ସାହିନବାଗ୍‌ ବିକ୍ଷୋଭ ମାମଲାରେ ସୁପ୍ରିମକୋର୍ଟଙ୍କ ମତ : ବିକ୍ଷୋଭ ନାଁରେ ରାସ୍ତା ବନ୍ଦ ରହିବ ନାହିଁ

ନୂଆଦିଲ୍ଲୀ : ସାହିନବାଗ୍‌ ବିକ୍ଷୋଭକାରୀ ପ୍ରତିବାଦ ଆଳରେ ଅନିର୍ଦିଷ୍ଟ କାଳ ସର୍ବସାଧାରଣ ରାସ୍ଥା ବନ୍ଦ କରିପାରିବେ ନାହିଁ। ଆନ୍ଦୋଳନ କରିବାକୁ ବା ବିକ୍ଷୋଭ ପ୍ରଦର୍ଶନ ପାଇଁ କାହାକୁ ମନା ନାହିଁ; କିନ୍ତୁ ଏହା ନିର୍ଦ୍ଦିଷ୍ଟ ସ୍ଥାନରେ ହେବା ଉଚିତ; ଯେମିତି ସର୍ବସାଧାରଣ ଏହାଦ୍ବାରା ସମସ୍ୟା ନ ଭୋଗନ୍ତି ବୋଲି ସୋମବାର ମତବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। ସଂଶୋଧିତ ନାଗରିକତ୍ବ ଆଇନ (ସିଏଏ) ବିରୋଧରେ ପ୍ରାୟ ଦୁଇ ମାସ ଧରି ଦକ୍ଷିଣ-ପୂର୍ବ ଦିଲ୍ଲୀର ସାହିନବାଗ୍‌ ଅଞ୍ଚଳରେ ମହିଳାମାନେ ମୁଖ୍ୟ ରାସ୍ତା ଉପରେ ବିକ୍ଷୋଭ ଜାରି ରଖିଛନ୍ତି। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହି ଆନ୍ଦୋଳନ ହଟାଇବାକୁ ନିର୍ଦେଶ ଦେଇପାରିବେ ନାହିଁ ବୋଲି କହିଥିଲେ। ଏହାର ପ୍ରତିବାଦ​‌ରେ ଓ ବିକ୍ଷୋଭ ହଟାଇବାକୁ ଆଇନଜୀବୀ ଅମିତ ସାହାଣି ଏବଂ ବିଜେପିର ନନ୍ଦକିଶୋର ଗର୍ଗ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ବିଚାରପତି ସଞ୍ଜୟ କିଷାନ କାଉଲ ଓ ବିଚାରପତି କେ.ଏମ୍‌ ଯୋଶେଫଙ୍କୁ ନେଇ ଗଠିତ ପୀଠ ବିଧାନସଭା ନିର୍ବାଚନ ପରେ ପରିସ୍ଥିତିରେ ସୁଧାର ଆସିଥିବ ବୋଲି ଆଶାବ୍ୟକ୍ତ କରିବା ସହ ସୋମବାର, ୧୦ତାରିଖକୁ ଶୁଣାଣି ଧାର୍ଯ୍ୟ କରିଥିଲେ।

ସେହି ଅନୁସାରେ ପୀଠ ଦର୍ଶାଇଛନ୍ତି ଯେ ସରକାର ଏକ ଆଇନ ଆଣିଛନ୍ତି ଏବଂ ଏହା ବିରୋଧରେ ଲୋକଙ୍କର ଆପତ୍ତି ରହିଛି। ଏହାକୁ ନେଇ ଦେଶସାରା ପ୍ରତିବାଦ ବିକ୍ଷୋଭ ଜାରି ରହିଛି ଏବଂ ସର୍ବୋଚ୍ଚ ନ୍ୟାୟାଳୟରେ ମଧ୍ୟ ମାମଲା ବିଚାରାଧୀନ ରହିଛି। ଲୋକଙ୍କର ଆନ୍ଦୋଳନ କରିବାର ଅଧିକାର ରହିଛି; କିନ୍ତୁ ସେମାନେ ସର୍ବସାଧାରଣ ରାସ୍ତା ବନ୍ଦ କରିବା ସମୀଚୀନ ନୁହେଁ। ସାହିନବାଗ୍‌ ଭଳି ମହତ୍ତ୍ବପୂର୍ଣ୍ଣ ରାସ୍ତାକୁ ଆନ୍ଦୋଳନ ନାଁରେ ଦୀର୍ଘ କାଳ ବନ୍ଦ କରି ରଖିବା ଓ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବା ଠିକ୍‌ ନୁହେଁ। ସେମାନଙ୍କର ଯଦି ଦୀର୍ଘ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିକ୍ଷୋଭ କରିବାର ଅଛି; ତେବେ ଅନ୍ୟ କେଉଁ ସ୍ଥାନରେ କରିପାରିବେ ବୋଲି ପୀଠ କହିଛନ୍ତି।
ଏଥିସହିତ ପୀଠ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ସହ ଦିଲ୍ଲୀ ପୁଲିସକୁ ନୋଟିସ ଜାରି କରିଛନ୍ତି। ସପ୍ତାହକ ମଧ୍ୟରେ ଜବାବ ଲୋଡ଼ିଛନ୍ତି। ଅପରପକ୍ଷଙ୍କ ଜବାବ ନ ଶୁଣି ବିକ୍ଷୋଭ ବନ୍ଦ ପାଇଁ କୌଣସି ନିର୍ଦେଶ ଦେଇ ହେବ ନାହିଁ ବୋଲି ପୀଠ ସ୍ପଷ୍ଟ କରିଛନ୍ତି। ଗତ ୫୦ ଦିନ ଧରି ଯଦି ଲୋକେ ବିକ୍ଷୋଭଜନିତ ସମସ୍ୟାକୁ ସହ୍ୟ କରିପାରୁଛନ୍ତି; ତେବେ ଆଉ କିଛି ଦିନ କାହିଁକି ଧୈର୍ଯ୍ୟ ଧରିପାରିବେ ନାହିଁ ​‌େ​‌ବ​‌ାଲି ପୀଠ କହିବା ସହ ୧୭ତାରିଖକୁ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଡିସେମ୍ବର ୧୫ଠାରୁ କାଳିନ୍ଦୀକୁଞ୍ଜ-ସାହିନବାଗ୍‌ ମୁଖ୍ୟ ରାସ୍ତା ବିକ୍ଷୋଭ ଯୋଗୁଁ ବନ୍ଦ ରହିଛି; ଫଳରେ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Comments are closed.