ଜବ୍ କାର୍ଡଧାରୀଙ୍କୁ ମିଳିବ କି ୧୦୦ ଦିନର କାମ ?

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ୍‍ (ଏମ୍‍ଜିଏନ୍‍ଆର୍‍ଇଜିଏ) ଅଧିନରେ କାମ ମାଗୁଥିବା ପ୍ରତି ପରିବାରକୁ ୧୦୦ ଦିନର କାମ ଯୋଗାଇ ଦେବାକୁ ପ୍ରାବଧାନ ରହିଛି। ଆମ ରାଜ୍ୟରେ ଏହି ଆଇନ୍‍ରେ ୧୫୦ ଦିନର କାମ ଯୋଗାଇ ଦେବାକୁ ଓଡିଶା ସରକାର ପ୍ରତିଶ୍ରୁତି ବଦ୍ଧ। ଏହା ବ୍ୟତିତ ବରଗଡ, ବଲାଙ୍ଗୀର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ୨୦ଟି ଅତି ସମ୍ବେଦନଶୀଳ ବ୍ଲକରେ ୨୦୦ ଦିନର କାମ ଯୋଗାଇ ଦେବାକୁ ଖୋଦ ମୁଖ୍ୟମନ୍ତ୍ରୀ ଜାନୁୟାରୀ ମାସରେ ଘୋଷଣା କରିଛନ୍ତି। ସେହିପରି ଠିକ୍‍ ସମୟରେ ମଜୁରୀ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷରୁ ୫୦୦ କୋଟି ଟଙ୍କାର ଏକ କର୍ପସ୍‍ ପାଣ୍ଠି ଗଠନ କରିଛନ୍ତି। ଏହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ ; ମାତ୍ର ଏଠାରେ ପ୍ରଶ୍ନ ଉଠେ, ଏହି ଆଇନ୍‍ ଅଧିନରେ କରାଯାଉଥିବା ବ୍ୟୟ ବରାଦ ଯଥେଷ୍ଟ ହେଉଛି ତ? ପ୍ରତି ବର୍ଷ କରାଯାଉଥିବା ବ୍ୟୟବରାଦର ବାସ୍ତବ ଖର୍ଚ୍ଚ କେତେ ହେଉଛି ? ଆମ ରାଜ୍ୟରେ ଏମ୍‍ଜିଏନ୍‍ଆର୍‍ଇଜିଏରେ କାମ ଦାବୀ କରୁଥିବା ପରିବାରଙ୍କୁ ସର୍ବନିମ୍ନ ୧୦୦ ଦିନର କାମ ମିଳିପାରୁଛି ତ? ଆସନ୍ତୁ ଏହି ସବୁ ଦିଗ ଗଡିକୁ ଆଲୋଚନା କରିବା।

ପ୍ରଥମେ ବିଗତ ପାଞ୍ଚ ବର୍ଷର ବ୍ୟୟବରାଦ ଓ ବାସ୍ତବ ଖର୍ଚ୍ଚକୁ ବିଚାରକୁ ନେଲେ ଜଣାଯାଏ ଯେ ୨୦୧୫-୧୬ ଆର୍ଥିକ ବର୍ଷ ବ୍ୟତୀତ ୨୦୧୬-୧୭ ରୁ ୨୦୧୮-୧୯ ପର୍ଯ୍ୟନ୍ତ ଏହି ଆଇନରେ କରାଯାଇଥିବା ବ୍ୟୟବରାଦ ଠାରୁ ବାସ୍ତବ ଖର୍ଚ୍ଚ ବହୁତ କମ୍‍ ରହୁଛି। ୨୦୧୬-୧୭ ବର୍ଷରେ ପ୍ରାୟ ୬୦% ଅର୍ଥ ଖର୍ଚ୍ଚ ହୋଇପାରି ନଥିବାବେଳେ ୨୦୧୭-୧୮ରେ ୧୮.୯% ଏବଂ ୨୦୧୮-୧୯ରେ ୩୦.୪% ଅର୍ଥ ଖର୍ଚ୍ଚ ହୋଇପାରି ନାହିଁ। ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ବ୍ୟୟବରାଦ ୧୨୦୦ କୋଟି ରଖା ଯାଇଥିବାବେଳେ ସଂଶୋଧିତ ବଜେଟ୍‍ରେ ୮୮୯.୩୧ କୋଟି ରଖାଯାଇଛି ଏବଂ ୨୦୨୦-୨୧ରେ ୧୫୦୧ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି। ଏତେ ପରିମାଣର ଅର୍ଥ ଖର୍ଚ୍ଚ ହୋଇ ନପାରିବା ସରକାରୀ କଳର ସଫଳ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଓଡିଶା ବଜେଟ୍‍ ଆଣ୍ଡ ଏକାଉଣ୍ଟେବିଲିଟି ସେଣ୍ଟର ଦ୍ୱାରା ରାଜ୍ୟ ବଜେଟ୍‍ ୨୦୨୦-୨୧ର ଅନୁଶୀଳନରୁ ଜଣାଯାଏ ଯେ ୨୦୨୦ ମସିହା ଫେବୃୟାରୀ ୧୫ ତାରିଖ ସୁଦ୍ଧା ଓଡିଶାରେ ମୋଟ ୬୭,୦୨,୭୩୫ ପରିବାରଙ୍କୁ ଏହି ଆଇନ୍‍ ଅଧିନରେ ଜବ୍‍ କାର୍ଡ ଯୋଗାଇ ଦିଆଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୨୩,୮୧,୧୯୬ ପରିବାର କାମ ଦାବୀ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୧,୦୨,୦୧୯ ପରିବାରର ମୋଟ ୩୨,୯୯,୩୭୫ ଜଣଙ୍କୁ ସରକାର କାମ ଦେବାରେ ସଫଳ ହୋଇଛନ୍ତି ଅର୍ଥାତ୍‍ ୧୩.୩% ପରିବାରଙ୍କ ଜବ୍‍ କାର୍ଡ ଥାଇ ଓ କାମ ଦାବୀ କରି ସୁଦ୍ଧା ସେମାନେ ଏଥିରୁ ବଞ୍ଚିତ ହୋଇଛନ୍ତି। ସେହିପରି କାମ ମାଗିଥିବା ମୋଟ ପରିବାରମାନଙ୍କ ମଧ୍ୟରୁ ମାତ୍ର ୮୯,୧୦୦ ପରିବାରଙ୍କୁ ସରକାର ୧୦୦ ଦିନର କାମ ଦେଇପାରିଛନ୍ତି ଯାହାକି ମାତ୍ର ୪.୨୪% ଅଟେ। ଏହି ଅନୁଶୀଳନରୁ ଏହା ମଧ୍ୟ ଜଣାଯାଏ ଯେ ଆମ ରାଜ୍ୟରେ ଜବ୍ କାର୍ଡଧାରୀ ପରିବାର ପିଛା ଚଳିତ ବର୍ଷରେ ରାଜ୍ୟ ସରକାର ହାରାହାରି ୪୨ ଦିନର କାମ ଦେଇପାରିଛନ୍ତି ଯାହାକି ଜାତୀୟ ହାର ୪୫ ଦିନ ଠାରୁ କମ୍ ରହିଛି। ସେହିପରି ଆଗାମୀ ଆର୍ଥିକ ବର୍ଷର ବ୍ୟୟବରାଦକୁ ନଜର ପକାଇଲେ ଜଣାଯାଏ ଯେ ଯଦି ପୂର୍ବ ବର୍ଷର ଜବ୍ କାର୍ଡଧାରୀମାନଙ୍କ ସଂଖ୍ୟା ବୃଦ୍ଧି ନହୋଇ ସେତିକି ରୁହେ ତେବେ ସରକାର ସମସ୍ତଙ୍କୁ ୧୦୦ ଦିନର କାମ ଦେବାରେ ବିଫଳ ହେବେ। ଯଦି କାମ ମାଗୁଥିବା ପରିବାରକୁ ଆଇନ୍ ଅନୁସାରେ ୧୦୦ ଦିନର କାମ ଦେବାରେ ସରକାର ପଛରେ ପଡିଯାଉଛନ୍ତି ତେବେ ୧୫୦ ଦିନର କାମ ଯୋଗାଇ ଦେବାର ପ୍ରତିଶ୍ରୁତି ଏବଂ ଚାରିଗୋଟି ଜିଲ୍ଲାର ଅତି ସମ୍ବେଦନଶୀଳ ବ୍ଲକଗୁଡିକରେ ୨୦୦ ଦିନର କାମ ଦେବାର ପ୍ରତିଶ୍ରୁତି ପ୍ରତି ଅଙ୍ଗୁଳୀ ନିର୍ଦ୍ଦେଶ କରୁଛି।

ରାଜ୍ୟ ସରାକାର ଚଳିତ ଆର୍ଥିକ ବର୍ଷରେ ଅଣ-କୁଶଳୀ ଶ୍ରମିକଙ୍କ ମଜୁରୀ ଟ ୨୦୦/-ଙ୍କା ରୁ ଟ ୨୯୮/- ଙ୍କା, ଅର୍ଦ୍ଧ କୁଶଳୀ ଓ କୁଶଳୀ ଶ୍ରମିକଙ୍କ ମଜୁରୀ ଟ ୩୩୮/-ଙ୍କା ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ ବାବଦକୁ ଟ୪୪୮/-ଙ୍କା ଘୋଷଣା କରିଛନ୍ତି। ଗ୍ରାମାଂଚଳରେ ସାଧାରଣତଃ ଘରୋଇ ଭାବେ ମାଟି କାମ, ଚାଷ କାମ କରୁଥିବା ଦିନ ମଜୁରିଆ ପାରିଶ୍ରମିକ ବାବଦକୁ ଟ ୩୦୦/-ଙ୍କା ରୁ ଟ ୪୦୦/-ଙ୍କା ପର୍ଯ୍ୟନ୍ତ ନେଉଛନ୍ତି। ଏପରି କ୍ଷେତ୍ରରେ ଏମ୍‍ଜିଏନ୍‍ଆର୍‍ଇଜିଏର କମ୍ ପାରିଶ୍ରମିକ ଦିନ ମଜୁରିଆମାନଙ୍କୁ ନିରୁତ୍ସାହିତ କରୁଛି। ସେହିପରି ଜଣେ ଜବ୍ କାର୍ଡଧାରୀ କାମ କରିବା ପରେ ତା’ର ବ୍ୟାଙ୍କ ଖାତାକୁ ପାରିଶ୍ରମିକ ମୂଲ୍ୟ ସିଧାସଳଖ ପଇଠ କରାଯିବାର ବ୍ୟବସ୍ଥା ରହିଛି। ଏପରି କ୍ଷେତ୍ରରେ ଦୈନିକ କାମ କରି ବଜାରରୁ ନିତିଦିନର ପରିବା, ତେଲ, ଲୁଣ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ କ୍ରୟ କରୁଥିବା ଜଣେ ଦିନ ମଜୁରିଆ ସମସ୍ୟାର ସମ୍ମୁଖୀନ ହେଉଥିବା ଅନେକ ମତ ଦିଅନ୍ତି। ଏହି ଆଇନର ଅନ୍ୟ ଏକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟ ବାହାରକୁ କାମ ପାଇଁ ଯାଉଥିବା ଲୋକମାନଙ୍କୁ ନିଜ ଅଞ୍ଚଳରେ କାମ ଯୋଗାଇଦେବା; ମାତ୍ର ଗ୍ରାମ ପଞ୍ଚାୟତ ବିକାଶ ଯୋଜନାର ସଠିକ୍ ପ୍ରସ୍ତୁତି ନହେବା, ପଂଚାୟତ ପ୍ରତିନିଧିମାନଙ୍କ ଦକ୍ଷତା ଓ ଦୂରଦୃଷ୍ଟିର ଅଭାବ, ସରକାରୀ ଅଧିକାରୀମାନଙ୍କ ଉଦାଶୀନତା, କମ୍ ପାରିଶ୍ରମିକ, ମଜୁରୀ ମିଳିବାରେ ବିଳମ୍ବ ଭଳି କେତେକ କାରଣ ଯୋଗୁଁ ଆମ ରାଜ୍ୟରେ ଏମ୍‍ଜିଏନ୍‍ଆର୍‍ଇଜିଏ ଭଳି ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ବିଶେଷ ସଫଳ ଭାବେ ରୂପାୟନ ହୋଇପାରୁ ନାହିଁ।

ଶ୍ରେୟାସ୍ ସୌରୀ,
ଶୈଳଶ୍ରୀ ବିହାର, ଭୁବନେଶ୍ୱର
sourishreyas@gmail.com

Comments are closed.