ନାମାଙ୍କନ ଖାରଜ ହେବା ପରେ ଗଛରେ ଚଢି ଆତ୍ମହତ୍ୟା ଧମକ ଦେଲେ ପ୍ରାର୍ଥୀ

ଲଖିମପୁର-ଖିରା : ଉତ୍ତରପ୍ରଦେଶ ଧୌରହରା ଲୋକସଭା ନିର୍ବାଚନ ମଣ୍ଡଳୀରେ ନାମାଙ୍କନ ଖାରଜକୁ ନେଇ ହଙ୍ଗାମା ହୋଇଛି। ଯାଞ୍ଚ ପରେ ପ୍ରଶାସନ ଦ୍ବାରା ନାମାଙ୍କନ ଖାରଜ ହୋଇଥିବା ୭ ପ୍ରାର୍ଥୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ହୋହଲ୍ଲା କରିଥିଲେ। ନାମାଙ୍କନ ଖାରଜ ହୋଇଥିବା ସର୍ବ ସମାଜ ପାର୍ଟିର ପ୍ରାର୍ଥୀ ଗଛରେ ଚଢି ଫାଶୀ ଲଗାଇ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ଫଳରେ ସେଠାକୁ ଅଧିକ ପୁଲିସ୍‍ ଫୋର୍ସ ଡକାଯାଇଥିଲା। ପୁଲିସ୍‍ ଛାଉଣୀରେ ପ୍ରାର୍ଥୀଙ୍କୁ ଗଛରୁ ତଳକୁ ଓହ୍ଲାଯାଇଥିଲା।
ପ୍ରକାଶ ଯେ ଗୋଟିଏ ଦିନ ପୂର୍ବରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିଲା। ଶନିବାର ନାମାଙ୍କନ ଯାଞ୍ଚର ଦିନ ଥିଲା। ମୋଟ ୨୨ ଜଣ ନାମାଙ୍କନ ଦାଖଲ କରିଥିଲେ। ଯାଞ୍ଚ ପରେ ୭ ଜଣଙ୍କ ନାମାଙ୍କନ ଖାରଜ କରିଦିଆଯାଇଥିଲା। ଏହା ଜଣାପଡିବା ପରେ ହତାଶ ପ୍ରାର୍ଥୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ହଙ୍ଗାମା କରିଥିଲେ। ଜଣେ ପ୍ରାର୍ଥୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏକ ଗଛରେ ଚଢିଯାଇ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ।

Comments are closed.