ସହାୟତା ଅପେକ୍ଷାରେ କର୍କଟ ପୀଡ଼ିତା ମମି

କଲ୍ୟାଣସିଂହପୁର: ଗରିବର ଦୁଃଖ ବୁଝିବ କିଏ? ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ମାଳତୀ ସାହିର ସମ୍ଵରୁ ହିକକାଙ୍କ ବଡ ଝିଅ ମମି ହିକକା(୩୦)। ଗତ ୨ ବର୍ଷ ହେବ କର୍କଟ ରୋଗରେ ପୀଡ଼ିତ। ଉନ୍ନତ ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ରହିଛନ୍ତି ବାପା ସମ୍ଵରୁ।

ଖବର ନେବାରୁ ଜଣାପଡିଲା ଯେ, ସମ୍ବରୁଙ୍କ ୨ଟି ସନ୍ତାନଙ୍କ ମଧ୍ୟରେ ମମି ହେଉଛନ୍ତି ବଡ଼ ଝିଅ। ପୂର୍ବରୁ ମମି କୁଲି ମଜୁରୀ କରି ବାପା ମାଆ ଏବଂ ଭାଇ ଭଉଣୀଙ୍କ ସହିତ ବେଶ୍ ହସ ଖୁସିରେ ରହୁଥିଲେ। ହଠାତ ମମିଙ୍କ ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ବିଗିଡ଼ିବାରେ ଲାଗିଲା। କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରିଥିଲେ। ଡାକ୍ତର ଉନ୍ନତମାନର ଚିକିତ୍ସାର ଆବଶ୍ୟକ ଅଛି ବୋଲି କହିବାରୁ ରାୟଗଡା ବଡ଼ ମେଡିକାଲକୁ ନେଇଥିଲେ। ସେଠାରେ ଚିକିତ୍ସା କରିବା ପରେ ମମିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାର ଦେଖି ବାପା ସମ୍ଵରୁ ବ୍ରହ୍ମପୁର ଏମକେସିଜି ଓ ଵିଷମ କଟକ ମେଡିକାଲକୁ ନେଇଥିଲେ। ପରୀକ୍ଷା ରିପୋର୍ଟ ଅନୁଯାୟୀ କର୍କଟ ବୋଲି ଜାଣିଵା ପରେ ପରିବାର ପୁରା ଭାଙ୍ଗି ପଡିଥିଲେ। ଗରିବ ଲୋକଙ୍କ ଆଖିର ଲୁହ ପୋଛିଵ କିଏ? ସମ୍ଵରୁ ନିଜର ଭାଗ୍ୟକୁ ଆଦରି ନିଜର ଦୁଃଖ ନିଜେ ଆଦରି ଧାର କରଜ କରି ଝିଅର ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାରର କିଛି ଦିନ ପରେ ମମିଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ସାଂଘାତିକ ହେବା ପରେ ବିଶାଖାପାଟଣା ବଡ଼ ମେଡିକାଲକୁ ନେଇଥିଲେ। ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ୱାସ୍ଥ୍ୟ ବୀମା କାର୍ଡ ଜରିଆରେ କିଛି ଚିକିତ୍ସା ହେବା ପରେ ଅର୍ଥର ଅଭାବ ଥିବାରୁ ନିରାଶ ହୋଇ ଘରକୁ ଫେରିଛନ୍ତି। ସମ୍ବରୁ ଜଣେ ଦିନ ମଜୁରୀଆ। ସେହି ଅର୍ଥରେ ନିଜର ପରିବାର ଭରଣ ପୋଷଣ କରିଥାନ୍ତି। ଓଳିଏ ଖାଇଲେ ଓଳିଏ କଷ୍ଟକର। ଗୋଟିଏ ପଟେ ପରିବାର ଚଳାଇବେ ନା ଶଯ୍ୟାଶାୟୀ ହୋଇ ପଡ଼ି ରହିଥିବା ଝିଅର ଦୁଃଖ ବୁଝିବେ, ତାକୁ ନେଇ ଚିନ୍ତାରେ ସମ୍ବରୁ ଝିଅର ଚିକିତ୍ସା ନିମନ୍ତେ ଜିଲ୍ଲା ପ୍ରଶାସନ ନିକଟରେ ସହାୟତାର ହାତ ବଢାଇ ଉଚ୍ଚ ଚିକିତ୍ସା କରିବା ପାଇଁ ଅନୁରୋଧ କରିଛନ୍ତି।

Comments are closed.