କାମରେ ଲାଗୁନି ବିଜୁ ସ୍ୱାସ୍ଥ୍ୟ କାର୍ଡ : କର୍କଟ ରୋଗରେ ପୀଡ଼ିତ ଝୁନୁ ପାଇକଙ୍କ ସରକାରୀ ସହାୟତା ପାଇଁ ନିବେଦନ

ମୋହନା :  ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡି ପଞ୍ଚାୟତ ଅଧିନ କନ୍ଧ ଅଡବା ଗ୍ରାମର ଝୁନୁ ପାଇକ (୪୫) ଦୀର୍ଘ ୯ ମାସ ହେଲା ମୁଖ ଗହ୍ୱର କର୍କଟ ରୋଗରେ ପୀଡିତ । ମାର୍ଚ୍ଚ ୨୦୨୧ରେ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ଡାକ୍ତରଙ୍କ ଠାରୁ ଜାଣିବାକୁ ପାଇଥିଲେ। ତାପରେ ଡାକ୍ତର ତାଙ୍କୁ କଟକ ହରିହର ଆଚାର୍ଯ୍ୟ କର୍କଟ ଗବେଷଣା କେନ୍ଦ୍ରକୁ ଯାଇ ଚିକିତ୍ସିତ ହେବାପାଇଁ ପରାମର୍ଶ ଦେଇଥିଲେ। ସେଠାକୁ ଯିବା ପରେ ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଚିକିତ୍ସା ହେବା ପାଇଁ ଶଯ୍ୟା​‌ ମିଳିନଥିଲା। ଯାହାଫଳରେ ସେ ବାଧ୍ୟହୋଇ ବାହାରେ ୪୫ ଦିନ ରହି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ତାପରେ ପରେ ରାଜ୍ୟରେ କରୋନା ପାଇଁ ଲକ ଡାଉନ ଘୋଷଣା ହେବାରୁ କଟକକୁ କାର ଯୋଗେ ଭଡାରେ ଯାଇ ୨୫ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ସେଠାରେ ଝୁନୁଙ୍କର ସଠିକ ଭାବରେ ଚିକିତ୍ସା ନ ହେବାରୁ ସ୍ୱାମୀ ଅନ୍ତର୍ଯ୍ୟାମୀ ପାଇକ ଧାର ଉଧାର କରି ଏକ ଘରୋଇ କର୍କଟ ହସପିଟାଲରେ ଚିକିତ୍ସା କରାଇଥିଲେ। ସେଠାରେ ଝୁନୁ ୫ ଦିନ ରହିବା ରହି ୧୫ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଅର୍ଥର ଅଭାବ ଯୋଗୁଁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ମେଡିକାଲ କତ୍ତୃପକ୍ଷଙ୍କୁ ଦେଖାଇଥିଲେ। ତଥାପି ତାଙ୍କୁ ସିଧା ସିଧା ମନା କରାଯାଇଥିଲା। ଏହି କାର୍ଡରେ ସୁବିଧା ଏଠାରେ ଉପଲବ୍ଧ ନୁହେଁ । ନଗଦ ଅର୍ଥ ନ ଦେଲେ ଚିକିତ୍ସା ହୋଇପାରିବ ନାହିଁ । ଯାହାଫଳରେ ଅର୍ଥର ଘୋର ଅଭାବ ଯୋଗୁଁ  ସେ ଅର୍ଥ ଦେଇ ନପାରି ଏବେ ନିଜ ଘରେ ରହି ଚେରମୂଳି ଔଷଧ ସେବନ କରୁଛନ୍ତି।
ଦୁଃଖର ସହିତ ଝୁନ୍ମୁଙ୍କ ସ୍ଵାମୀ ଅନ୍ତର୍ଯ୍ୟାମୀ ପାଇକ କହିଛନ୍ତି ମୁଁ ଜଣେ ଦୀନ ମଜୁରୀଆ, ମୋ ପାଖରେ ଅର୍ଥର ଘୋର ଅଭାବ, ମୋ ପାଖରେ ରହିଛି ବିଜୁ ସ୍ୱାସ୍ଥ୍ୟ କାର୍ଡ, ଜବ୍ କାର୍ଡ, ପଡି କାର୍ଡ ତଥାପି ପ୍ରଶାସନର ସହାୟତା ନମିଳିବା ମୋତେ ବହୁତ କଷ୍ଟ ଦେଇଛି । ସରକାରଙ୍କର ସମସ୍ତ ପ୍ରକାର ଯୋଜନା ମୋ ପାଖରେ ଥାଇ ମଧ୍ୟ ମୋତେ ବିଜୁ ପକ୍କା ଘର କି ପ୍ରଧାନମନ୍ତ୍ରୀ ଆବାସ ନମିଳିବା ଦୁଃଖର ବିଷୟ ବୋଲି ଅନ୍ତର୍ଯ୍ୟାମୀ କହିଛନ୍ତି । ଝାଟିମାଟିର ଟିଣ ଛପର ଘରେ ସେ ଦୟନୀୟ ଭାବେ ପରିବାର ସହିତ ରହିଆସୁଛନ୍ତି ।

Comments are closed.