ବାତିଲ ବିମାନ ଟିକଟ ଅର୍ଥ ଫେରସ୍ତ ପ୍ରସଙ୍ଗ, କ୍ରେଡିଟ୍‌ ସେଲ୍‌କୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଜାରି ଲକଡାଉନ ସମୟରେ ଯେଉଁ ଯାତ୍ରୀମାନଙ୍କ ବିମାନ ଟିକଟ ବାତିଲ ହୋଇଥିଲା ସେମାନଙ୍କୁ ବଡ଼ ଆଶ୍ୱସ୍ତ ମିଳିଛି। ଯାତ୍ରୀଙ୍କୁ ଏହି ଅର୍ଥ ୧୫ ଦିନ ମଧ୍ୟରେ ଫେରସ୍ତ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ (ଏମ୍‌ଓସିଏ) ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ଅଦାଲତଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା। ଡିଜିସିଏର ଏହି ପ୍ରସ୍ତାବକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଯଦି ବିମାନ କମ୍ପାନୀ ଏହାର ଆର୍ଥିକ ଦୁଃସ୍ଥିତି ପାଇଁ ଅର୍ଥ ଫେରସ୍ତ କରି ନ ପାରନ୍ତି ସେ କ୍ଷେତ୍ରରେ କମ୍ପାନୀ ଯାତ୍ରୀଙ୍କୁ ଟିକଟ ଅର୍ଥ ସମାନ ମୂଲ୍ୟର ଏକ କ୍ରେଡିଟ୍‌ ସେଲ୍‌ ଦେବେ। ଏହି ଅର୍ଥକୁ କମ୍ପାନୀ ଟିକଟ ବୁକିଂ କରାଯାଇଥିବା ଯାତ୍ରୀଙ୍କ ନାମରେ ଘରୋଇ ଯାତ୍ରା ପାଇଁ କିମ୍ବା ଏଜେଣ୍ଟଙ୍କ ଜରିଆରେ ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ମଧ୍ୟ ଫେରସ୍ତ କରିପାରିବେ। କ୍ରେଡିଟ୍‌ ସେଲ ସ୍କିମକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି।

ଏହା ୨୦୨୧ ମାର୍ଚ୍ଚ ୩୧ ଯାଏ ଲାଗୁ ହେବ। ମାମଲାର ବିଚାର କରି ଜଷ୍ଟିସ୍‌ ଆଶୋକ ଭୂଷଣ, ଜଷ୍ଟିସ୍‌ ଆର୍‌ ସୁବାସ ରେଡ୍ଡି ଏବଂ ଜଷ୍ଟିସ୍‌ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଯଦି କୌଣସି ଯାତ୍ରୀ ଏଜେଣ୍ଟଙ୍କ ଦ୍ୱାରା ଟିକଟ କିଣିଥିବେ, ତା’ହେଲେ ଟିକଟ ବାବଦ ଟଙ୍କା ଏଜେଣ୍ଟଙ୍କ ଦ୍ୱାରା ହିଁ ଫେରସ୍ତ ହେବ। ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ବିଜ୍ଞପ୍ତି ଜାରି କରିବାକୁ ମଧ୍ୟ କୋର୍ଟ ନିର୍ଦେଶ ଦେଇଛନ୍ତି। ଯଦି କୌଣସି ଯାତ୍ରୀ ଲକଡାଉନ ସମୟରେ ଅର୍ଥାତ ମାର୍ଚ୍ଚ ୨୫ରୁ ମେ’ ୨୪ ମଧ୍ୟରେ ବିମାନ ଟିକଟ ବୁକିଂ କରିଥିଲେ ଓ ଲକଡାଉନ ଯୋଗୁ ସେମାନେ ଏହାକୁ ବାତିଲ କରିଛନ୍ତି, ତା’ହେଲେ ସେମାନଙ୍କୁ ବିମାନ ସେବା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଟଙ୍କା ଫେରସ୍ତ କରାଯିବ।

Comments are closed.