡେସ୍କ। ମାତ୍ର ଏଠାରେ ପଙ୍ଖା ବୁଲୁଥିବା ବେଳେ ଚେୟାର ରହିଛି କିନ୍ତୁ ବହୁ ସମୟରେ କର୍ମଚାରୀ ରହୁନାହାନ୍ତି। ଏନେଇ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ନାହିଁ ନଥିବା ହଇରାଣ ହେଉଛନ୍ତି। ବିଭିନ୍ନ ଓପିଡି ସହିତ ବିଭାଗକୁ ଯିବା ପାଇଁ ହେଲ୍ପ ଡେସ୍କ ସହଯୋଗ କରିବା ପାଇଁ ଥିବାବେଳେ ଏହାର ଉଦ୍ଦେଶ୍ୟ କେତେଦୂର ସାଧିତ ହେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ ସହିତ ଟିକଟ କାଉଣ୍ଟର ନିକଟ ଏବଂ ପାଥୋଲାବରେ ହେଲ୍ପ ଡେସ୍କ କାର୍ୟ୍ୟ କରୁଛି। କର୍ମଚାରୀ ରହୁ ନଥିବାରୁ ଅନେକ ସମୟରେ ସାଧାରଣ ଲୋକ ଉପକୃତ ହେଉନାହାନ୍ତି। ହସ୍ପିଟାଲକୁ ଦୈନିକ ୩୫୦୦ରୁ ଊର୍ଦ୍ଧ୍ବ ରୋଗୀ ଆସୁଛନ୍ତି। ଏମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ଗରିବ ଏବଂ ଦିନମଜୁରିଆ। ଏହାବ୍ୟତୀତ ରାଜଧାନୀର ଉପକଣ୍ଠ ସହିତ ବହୁସଂଖ୍ୟାରେ ରୋଗୀ ଅନ୍ୟ ହସ୍ପିଟାଲରୁ ରେଫର ହୋଇଆସୁଛନ୍ତି। ସେମାନେ ସମ୍ପୂର୍ଣ୍ଣ ଭାବେ ହସ୍ପିଟାଲର ବିଭିନ୍ନ ବିଭାଗ ବିଷୟରେ ଜାଣିନାହାନ୍ତି। ଟିକଟ କାଟିଲା ପରେ କେଉଁ ବିଭାଗକୁ ଯିବେ ଏବଂ ରକ୍ତ ନମୁନା କେଉଁଠି ପରୀକ୍ଷା ନିମ‌େ‌ନ୍ତ ଦେ‌େ‌ବ ତଥା ଏକୁଟିଆ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀଙ୍କୁ ସହଯୋଗ କରିବାରେ ହେଲ୍ପ ଡେସ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏହା ସହିତ ଅନେକ ସମୟରେ ରୋଗୀଙ୍କୁ ହ୍ବିଲ ଚେୟାର ତଥା ଷ୍ଟ୍ରେଚରରେ ବିଭାଗକୁ ନେବା ଆଣିବା କରିଥାନ୍ତି। ଅନେକ ସମୟରେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି ରୋଗୀ। ବର୍ତ୍ତମାନ ହସ୍ପିଟାଲର ତିନୋଟି ସ୍ଥାନରେ ହେଲ୍ପ ଡେସ୍କ କରୁଥିବା ବେଳେ ଏଥିପାଇଁ ୧୦ ଜଣ କର୍ମଚାରୀ ରହିଛନ୍ତି। ସକାଳ ବେଳା ପାଥୋଲାବରେ ଦୁଇଜଣ କାର୍ଯ୍ୟ କରୁଥିବାବେଳେ ତିନୋଟି ସିଫ୍ଟରେ ମୋଟ ୧୦ଜଣ କାର୍ଯ୍ୟ କରୁଛନ୍ତି। କର୍ମଚାରୀ ଅଭାବରୁ ୨୪ଘଣ୍ଟିଆ ସେବା ଫେଲ୍‌ ମାରିଛି। ସୂଚନା ଅନୁସାରେ ଏନ୍‌ଏଚଏମ୍‌ ଜରିଆରେ ଏମାନେ ନିଯୁକ୍ତି ପାଇଛନ୍ତି ଏବଂ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି। ହେଲ୍ପ ଡେସ୍କକୁ ତ୍ବରାନ୍ବିତ କରିବା ପାଇଁ ଏନ୍‌ଏଚ୍‌ଏମ୍‌ ଅଧିକାରୀମାନେ ମଧ୍ୟ ଏହାର ତଦାରଖ କରୁଛନ୍ତି। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ହେଲ୍ପ ଡେସ୍କରେ ଆବଶ୍ୟକ କର୍ମଚାରୀ ନିଯୁକ୍ତି ପାଇଁ ଚିଠି ଲେଖାଯାଇଛି।

Comments
Loading...