୧୫ ସ୍ଥାନରେ ଖୋଲିବ କର୍କଟ ୟୁନିଟ

0

ଭୁବନେଶ୍ବର : ରାଜ୍ୟରେ କ୍ୟାନସର ଚିକିତ୍ସା ସୁବିଧାକୁ ବ୍ୟାପକ କରାଯିବ। ଏଥିପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ସମୁଦାୟ ୧୫ଟି ପ୍ରଥମ, ଦ୍ବିତୀୟ ଏବଂ ତୃତୀୟସ୍ତରୀୟ ଚିକିତ୍ସା ୟୁନିଟ ଖୋଲାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିପାଇଁ ହଜାରେ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାର ୫୦୦ କୋଟି ଏବଂ ଟାଟା ଟ୍ରଷ୍ଟ ୫୦୦କୋଟି ଟଙ୍କା ଯୋଗାଇବେ। ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇ ଆସନ୍ତା ୨ ବର୍ଷ ମଧ୍ୟରେ ଚିକିତ୍ସାସେବା ଯୋଗାଣ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା କ୍ୟାନସର ଚିକିତ୍ସା ଯୋଜନାର ପ୍ରଥମ ପରାମର୍ଶଦାତା କମିଟି ବୈଠକରେ ଏହା ନିଷ୍ପତ୍ତି ହୋଇଛି।
ପ୍ରଥମସ୍ତରୀୟ ୟୁନିଟ ଭାବେ ଭୁବନେଶ୍ବରରେ ବିଶ୍ବସ୍ତରୀୟ ଟାଟା ମେମୋରିଆଲ ହସ୍ପିଟାଲ ପ୍ରତିଷ୍ଠା କରାଯିବ। ଏଥିପାଇଁ ସରକାର ୨୫ ଏକର ଜମି ଯୋଗାଇ ଦେବେ। କଟକରେ ଥିବା ଆଚାର୍ଯ୍ୟ ହରିହର ହସ୍ପିଟାଲକୁ କ୍ୟାନସର ଚିକିତ୍ସାର ପ୍ରଥମସ୍ତରୀୟ ଅନୁଷ୍ଠାନ ଭାବେ ବିକଶିତ କରାଯିବ। ବୁର୍ଲା, କଳାହାଣ୍ଡି, ବ୍ରହ୍ମପୁର, କୋରାପୁଟ ଆଦି ସ୍ଥାନରେ ଥିବା ସରକାରୀ ମେଡିକାଲ କଲେଜ ସମେତ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଦ୍ବିତୀୟସ୍ତରୀୟ କ୍ୟାନସର ୟୁନିଟ ପ୍ରତିଷ୍ଠା କରାଯିବ। ସେହିପରି ଝାରସୁଗୁଡା, କେନ୍ଦୁଝର, ବାରିପଦା, ବାଲେଶ୍ବର, ବଲାଙ୍ଗୀର, ବରଗଡ଼, ନବରଙ୍ଗପୁର ଓ ଅନୁଗୋଳରେ ଥିବା ସରକାରୀ ହସ୍ପିଟାଲରେ ତୃତୀୟସ୍ତରୀୟ ୟୁନିଟ କରାଯିବ। ଏହି ସମସ୍ତ ସ୍ଥାନରେ କ୍ୟାନସରର ସମ୍ପୂର୍ଣ୍ଣ ଚିକିତ୍ସା ଉପଲବ୍ଧ ହେବ। ଏହି ୟୁନିଟଗୁଡ଼ିକ ପାଇଁ ସ୍ପେଶାଲିଷ୍ଟ, ସୁପର ସ୍ପେଶାଲିଷ୍ଟ, ଡାକ୍ତର ଓ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ନିୟୋଜନ ନିମନ୍ତେ ଆଗୁଆ ପଦକ୍ଷେପ ନେବା ପାଇଁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ରାଜ୍ୟରେ ବ୍ୟାପକ କ୍ୟାନସର ଚିକିତ୍ସା ସୁବିଧା ସୃଷ୍ଟି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ ଏବଂ ଟାଟା ଟ୍ରଷ୍ଟ ମଧ୍ୟରେ ପୂର୍ବରୁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। କ୍ୟାନସର ୟୁନିଟ ପାଇଁ ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟ ଉଭୟ ପାଣ୍ଠି ଯୋଗାଇବା ବ୍ୟବସ୍ଥା ରହିଛି।
ଯୋଜନାର କାର୍ଯ୍ୟାନ୍ବୟନକୁ ଅଧିକ ଫଳପ୍ରସୂ କରିବା ନେଇ ଉଭୟ ପ୍ରତିରୋଧକ ଓ ପ୍ରତିଷେଧକ ପଦକ୍ଷେପ ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟ ଶାସନ ସଚିବ କହିଛନ୍ତି। ସେବା ଯୋଗାଣ ଏବଂ ଏହାର ତଦାରଖ ପାଇଁ ଜିଲାସ୍ତରରେ ଏକ ବହୁମୁଖୀ ସମନ୍ବୟ କମିଟି ଗଠନ କରିବାକୁ ଉନ୍ନୟନ କମିଶନର ଆର.ବାଳକ୍ରିଷ୍ଣନ ପରାମର୍ଶ ଦେଇଥିଲେ। ଚିକିତ୍ସା ଯୋଗାଣ ନିମନ୍ତେ ରାଜ୍ୟରେ ତ୍ରିସ୍ତରୀୟ ହସ୍ପିଟାଲ ନେଟୱାର୍କ ବ୍ୟବସ୍ଥା ସୃଷ୍ଟି କରିବାକୁ ସ୍ଥିର ହୋଇଛି। ତୃଣମୂଳସ୍ତରରେ ବ୍ୟାପକ ସଚେତନତା ଓ ପ୍ରାକ ଚିହ୍ନଟ ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।
ବୈଠକରେ ସ୍ବାସ୍ଥ୍ୟ ସଚିବ ପ୍ରମୋଦକୁମାର ମେହେର୍ଦା କ୍ୟାନସର ଚିକିତ୍ସାର କାର୍ଯ୍ୟାନ୍ବୟନ ସଂକ୍ରାନ୍ତ ପ୍ରଶାସନିକ, ସାଙ୍ଗଠନିକ ଓ ବୈଷୟିକ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ, ମେଡିକାଲ କର୍ପୋରେସନର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ଜାତୀୟସ୍ତରୀୟ କ୍ୟାନସର ବିଶେଷଜ୍ଞ, ଟାଟା ଟ୍ରଷ୍ଟର ପ୍ରତିନିଧିଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply