କର୍କଟରେ ଶଯ୍ୟାଶାୟୀ କାର୍ତ୍ତିକ; ଖୋଜୁଛନ୍ତି ସହାୟତାର ହାତ

ରେଙ୍ଗାଲିକେମ୍ପ: ଦୁର୍ଭାଗ୍ୟ ସାଙ୍ଗକୁ ଅର୍ଥାଭାବ ମଣିଷର ମେରୁଦଣ୍ଡ ଭାଙ୍ଗିଦେଇପାରେ ଆଜି କାର୍ତ୍ତିକଙ୍କୁ ଦେଖିଲେ ବେଶ୍ ବୁଝିହୁଏ। ବରଗଡ଼ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ୱାଡ଼ ନଂ ୧ ମାର୍କେଟ ପଡାର କାର୍ତ୍ତିକ ପଟେଲ(୩୦)ଙ୍କ ବାପ ଅଜା ଅମଳରୁ ସ୍ଥାନୀୟ ତହସିଲ ଛକଠାରେ ଏକ ଛୋଟିଆ ଚା’ ଦୋକାନ ଦେଇ ନିଜ ଗୁଜୁରାଣ ମେଣ୍ଟାଇବା ସହ ପରିବାର ଚଳେଇ ଆସୁଥିଲେ। କାର୍ତ୍ତିକ ଦୀର୍ଘ ବର୍ଷେ ହେବ କର୍କଟ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡିରହି ଦିନ ଗଣୁଛନ୍ତି। ଦୀର୍ଘ ବର୍ଷ ହେବ ଅତାବିରା ଏନଏସି ୱାଡ଼ ୧ନଂ ମାର୍କେଟ ପଡାରେ ରହିଆସୁଥିବାବେଳେ ସରକାରୀ ସହାୟତା ପରିବାର ପାଇଁ ଏବେ ସାତ ସ୍ଵପ୍ନ। ସେହିପରି ଚିକିତ୍ସା କରିବା ପାଇଁ ତାଙ୍କ ପାଖରେ ନା ଅଛି ଟଙ୍କା ନା ପରିବାର ପାଇଁ ଖଣ୍ଡେ ଦାନା। ଏକ ମାତ୍ର ପରିବାର ପ୍ରତିପୋଷଣ କରିଆସୁଥିବା କାର୍ତ୍ତିକଙ୍କ ପାଇଁ ଭାଙ୍ଗି ପଡିଛି ପରିବାର। ସବୁଠୁ ବଡ଼ କଥା କାର୍ତ୍ତିକ ଚା’ ଦୋକାନ ରୋଜଗାରରୁ ପରିବାର ଚଳାଉଥିଲେ ତାହା ସହ ପିଲା ଛୁଆର ପାଠ ପଢା ଦେଖୁଥିଲେ । କିନ୍ତୁ ଅର୍ଥ ଅଭାବ ଯୋଗୁଁ ନା ଚିକିତ୍ସା ହୋଇପାରିଛି ନା କାର୍ତ୍ତିକଙ୍କ ୫ବର୍ଷର ପୁଅ ସ୍କୁଲ ଯାଇପାରୁଛି । ସ୍କୁଲରେ ପୁଅ ମୂରଲୀର ନାମ ଲେଖା ହୋଇଥିଲା । ମହାମାରୀ କରୋନା ପାଇଁ ସ୍କୁଲ ବନ୍ଦ ଥିବାବେଳେ ପିଲାମାନେ ଅନଲାଇନ ଦ୍ଵାରା ମୋବାଇଲ ଦେଖି ପାଠ ପଢିପାରୁଥିଲେ। ହେଲେ ପରିବାରର ଅଭାବ ଅନାଟନ ପାଠ ପଢାରେ ବାଧକ ସାଜିଲା କର୍କଟ ପିଡୀତଙ୍କ ପୁତ୍ର ମୂରଲୀ ପାଇଁ। କାର୍ତ୍ତିକ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇ ୨୭/୦୭/୨୧ରେ ଅର୍ଥ ଅଭାବ ଯୋଗୁଁ ଫେରି ଆସିଥିଲେ। ତାପରେ ଚିକିତ୍ସା ପାଇଁ ଧାର କରଜ ଆଣି ନିଜ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ମୁମ୍ବାଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯିବାକୁ ଅଣ୍ଟା ଭିଡିଥିଲେ ସ୍ତ୍ରୀ ସୌଭାଗ୍ୟ ମଞ୍ଜରୀ। ହେଲେ ସେଠାରେ ମଧ୍ୟ ଯାହା କିଛି ଟଙ୍କା ଥିଲା ସରିଯିବା ପରେ ଶେଷରେ ନିରୁପାୟ ହୋଇ ଗାଁକୁ ଫେରି ଆସିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ କୌଣସି ସରକାରୀ ସହାୟତା ନ ମିଳିପାରିବାରୁ ଭାଙ୍ଗି ପଡିଛନ୍ତି ସ୍ତ୍ରୀ ସୌଭାଗ୍ୟ ମଞ୍ଜରୀ ଓ ପରିବାର । ଏବେବି ସହାୟତା ରାଶି ନ ପହଞ୍ଚିବାରୁ ପେଟ ପାଇଁ ମୁଠାଏ ଅନ୍ନ ନାହିଁ । ତେଣୁକରି ସରକାର, ଜିଲ୍ଲା ପ୍ରଶାସନ ତଥା କୌଣସି ଅନୁଷ୍ଠାନ ଯଦି ଦୃଷ୍ଟି ଦିଅନ୍ତେ ତେବେ କାର୍ତ୍ତିକ ତଥା ପରିବାର ଆଖିରୁ ଲୁହ ପୋଛିପାରନ୍ତେ ବୋଲି ପରିବାର ମତ ବ୍ୟକ୍ତ କରିଛନ୍ତି । ତେବେ କର୍କଟ ପିଡିତ ଓ ପରିବାରଙ୍କୁ କେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବେ ସେ ନେଇ ଅପେକ୍ଷାରେ ପରିବାର।

Comments
Loading...