ଏନ୍‌ଆରଆଇ ଭୋଟର ମତଦାନରୁ ବଞ୍ଚିତ ହେବା ଆଶଙ୍କା

0

ନୂଆଦିଲ୍ଲୀ : ପ୍ରବାସୀ ଭାରତୀୟ ଭୋଟରଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ଲାଗି ଆଇନ ମନ୍ତ୍ରାଳୟ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବିଧେୟକ ଅଣାଯାଇଛି। ଏହି ବିଧେୟକ ୨୦୧୮ରେ ଲୋକସଭାରେ ଗୃହୀତ ହୋଇଥିବା ବେଳେ ରାଜ୍ୟସଭାର ମଞ୍ଜୁରୀ ଅପେକ୍ଷାରେ ରହିଛି। ଆଗକୁ ଲୋକସଭା ନିର୍ବାଚନ ଆସୁଥିବାରୁ ବିଧେୟକଟି ରାଜ୍ୟସଭାରେ ଗୃହୀତ ହେବା ଅଧିକ ଗୁରୁତ୍ବପୂର୍ଣ୍ଣ ମନେହୁଏ। ଶୀତକାଳୀନ ଅଧିବେଶନରେ ଆଲୋଚନା ଲାଗି ପ୍ରତ୍ୟେକ ଦିନ ଏହାକୁ ତାଲିକାଭୁକ୍ତ କରାଯାଇଥିଲା। ମାତ୍ର ବିଭିନ୍ନ ଦଳର ହଟ୍ଟଗୋଳ ଯୋଗୁ ରାଜ୍ୟସଭା ବାରମ୍ବାର ମୁଲତବୀ ହେବାରୁ ବିଧେୟକ ଉପରେ କୌଣସି ଆଲୋଚନା ହୋଇପାରି ନ ଥିଲା। ଅନ୍ୟପଟେ କେନ୍ଦ୍ର ସରକାର ନିର୍ବାଚନ ପୂର୍ବରୁ ଅନ୍ତରୀଣ ବଜେଟ ଅଧିବେଶନ ଡକାଇଛନ୍ତି। ଜାନୁଆରୀ ୩୧ରୁ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଉକ୍ତ ଅଧିବେଶନରେ ମାତ୍ର ୧୧ଟି କାର୍ଯ୍ୟଦିବସ ରହିଛି। ଏହାମଧ୍ୟରେ ସରକାର ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ। ଏଣୁ ତାହା ଉପରେ ଚର୍ଚ୍ଚା ହେବାକୁ ଥିବାରୁ ଏହି ବିଧେୟକ ଉପରେ ଆଲୋଚନା ପାଇଁ ସମୟ ମିଳି ନ ପାରେ ବୋଲି କୁହାଯାଉଛି। ଫଳରେ ଆଗାମୀ ଲୋକସଭା ନିର୍ବାଚନରେ ମଧ୍ୟ ଏନ୍‌ଆରଆଇ ଭୋଟରମାନେ ଅଂଶଗ୍ରହଣ କରିବା ନେଇ ସଂଶୟ ଲାଗି ରହିଛି।
ବୈଦେଶିକ ମନ୍ତ୍ରାଳୟର ସୂଚନାନୁସାରେ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ୩.୧୦ କୋଟି ପ୍ରବାସୀ ଭାରତୀୟ ଅଛନ୍ତି। ସମ୍ପ୍ରତି ଏମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବା ନିମନ୍ତେ ଭାରତ ଆସିବାକୁ ପଡୁଛି। ନିଜ ନିର୍ବାଚନମଣ୍ଡଳୀକୁ ଯାଇ ବିଦେଶଯାତ୍ରା ବେଳେ ପ୍ରଦାନ କରାଯାଇଥିବା ମୂଳ ପାସପୋର୍ଟ ଦେଖାଇ ମତଦାନ କରିବାକୁ ପଡୁଛି। ଏହି ସମସ୍ୟା ଦୂର କରିବା ଲାଗି ଇ-ଭୋଟିଂ ବା ଇଣ୍ଟରନେଟ ମାଧ୍ୟମରେ ମତଦାନ ବ୍ୟବସ୍ଥା କରିବାକୁ ଏକ ପ୍ରସ୍ତାବ ଆସିଥିଲା। ମାତ୍ର ନିର୍ବାଚନ କମିସନଙ୍କ ବିଶେଷଜ୍ଞ କମିଟି ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି। ଏହା ପରିବର୍ତ୍ତେ ପ୍ରକ୍ସି ଭୋଟିଂ ବା ଜଣେ ବ୍ୟକ୍ତିଙ୍କ ପାଇଁ ଅନ୍ୟ ଜଣେ ବ୍ୟକ୍ତି ମତଦାନ କରିପାରିବା ନେଇ ଏକ ପ୍ରସ୍ତାବକୁ କମିଟି ମଞ୍ଜୁରୀ ଦେଇଛନ୍ତି। ଏହାକୁ ଆଇନରେ ପରିଣତ କରିବା ଲାଗି ଉକ୍ତ ବିଧେୟକ ଉଦ୍ଦିଷ୍ଟ। ବିଧେୟକଟି ଆଇନରେ ପରିଣତ ହେଲେ ପ୍ରବାସୀ ଭାରତୀୟମାନେ ନିଜ ପାଇଁ ଜଣେ ପ୍ରକ୍ସି ଭୋଟର ମନୋନୟନ କରିପାରିବେ। ପ୍ରତ୍ୟେକ ନିର୍ବାଚନ ବେଳେ ଏହି ପ୍ରକ୍ସି ପରିବର୍ତ୍ତନ କରାଯିବ।
ନିର୍ବାଚନ ଆଇନ ଅନୁସାରେ ସେନାର ଜଣେ ପୁରୁଷ କର୍ମଚାରୀଙ୍କ ପତ୍ନୀ ‘ସର୍ଭିସ ଭୋଟର’ ଭାବେ ପଞ୍ଜିକୃତ। ଅର୍ଥାତ ସ୍ବାମୀ କାର୍ଯ୍ୟସ୍ଥଳରେ ଥିବା ଅବସରରେ ତାଙ୍କ ପାଇଁ ପତ୍ନୀ ମତଦାନ କରିପାରିବା ନେଇ ନିର୍ବାଚନ ଆଇନରେ ଅନୁମତି ରହିଛି। କିନ୍ତୁ ସେନାର ଜଣେ ମହିଳା କର୍ମଚାରୀଙ୍କ ସ୍ବାମୀଙ୍କୁ ସେହି ଅଧିକାର ଦିଆଯାଇନାହିଁ। ଏଣୁ ଆଇନଟିକୁ ଲିଙ୍ଗଗତ ପ୍ରଭେଦରୁ ଊର୍ଦ୍ଧ୍ବକୁ ନେଇ ପତ୍ନୀ ସ୍ଥାନରେ ‘ସ୍ପାଉସ (ପତ୍ନୀ କିମ୍ବା ପତି)’ ଉଲ୍ଲେଖ କରିବାକୁ କେନ୍ଦ୍ର ଯୋଜନା ଚଳାଇଛି। ଉଲ୍ଲେଖ ଯେ, ସେନାବାହିନୀ, ସିଆରପିଏଫ୍‌, ନିଜ ରାଜ୍ୟରୁ ବାହାରେ ନିୟୋଜିତ ରାଜ୍ୟ ପୁଲିସ ବାହିନୀ ଓ ଦେଶ ବାହାରେ ନିଯୁକ୍ତ କେନ୍ଦ୍ରସରକାରଙ୍କ ଅଧୀନସ୍ଥ କର୍ମଚାରୀ ତଥା ବିଭିନ୍ନ ଦୂତାବାସର କୂଟନୀତିଜ୍ଞମାନେ ‘ସର୍ଭିସ ଭୋଟର’ ବର୍ଗଭୁକ୍ତ ଅଟନ୍ତି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆଇନକୁ ଲିଙ୍ଗଗତ ପ୍ରଭେଦମୁକ୍ତ କରିବା ଲାଗି ନିର୍ବାଚନ କମିଶନ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।

Leave A Reply