କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆ କ୍ରୀଡ଼ା ଭିତ୍ତିଭୂମିର ନୂଆ ସମ୍ଭାବନା

ଭୁବନେଶ୍ବର : କ୍ରୀଡ଼ା ରାଜଧାନୀ ଭୁବନେଶ୍ବରରେ ଗୋଟିଏ ପରେ ଗୋଟିଏ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ହେବାରେ ଲାଗିଛି। ହକି ହେଉ କି ଫୁଟବଲ, ଭାରୋତ୍ତୋଳନ ଅବା ବ୍ୟାଡ଼ମିଣ୍ଟନ ଭଳି କ୍ରୀଡ଼ାର ଭିତ୍ତିଭୂମି ସୃଷ୍ଟି ହେଉଛି। କ୍ରୀଡ଼ା ଭିତ୍ତିଭୂମି କେବଳ କଳିଙ୍ଗ ଷ୍ଟାଡିୟମ ମଧ୍ୟରେ ସୀମିତ ନରହି ବିଦ୍ୟାଳୟ ଓ କ୍ଳବସ୍ତରରେ ପହଞ୍ଚିଛି। ରାଜ୍ୟର ଅନ୍ୟତମ ପ୍ରମୁଖ ଉଚ୍ଚ ବିଦ୍ୟାଳୟ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ନୂତନ ଫୁଟବଲ ପଡ଼ିଆ ନିର୍ମାଣ ଆରମ୍ଭ ହୋଇଛି। ଯାହା ଫୁଟବଲର ବିକାଶରେ ସହାୟକ ହେବା ସହିତ ବିଦ୍ୟାଳୟ କ୍ରୀଡ଼ାର ଉନ୍ନତିରେ ସହାୟକ ହେବ। ଭାରତରେ ଚଳିତ ବର୍ଷ ନଭେମ୍ବରରେ ଭାରତରେ ୧୭ବର୍ଷରୁ କମ୍‌ ମହିଳା ଫିଫା ବିଶ୍ବକପ ଖେଳାଯିବ। ଭେନ୍ୟୁ ତାଲିକାରେ ଭୁବନେଶ୍ବର ସ୍ଥାନ ପାଇଛି। କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଖେଳାଯିବା ନେଇ ଫିଫା ପକ୍ଷରୁ ନିଷ୍ପତ୍ତି ହୋଇଛି। ଏଥିପାଇଁ କଳିଙ୍ଗ ଷ୍ଟାଡିୟମ ମୁଖ୍ୟ ପଡ଼ିଆ ସହିତ ଅଭ୍ୟାସ ଲାଗି ସହରର ଅନ୍ୟ ୪ଟି ଗ୍ରାଉଣ୍ଡ ପ୍ରସ୍ତୁତ ହେଉଛି। କଳିଙ୍ଗ ଷ୍ଟାଡିୟମ ଅଭ୍ୟାସ ପଡ଼ିଆ ସହ ଓଏସ୍‌ଏପି ସପ୍ତମ ବାଟାଲିୟନ ପରିସରରେ ଦୁଇଟି ଓ କ୍ୟାପିଟାଲ ହାଇସ୍କୁଲ ଖେଳ ପଡ଼ିଆରେ ଗୋଟି ଏ ଅଭ୍ୟାସ ପଡ଼ିଆ ନିର୍ମାଣ ହେଉଛି। କ୍ୟାପିଟାଲ ହାଇସ୍କୁଲ ଖେଳ ପଡ଼ିଆରେ ଉକ୍ତ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି। ଫିଫାର ନିୟମ ଅନୁଯାୟୀ ପଡ଼ିଆକୁ ବିଶ୍ବସ୍ତରୀୟ ଢାଞ୍ଚା​‌େ​‌ର ପ୍ରସ୍ତୁତ କରାଯାଉଛି। ଏଥିପାଇଁ ପଡ଼ିଆରେ ପୂର୍ବରୁ ରହିଥିବା ଘାସକୁ ବାହାର କରିଦିଆଯାଇଛି। ଏଥିରେ ନୂତନ ଭାବେ ବର୍ମୁଣ୍ଡା ଘାସ ବିଛାଯିବ। ଏହାଛଡ଼ା ଖେଳାଳି ଡ୍ରେସିଂ ରୁମ୍‌ ସହ ଗ୍ୟାଲେରୀ ମଧ୍ୟ ନିର୍ମାଣ କରାଯାଉଛି। ଉକ୍ତ କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଛି। ବିଦ୍ୟାଳୟସ୍ତରରେ ଏଭଳି ଫୁଟବଲ ପଡ଼ିଆ ତୃଣମୂଳସ୍ତରରୁ ଫୁଟବଲର ବିକାଶ ସହ ରାଜଧାନୀରେ ବିଦ୍ୟାଳୟ ଫୁଟବଲର ବିକାଶରେ ସହାୟକ ହେବ।

କ୍ୟାପିଟାଲ ହାଇସ୍କୁଲ କ୍ରୀଡ଼ା ଶିକ୍ଷକ କିଶୋର କୁମାର ଲେଙ୍କା କହିଛନ୍ତି, ୬୯ ବର୍ଷର ଉକ୍ତ ବିଦ୍ୟାଳୟ ଖେଳ ପଡ଼ିଆ ପିଲାମାନଙ୍କ ଖେଳର ପ୍ରମୁଖ କେନ୍ଦ୍ର ଭାବେ ବ୍ୟବହାର କରାଯାଉଛି। ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଏହାକୁ ଫିଫା ଷ୍ଟାଣ୍ଡାର୍ଡର ଫୁଟବଲ ପଡ଼ିଆ ନିର୍ମାଣ ସ୍ବାଗତଯୋଗ୍ୟ ପଦକ୍ଷେପ। ଯାହା ଫଳରେ ବିଦ୍ୟାଳୟରେ ଉନ୍ନତମାନର ଖେଳ ପଡ଼ିଆ ସୃଷ୍ଟି ହୋଇପାରିବ। ବିଶ୍ବକପ ଲାଗି ଅଭ୍ୟାସରେ ପଡ଼ିଆକୁ ବ୍ୟବହାର କରାଯିବ। ପରେ ଏଠାରେ ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନ ନେଇ ମଧ୍ୟ ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ଲେଙ୍କା କହିଛନ୍ତି।

Comments are closed.